‘ଆରାଧନା ଡ୍ୟାନ୍ସ ଏକାଡେମି’ର ଗୋଟିପୁଅ ଉତ୍ସବ

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ‘ଆରାଧନା ସମ୍ମାନ’

ଭୁବନେଶ୍ବର: ‘ଆରାଧନା ଡ୍ୟାନ୍ସ ଏକାଡେମି’ ପକ୍ଷରୁ ସପ୍ତମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ ରବୀନ୍ଦ୍ର ମଣ୍ଡପ‌େର ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ଆରାଧନା ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ‘ଶିବାୟ’ ନୃତ୍ୟ ପରିବେଷିତ ହୋଇଥିଲା। ବାଦ୍ୟରେ ଗୁରୁ ଧନେଶ୍ବର ସ୍ବାଇଁ, ଗୁରୁ ସୁକାନ୍ତ କୁମାର କୁଣ୍ଡୁ ସ୍ବର ସଂଯୋଜନା କରିଥିବା ବେଳେ ନୃତ୍ୟ ନିର୍ଦେଶନା ଦେଇଥିଲେ ଚିତ୍ରସେନ ସ୍ବାଇଁ। ପରେ ଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଦଳଗତ ‘ଭାବରଙ୍ଗ’ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଶା ଡ୍ୟାନ୍ସ ଏକାଡେମି ତରଫରୁ ‘ଭାବସଙ୍ଗମ’ ଓ ଶେଷରେ ଆରଧନାର ଗୋଟିପୁଅ ନୃତ୍ୟ ଦଳ ଦ୍ବାରା ‘ପଞ୍ଚଦେବ ସ୍ତୁତି’ ଓ ‘ବନ୍ଧ ନୃତ୍ୟ’ ପରି‌ବେଷିତ ହୋଇଥିଲା। ଏହି ଅବସର‌ରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ‘ଆରାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ଚାରିଜଣ ଗୋଟିପୁଅ ନୃତ୍ୟ ଓ ସଙ୍ଗୀତ ଗୁରୁ ବୀରବର ସାହୁ, ଜୟକୃଷ୍ଣ ନାୟକ, ଗୁରୁ ଆଲୋକ କାନୁନ୍‌ଗୋ, ଗୁରୁ ଭଗବାନ ସାହୁଙ୍କୁ ‘ଆରାଧନା ଗୋଟିପୁଅ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସ୍ନେହପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଓ ଶିକ୍ଷାବିତ୍‌ ଇନ୍ଦିରା ଦେ ଯୋଗ ଦେଇଥିଲେ। ମନ୍ମଥ ଜେନା, ରଶ୍ମି ରଞ୍ଜନ ସ୍ବାଇଁ, କରୁଣା କର ସ୍ବାଇଁ, ଉମାକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ‌ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର