ଭୁବନେଶ୍ବର: ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍‌ କରି ଟଙ୍କା‌ ପାଇଁ ବ୍ଲାକମେଲ୍ କରିବା ଆଦି ବିଭିନ୍ନ ସଙ୍ଗିନ୍‌ ଦଫାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା ନାଗ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ମାମଲାର ମୁଖ୍ୟ ଅର୍ଚ୍ଚନାଙ୍କ ଜାମିନ୍‌ ଆବେଦନର ଶୁଣାଣି ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ଆସନ୍ତାକାଲି କିମ୍ବା ସୋମବାର ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Advertisment

ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଓ ତାଙ୍କ ସହଯୋଗୀ ସବ୍ୟସାଚୀ ସୂତାର ମାମଲା ପରିଚାଳନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଆଜି ମଧ୍ୟ ଅର୍ଚ୍ଚନାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇନଥିଲା। ଜେଲ୍‌ରେ ଥାଇ ଅର୍ଚ୍ଚନା ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଅର୍ଚ୍ଚନାଙ୍କୁ ଜାମିନ୍‌ ମିଳିବା ଉଚିତ ବୋଲି ସେମାନେ ବିଭିନ୍ନ ଯୁକ୍ତି ଦର୍ଶାଇଥିଲେ। ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ୧୬ଟି ଦଫା ମଧ୍ୟରୁ ଦଫା ୩୭୦ ଓ ଆଇଟି ଆକ୍ଟ ଭଳି ସଂଗିନ୍ ଅଭିଯୋଗ ଥିବା ଦର୍ଶାଇ ସରକାରୀ ଓକିଲ ଜାମିନ୍‌କୁ ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ଓ ରାୟ ସଂରକ୍ଷିତ ରହିଲା ବୋଲି ଜଣାଇଥିଲେ।

କଇଁକଇଁ ହୋଇ କାନ୍ଦିଲେ

ଆଜି କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଅର୍ଚ୍ଚନା କଇଁକଇଁ କାନ୍ଦିଥିଲେ। ସରକାରୀ ଓକିଲଙ୍କ ଅକାଟ୍ୟ ଯୁକ୍ତି ତାଙ୍କୁ ଜାମିନ୍‌ ମିଳିବାରେ ବାଧାଦେବାକୁ ଯାଉଛି ବୋଲି ଜାଣିବା ପରେ ସେ କାନ୍ଦି ପକାଇଥିଲେ। ଶୁଣାଣି ବେଳେ ଭିଡିଓ କନ୍‌ଫରେନ୍‌ସିଂରେ ଉପସ୍ଥିତ ଥିବା ଅର୍ଚ୍ଚନା ବେଶ୍ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଥିଲା। ଝାରପଡ଼ା ଜେଲ୍‌ର ଜଣେ କର୍ମଚାରୀଙ୍କ ସୂଚନାନୁସାରେ ଜେଲ୍‌କୁ ଆସିବା ଦିନଠାରୁ ସେ ବହୁ ସମୟରେ ଗୁମ୍‌ସୁମ୍‌ ରହୁଛନ୍ତି ଓ ଭଲରେ ଖିଆପିଆ କରୁନାହାନ୍ତି। ତେଣୁ ତାଙ୍କ ଚେହେରାରେ କିଛିଟା ଅବନତି ଘଟିଛି। କିଛି ମହିଳା ଅନ୍ତେବାସୀ ସମର୍ଥନ କରି ତାଙ୍କ ମନବଳ ବଢ଼ାଉଥିବା ବେଳେ ଆଉ କିଛି ତାଙ୍କୁ ଘୃଣା ନଜରରେ ଦେଖୁଛନ୍ତି। ସେ ଅନ୍ତେବାସୀମାନଙ୍କ ସହ ସହଜରେ ମିଶିପାରୁନାହାନ୍ତି। ତେଣୁ ବହୁ ସମୟରେ ତାଙ୍କୁ ଏକୁଟିଆ ତଳକୁ ମୁହଁ କରି ବସିରହୁଥିବା ଦେଖିବାକୁ ମିଳୁଛି।