୭ କୋଟି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ: ଅର୍ସି ଭେଞ୍ଚର୍ସର ଅଧିକାରୀ ଗିରଫ

ଭୁବନେଶ୍ବର : ଜାଲ୍‌ ଇନ୍‌ଭଏସ୍‌ ବଳରେ ୭ କୋଟି ୩୦ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ହଡ଼ପ କରିଥିବା ଅର୍ସି ଭେଞ୍ଚର୍ସ ସଂସ୍ଥାର ଅଧିକୃତ ଅଧିକାରୀ ରୋହିତ ବେର୍ଲିଆକୁ ଗିରଫ କରିଛି ଜିଏସ୍‌ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ(ଡିଜିଜିଆଇ)ର ଭୁବନେଶ୍ବର ଆଞ୍ଚଳିକ ୟୁନିଟ୍‌। ଗତକାଲି ରୋହିତଙ୍କୁ ଗିରଫ କରାଯିବା ପରେ ଏହି ଚୋରା କାରବାର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଆଜି ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ୭କୋଟି ୩୦ ଲକ୍ଷ ଟଙ୍କା ଆଇଟିସି ହାସଲ କରିବା ପାଇଁ ରୋହିତ ୪୦ କୋଟି ୫୦ ଲକ୍ଷ ଟଙ୍କାର ଫେକ୍‌ ଇନ୍‌ଭଏସ୍‌ ତିଆରି କରିଥିଲେ। ଏହା ବ୍ୟତୀତ ସେ ସାମଗ୍ରୀ ନ ଯୋଗାଇ ବିଭିନ୍ନ ଫାର୍ମକୁ ଆଇଟିସି ଦେଇଥିବା କାଗଜପତ୍ରରେ ଦର୍ଶାଇଥିଲେ। ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି। ଠକେଇ ବାବଦରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବାକୁ ରହିଥିବା ସୂଚନା ଦେଇଛି ଡିଜିଜିଆଇ ଭୁବନେଶ୍ବର ଆଞ୍ଚଳିକ ୟୁନିଟ୍‌। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବର ମାସରୁ ଡିଜିଜିଆଇ ଆରମ୍ଭ କରିଥିବା ସ୍ବତନ୍ତ୍ର ଡ୍ରାଇଭ୍‌ରେ ଅନେକ ସଫଳତା ମିଳିଛି। ଏଡିଜି ଦେବାଶିଷ ସାହୁଙ୍କ ନେତୃତ୍ବରେ ଚଢ଼ଉ ବଢ଼ିବା ସହ ଗିରଫଦାରୀ ମଧ୍ୟ ବଢ଼ିଛି। ଗତ ମାସ ସୁଦ୍ଧା ୧ହଜାର ୧୦ କୋଟିର କାରବାରରେ ୨୦୨.୦୭ କୋଟି ଟଙ୍କା କର ଆଦାୟ ହୋଇଛି।

ସମ୍ବନ୍ଧିତ ଖବର