ଅଭିଲେଖ ସପ୍ତାହ ଆରମ୍ଭ, ରାଜ୍ୟ ଅଭିଲେଖାଗାରରେ ଆରମ୍ଭ ହେବ ସିନେ ଅଭିଲେଖ

ଭୁବନେଶ୍ବର: ରାଜ୍ୟ ଅଭିଲେଖାଗାରରେ ଆରମ୍ଭ ହେବ ସିନେ ଅଭିଲେଖ। ଏନେଇ ଆଜି ଅଭିଲେଖାଗାର ପରିସରରେ ଆୟୋଜିତ ସପ୍ତାହବ୍ୟାପୀ ‘ଅଭିଲେଖ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତାବ ରଖିଛନ୍ତି। ସେ ଏହି ଅବସରରେ କହିଛନ୍ତି, ଅଭିଲେଖାଗାର କଳେବର ବୃଦ୍ଧିର ଆବଶ୍ୟକତା ରହିଛି। ରାଜଧାନୀରେ ସଂସ୍କୃତି ବିଭାଗର ବିଭିନ୍ନ ଅନୁଷ୍ଠାନ ଗଢ଼ି ଉଠିଥିବା ଯୋଗୁଁ ଏଗୁଡ଼ିକର ମହତ୍ବ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। ଏଣୁ ଏସବୁ ଅନୁଷ୍ଠାନଗୁଡ଼ିକ ବଞ୍ଚାଇ ରଖିବାକୁ ପ୍ରୟାସ ହେବା ଆବଶ୍ୟକ। ଏ ପର୍ଯ୍ୟନ୍ତ ରାଜ୍ୟ ଅଭିଲେଖାଗାର ୧୦ ଲକ୍ଷରୁ ଊର୍ଧ୍ବ ଦସ୍ତାବିଜକୁ ଡିଜିଟାଇଜେସନ୍‌ କରିସାରିଛି। ଏବେ ରାଜ୍ୟ ଅଭିଲେଖାଗାରରେ ସିନେ ଅଭିଲେଖ ଆରମ୍ଭ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଗତବର୍ଷ ଅଭିଲେଖ ସପ୍ତାହ ପାଳନ ଅବସରରେ ଓଡ଼ିଆ ସିନେମା ପତ୍ରିକାଗୁଡ଼ିକର ମଲାଟ ପୃଷ୍ଠା ଉପରେ ଏକ ଅଭିନବ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ହାତଲେଖା ଚିଠି, ପ୍ରେରିତ ପତ୍ର ଭଳି ଅନେକ ମୂଲ୍ୟବାନ ଦସ୍ତାବିଜର ଫଟୋଚିତ୍ର ପ୍ରଦର୍ଶନ କରାଯାଇଛି।

ଏହି ଅବସରରେ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଇତିହାସ ଗବେଷକ ତଥା ସମୀକ୍ଷକ ପ୍ରାଧ୍ୟାପକ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇ ‘ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ’ ସମ୍ପର୍କରେ ତାଙ୍କର ଗଭୀର ଅନୁଧ୍ୟାନମୂଳକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନେକ ମୂଲ୍ୟବାନ ଦସ୍ତାବିଜ ହାସଲ ହେଉ ନଥିବା ଯୋଗୁଁ କେତେକ ଗୁରୁତ୍ବପୂର୍ଣ୍ଣ ଘଟଣାର ଅସଲ କାରଣ ଆକଳନ କରାଯାଇ ପାରୁନାହିଁ ବୋଲି କହିଥିଲେ। ଅଭିଲେଖାଗାରକୁ ଜୀବନ୍ତ ରଖିବାକୁ ହେଲେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହିତ ଆଧୁନିକ ଜ୍ଞାନକୌଶଳର ଉପଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଅଭିଲେଖାଗାରର ଅଧୀକ୍ଷକ ଶେଖ୍‌ ସୁଲେମାନ ଅଲ୍ଲୀ ବାର୍ଷିକ ବିବରଣୀ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟବକ୍ତା ପ୍ରାଧ୍ୟାପକ ପଟ୍ଟନାୟକ ଓ କାର୍ଯ୍ୟକ୍ରମ ସଂଚାଳକ ମୃତ୍ୟୁଞ୍ଜୟ ରଥଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର