ଭୁବନେଶ୍ବର: କଣ୍ଠ ଥିଲା ବାଷ୍ପରୁଦ୍ଧ। ଆଖିରେ ଆଖିଏ ଲୁହ ଓ ମନରେ କୋହ ଭରି ମଞ୍ଚରେ ଉପସ୍ଥିତ ହୋଇଥିଲେ ବିଶିଷ୍ଠ ସଙ୍ଗୀତଜ୍ଞ ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ ପତ୍ନୀ ସଂଯୁକ୍ତା ମୁଦୁଲି। କିଛି ସମୟ ପାଇଁ ସ୍ବର୍ଗତ ମୁଦୁଲିଙ୍କ ସ୍ମରଣରେ ପ୍ରେକ୍ଷାଳୟରେ ନୀରବତା ଛାଇଯାଇଥିଲା। ସ୍ବର୍ଗତ ମୁଦୁଲିଙ୍କୁ ଆଜି ମରଣୋତ୍ତର ‘ଭିକାରୀ ବଳ ସମ୍ମାନ’ରେ ସମ୍ମାନିତ କରିବା ଅବସରର ମୁହୂର୍ତ୍ତ ବେଶ୍ ଆବେଗପୂର୍ଣ୍ଣ ଥିଲା। ଅବସର ଥିଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ‘ଭିକାରୀ ବଳ ସ୍ମୃତି ସଂସଦ’ ଏବଂ ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’ର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ‘ତୋର ସାଆନ୍ତ ପଣିଆ କୁ କିଏ ସରିକି’ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମର।
ଏହି ଅବସରରେ ରବୀନ୍ଦ୍ର ମହାପାତ୍ରଙ୍କ କଣ୍ଠରୁ ଦେ ରେ କାଳିଆ ଦେ... ତୋ ପାଦେ ଶରଣ ଦେ..., ମୁଁ ତ’ ବଡ଼ ଦେଉଳର ପାରା ରେ..., ମିଛ ଦୁନିଆରେ ଗୋଟିଏ ସତ... ଆଦି ଭଜନ ଶୁଣିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ। ‘ଭିକାରୀ ବଳ ସ୍ମୃତି ସଂସଦ’ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭା ପରିଚାଳନା କରିଥିଲେ। ‘ରାଜ୍ୟସ୍ତରୀୟ ଭିକାରୀ ବଳ ସଙ୍ଗୀତ ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ଦିଲ୍ଲୀପ ନାୟକ, ସଂଘମିତ୍ରା ଦାସ, ଲଲାଟ ସାହୁ, ବିକ୍ରମ ନାୟକ, ମନସ୍ୱିନୀ ପରିଜା, କୃପାସିନ୍ଧୁ ପ୍ରଧାନ, ମାନସ କୁମାର ରଥ ଓ ଅଭିଷେକ ଖଟୁଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଭିକାରୀ ବଳ ସ୍ମୃତି ସଂସଦର ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।