ଭୁବନେଶ୍ବର: ଝାରପଡ଼ା ଜେଲରୁ ବାହାରି ଆଇନ ପରୀକ୍ଷା ଦେବାକୁ ଯାଇଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ। ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ତାଙ୍କ ସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା କହିଛନ୍ତି, ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ। କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ। କୋର୍ଟଙ୍କ ଉପରେ ଭରସା ଅଛି, ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।