ଭୁବନେଶ୍ବର: ଚଳିତ ସପ୍ତାହରେ ମହର୍ଷି କଲେଜରେ ପଶି ଅଣଛାତ୍ରମାନେ ଛାତ୍ରମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ। ଛୁରାମାଡ଼ରେ କିଛି ଛାତ୍ର ଆହତ ହେଲେ। ଆଜି ପୁଣି ବିଜେବି କଲେଜ ପରିସରରେ ଅଣଛାତ୍ରମାନେ ଖଣ୍ଡା ଧରି ଆତଙ୍କ ଖେଳାଇଲେ। କଲେଜ କ୍ରିକେଟ୍‌ ପଡ଼ିଆରେ ଖେଳୁଥିବା ଛାତ୍ରମାନଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କଲେ। ବ୍ୟାଟ୍‌ ଓ ଷ୍ଟମ୍ପ ଷ୍ଟିକ୍‌ରେ ପିଟି ଗୁରୁତର କଲେ। ତେଣୁ ଏବେ କଲେଜ ପରିସର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ସୁରକ୍ଷିତ ସ୍ଥାନ ହୋଇନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। କଲେଜ ପରିସରକୁ ଅଣଛାତ୍ରମାନେ କିଭଳି ପଶିବାକୁ ସୁଯୋଗ ପାଉଛନ୍ତି ବୋଲି ପ୍ରଶ୍ନବାଚୀ ଛିଡ଼ାହୋଇଛି। କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏଥିପାଇଁ ମୂଳ କାରଣ ବୋଲି ଅଭିଯୋଗ ହୋଇଛି। ସେହିଭଳି ବହୁ କ୍ଷେତ୍ରରେ ପୁଲିସ ମଧ୍ୟ ମାମଲାକୁ ହାଲୁକା ଭାବେ ନେଉଥିବା କୁହାଯାଉଛି। ଫଳରେ ଅଣଛାତ୍ରମାନଙ୍କ ସାହସ ବଢ଼ିଚାଲିଛି ଏବଂ ଛାତ୍ରଛାତ୍ରୀମାନେ ଏକ ପ୍ରତିକୂଳ ପରିବେଶରେ ପଢ଼ିବାକୁ ବାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି।

Advertisment

ଆଜି ବିଜେବି କଲେଜ ଖେଳ ପଡ଼ିଆରେ ଘଟିଥିବା ଅଭାବନୀୟ କାଣ୍ଡ ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଅଣଛାତ୍ରଙ୍କ ଖଣ୍ଡା ଚୋଟରେ ଜଣେ ଛାତ୍ର ଗୁରୁତର ହୋଇଥିବା ବେଳେ ବ୍ୟାଟ୍‌ ଓ ଷ୍ଟମ୍ପ ଷ୍ଟିକ୍‌ ପାହାରରେ ୨ ଜଣ ଛାତ୍ର ରକ୍ତାକ୍ତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଣଛାତ୍ରମାନେ ପୁଣି ଆକ୍ରମଣ କରିବେ ବୋଲି ଧମକ ଦେଇଥିବାରୁ କଲେଜ ପରିସରରେ ପୁଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ସୂଚନାନୁସାରେ ଅଣଛାତ୍ରମାନେ କଲେଜର ଏହି ଖେଳପଡ଼ିଆକୁ ଏକପ୍ରକାର କବ୍‌ଜା କରି ରଖିଥିଲେ। ଦିନରେ ଖେଳୁଥିବା ବେଳେ ରାତିରେ ମଦ ମାଂସର ଆସର କରୁଥିଲେ। ଦିନ ବେଳା ଛାତ୍ରମାନଙ୍କ କ୍ଲାସ୍‌ ରହୁଥିବାରୁ ସେମାନେ ଖେଳିବାକୁ ସମୟ ପାଆନ୍ତି ନାହିଁ। ଏହି ମଉକାରେ ଅଣଛାତ୍ରମାନେ ଦିନ ସାରା ପଡ଼ିଆକୁ ବ୍ୟବହାର କରୁଥାଆନ୍ତି। ଏମିତିକି ଛୁଟି ଦିନରେ ବି ଅଣଛାତ୍ରମାନେ ଛାତ୍ରମାନଙ୍କୁ ଖେଳିବାକୁ ପଡ଼ିଆ ଛାଡ଼ନ୍ତି ନାହିଁ। ଏନେଇ ସେମାନଙ୍କୁ କେହି ବାରଣ ମଧ୍ୟ କରନ୍ତି ନାହିଁ। ସେହିଭଳି ସନ୍ଧ୍ୟାରେ ସେମାନେ ନିଶା ଖଟି ଜମାଉଥିବାରୁ ଭୟରେ ଛାତ୍ରମାନେ ପଡ଼ିଆକୁ ବୁଲାବୁଲି କରିବାକୁ ବି ଯାଇପାରନ୍ତି ନାହିଁ। ଏହା ହିଁ ଥିଲା ଆଜି ଗଣ୍ଡଗୋଳର ମୂଳ କାରଣ । ଇଦ୍‌ ଛୁଟି ଥିବାରୁ ଆମ୍ବେଦକର ଛାତ୍ରାବାସର ଅନ୍ତେବାସୀମାନେ ଉକ୍ତ ପଡ଼ିଆରେ କ୍ରିକେଟ୍‌ ଖେଳିବାକୁ ଯାଇଥିଲେ। କିନ୍ତୁ ଅଣଛାତ୍ରମାନେ ସେମାନଙ୍କୁ ପଡ଼ିଆ ଛାଡ଼ିଲେ ନାହିଁ। ଏହାକୁ ନେଇ ବଚସା ହୋଇଥିଲା ଏବଂ ଅଣଛାତ୍ରମାନେ ସଂଘବଦ୍ଧ ଭାବେ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଖଣ୍ଡା, ଭୁଜାଲି, ଲୁହା ରଡ୍‌ ଓ ପାଇପ୍‌ ଆଦି ମାରଣାସ୍ତ୍ର ଧରି ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ସୌଭାଗ୍ୟକୁ ଖଣ୍ଡା ଚୋଟ ଖାଇଥିବା ଛାତ୍ର ସୌମ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ ଏଭଳି ଅଘଟଣ ପାଇଁ କଲେଜ କର୍ତ୍ତୃପକ୍ଷ ହିଁ ଦାୟୀ। ଅଣଛାତ୍ରମାନେ କଲେଜ ଖେଳପଡ଼ିଆକୁ କବ୍‌ଜା କରିବା ବିରୋଧରେ ସେମାନେ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଜଣାଇଥିଲେ। ମାତ୍ର କଲେଜ କର୍ତ୍ତୃପକ୍ଷ ସବୁ ଶୁଣି ଚୁପ୍‌ ରହିଲେ। ଅଣଛାତ୍ରଙ୍କ ପ୍ରବେଶ ଉପରେ କୌଣସି ପ୍ରକାର କଟକଣା ଲାଗୁ କଲେନାହିଁ। ଖେଳପଡ଼ିଆ ଫାଟକ ସବୁବେଳେ ଖୋଲାମେଲା ରହୁଛି। ନା ତାଲା ପଡ଼ୁଛି ନା ସୁରକ୍ଷାକର୍ମୀ ଜଗୁଛନ୍ତି। ତେଣୁ ଅଣଛାତ୍ରମାନେ ସବୁବେଳେ ଖେଳପଡ଼ିଆକୁ ଅବାଧରେ ପଶିବାକୁ ସୁଯୋଗ ପାଉଛନ୍ତି। କଲେଜ କର୍ତ୍ତୃପକ୍ଷ ଏନେଇ ପୂର୍ବ ଅଭିଯୋଗ ଅନୁସାରେ ପଦକ୍ଷେପ ନେଇଥିଲେ, ଆଜି ସେମାନେ ଏଭଳି କାଣ୍ଡ ଭିଆଇବାକୁ ସୁଯୋଗ ପାଇନଥା’ନ୍ତେ। ପୂର୍ବରୁ ମଧ୍ୟ କଲେଜ ପରିସରକୁ ପଶି ଅଣଛାତ୍ରମାନେ ଗଣ୍ଡଗୋଳ କରିଛନ୍ତି। ୧୬ ତାରିଖ ରାତିରେ ବିଜେବି କଲେଜର ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ ହୋଇଥିଲା। ବେଳେବେଳେ କଲେଜ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହେଲେ, ଅଣଛାତ୍ରମାନେ ପଶିଆସି ହସ୍ତକ୍ଷେପ କରୁଛନ୍ତି। ତେଣୁ କଲେଜ କର୍ତ୍ତୃପକ୍ଷ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲାଗୁ ନକଲେ, ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଜଳଜଳ ହୋଇ ଦେଖାଗଲାଣି।