ଭୁବନେଶ୍ବର/ବାଲିଅନ୍ତା ବଜାର: ବର୍ଷେ ହେଲା ରାଜଧାନୀ ଉପକଣ୍ଠରେ ବିଭିନ୍ନ ଆପାର୍ଟମେଣ୍ଟରୁ ସିନ୍ଧିଚୋରି କରି କମିସନରେଟ୍ ପୁଲିସର ନିଦ ହଜେଇ ଦେଇଥିବା ସିନ୍ଧିଚୋର ଗ୍ୟାଙ୍ଗ୍ର ମୁଖିଆ ମଧ୍ୟପ୍ରଦେଶ ରାଜାଗଡ଼ର ଅର୍ଜୁନ ଅନାରେ ଶେଷରେ ପୁଲିସ ଗୁଳିରେ ଘାଇଲା ହୋଇଛି। ଗତକାଲି ରାତି ପ୍ରାୟ ୩ଟା ସମୟରେ ବାଲିଅନ୍ତା ଥାନା ପୁଲିସ ସହ ଅର୍ଜୁନ ଗ୍ୟାଙ୍ଗ୍ର ମୁହାଁମୁହିଁ ହୋଇଥିଲା। ପିଛା କରୁଥିବା ପୁଲିସ ଟିମ୍ ହାବୁଡ଼ରୁ ଖସି ପଳାଇବାକୁ ୩ ବାଇକ୍ରେ ଥିବା ୫ଜଣ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଗ୍ୟାଙ୍ଗ୍ ମୁଖିଆ ଅର୍ଜୁନ ଘାଇଲା ହୋଇ ଧରାପଡ଼ିଥିଲା। ତା’ର ବାମଗୋଡ଼ରେ ଗୁଳି ବାଜିଛି। ତାକୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। କିନ୍ତୁ ଅନ୍ୟ ୪ ଜଣ ୨ ବାଇକ୍ରେ ଖସିଯିବାରେ ସଫଳ ହୋଇଥିଲେ। ଏନେଇ ବାଲିଅନ୍ତା ଥାନା ପୁଲିସ ପକ୍ଷରୁ ଖବର ପାଇ ସ୍ପେସାଲ୍ ସ୍କ୍ବାଡ୍, ପାହାଳ ଓ ଧଉଳି ଥାନା ପୁଲିସ ଘଟଣାସ୍ଥଳକୁ ଛୁଟିଆସିଥିଲେ ଏବଂ ଖସି ପଳାଇଥିବା ୪ଜଣଙ୍କୁ ଠାବ କରିବାକୁ ପୁଲିସ ଟିମ୍ ଚାରିଆଡ଼କୁ ଖେଦି ଯାଇଥିଲା। ସେମାନେ ଯେମିତି ଓଡ଼ିଶା ବାହାରକୁ ଖସି ନଯିବେ, ସେଥିପାଇଁ କମିସନରେଟ୍ ପୁଲିସ ପୁରୀ, ଜଗତସିଂହପୁର, କଟକ ସମେତ ଛତିଶଗଡ଼ ଓ ଝାରଖଣ୍ଡ ସୀମାବର୍ତ୍ତୀ ଜିଲ୍ଲା ପୁଲିସ ସହ ଯୋଗାଯୋଗ କରିଛି। ‘ଧର ଗ୍ୟାଙ୍ଗ୍’ଭାବେ ପରିଚିତି ଲାଭ କରିଥିବା ଏହି ଗ୍ୟାଙ୍ଗ୍ର ଫେରାର ସଦସ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି, ଧଉଳି, ବାଲିଅନ୍ତା ଓ ପାହାଳ ଥାନା ଅଞ୍ଚଳରେ ବର୍ଷେ ହେଲା ଘନଘନ ସିନ୍ଧିଚୋରି ହୋଇଆସୁଥିଲା। ବର୍ଷକ ଭିତରେ ୭୦ ପାଖାପାଖି ସିନ୍ଧିଚୋରି ହୋଇଛି।
ଏହି ଗ୍ୟାଙ୍ଗ୍ ଯୋଗୁ ବରିଷ୍ଠ ନାଗରିକମାନଙ୍କ ଭିତରେ କୋକୁଆଭୟ ଖେଳିଯାଇଥିଲା। ଅନ୍ୟପକ୍ଷରେ ଏତେ ଚୋରି ପରେ ବି ଏହି ଗ୍ୟାଙ୍ଗ୍ର ଟେର୍ ପାଇପାରୁ ନଥିବାରୁ କମିସନରେଟ୍ ପୁଲିସକୁ ବହୁ କଟୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସେହିଭଳି ସ୍ପେସାଲ୍ ସ୍କ୍ବାଡ୍ ସହିତ ପାହାଳ, ବାଲିଅନ୍ତା ଓ ଧଉଳି ଥାନା ପୁଲିସ ରୀତିମତ ଯୋଗାଯୋଗରେ ରହି ଏହି ଗ୍ୟାଙ୍ଗ୍କୁ ଠାବ କରିବାକୁ ଲାଗିଥିଲେ। ରବିବାର ରାତି ପ୍ରାୟ ୩ଟା ବେଳେ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ରଙ୍ଗବଜାର ନିକଟରେ ୩ ବାଇକ୍ରେ ଥିବା ୫ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ମୁଖାପିନ୍ଧା ଦୁର୍ବୃତ୍ତମାନେ ଖମଙ୍ଗ ଦିଗରୁ ଆସୁଥିଲେ। ପୁଲିସ ଟିମ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ଅଟକି ନଥିଲେ। ତେଣୁ ବାଲିଅନ୍ତା ଥାନା ପୁଲିସ ଟିମ୍ ସେମାନଙ୍କୁ ପିଛା କରିବା ସହ ପାହାଳ ଥାନା, ସ୍ପେସାଲ୍ ସ୍କ୍ବାଡ୍ ଟିମ୍-୬୦କୁ ଯୋଗାଯୋଗ କରିଥିଲା। ଦୁର୍ବୃତ୍ତମାନେ ହଂସପାଳ-ସାଇଫନ୍ ରାସ୍ତାରେ ଦ୍ରୁତବେଗରେ ବାଇକ୍ ଚଳାଉଥିଲେ। କିନ୍ତୁ ସମ୍ମୁଖରୁ ପୁଲିସ ଭ୍ୟାନ୍ ଦେଖି ସେମାନେ ଅଟଳାଗଡ଼ା ନିକଟରେ ରାସ୍ତା ତଳକୁ ଏକ ଗଳି ରାସ୍ତାକୁ ବାଇକ୍ ଗଡ଼ାଇଥିଲେ। କିନ୍ତୁ ଉକ୍ତ ଗଳିରାସ୍ତାଟି ଏକ ପଡ଼ିଆ ଭିତରକୁ ଲମ୍ବିଥିବାରୁ ସେମାନେ ଆଗକୁ ଯିବାର ବାଟ ପାଇ ନଥିଲେ। ତେଣୁ ସେମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ମାତ୍ର ଏଥିପାଇଁ ସତର୍କ ଥିବା ପୁଲିସ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ପୁଲିସ ଗୁଳିରେ ଅର୍ଜୁନ ଅନାରେ ଆହତ ହୋଇ ତଳେ ପଡ଼ିଯାଇଥିଲା। କିନ୍ତୁ ଗୁଳି ବିନିମୟ ଭିତରେ ୪ ଦୁର୍ବୃତ୍ତ ବାଇକ୍ ଛାଡ଼ି ଅନ୍ଧାରରେ ଦୌଡ଼ିଦୌଡ଼ି ଖସିଯିବାରେ ସକ୍ଷମ ହୋଇଥିଲେ। ପୁଲିସ ଅର୍ଜୁନକୁ କାବୁ କରିଥିଲା। ଘଟଣାସ୍ଥଳରୁ ପୁଲିସ ଗୋଟିଏ ୭.୬୬ ଏମ୍ଏମ୍ ଦେଶୀ ପିସ୍ତଲ, ୩ଟି ଅଫୁଟା ଗୁଳି ଓ ୩ ବାଇକ୍ ଜବତ କରିଛି। ସେହିଭଳି ଅର୍ଜୁନ ପାଖରୁ ଏକ କଳାରଙ୍ଗର ବ୍ୟାଗ୍ ମିଳିଛି। ସେଥିରେ ପାଖାପାଖି ୧୦୦ ଗ୍ରାମ୍ ଓଜନର ସୁନା ଅଳଙ୍କାର, ୫୦୦ ଗ୍ରାମ୍ର ରୁପା ଅଳଙ୍କାର, ନଗଦ ୧୮ ହଜାର ଟଙ୍କା,ଦୁଇଟି ମୋବାଇଲ ଫୋନ୍ ଓ ଗ୍ରିଲ୍ ତାଡ଼ିବାକୁ ବ୍ୟବହାର ହେଉଥିବା ଉପକରଣ ଜବତ କରାଯାଇଛି।
୨ ବର୍ଷ ପରେ ଗର୍ଜିଲା ପୁଲିସ ବନ୍ଧୁକ, ‘ଧର୍ ଗ୍ୟାଙ୍ଗ୍’ ମୁଖ୍ୟ ଧରାଶାୟୀ
ଭୁବନେଶ୍ବର: ବର୍ଷେ ହେଲା ପୁଲିସକୁ ନାକେଦମ୍ କରି ଦେଇଥିଲେ। କେତେବେଳେ ଧଉଳି ତ କେବେ ପୁଣି ପାହାଳ। କେତେବେଳେ ଚନ୍ଦକା ତ କେବେ ଇନ୍ଫୋଭ୍ୟାଲି। ପୂରା ସହରର ଉପକଣ୍ଠରେ ଚଳାଇଥିଲେ ଆତଙ୍କ। ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଉଥିଲେ। ଏହି ସିନ୍ଧିଚୋର ଗ୍ୟାଙ୍ଗ୍ ଗୋଟିକ ପରେ ଗୋଟିଏ ଲୁଟ୍ କରିଚାଲିଥିଲେ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ସେମାନେ ରାତିରେ ବୁଲିବୁଲି ସିନ୍ଧିଚୋରି ଚଳାଇଥିଲେ। ପୁଲିସ ସେମାନଙ୍କୁ ଧରି ପାରୁନଥିଲା। ତେଣୁ ବଦନାମ୍ର କଳଙ୍କ ଟିକା ପିନ୍ଧିଥିଲା ପୁଲିସ। ଶେଷରେ ପୁଲିସ ମୁହଁତୋଡ ଜବାବ ଦେଇଛି। ୨ ବର୍ଷ ପରେ ପୁଲିସ ବନ୍ଧୁକ ଗର୍ଜିଛି। ଗତକାଲି ରାତିରେ ପୁଲିସ ଏନ୍କାଉଣ୍ଟର୍ରେ ସିନ୍ଧିଚୋର ଗ୍ୟାଙ୍ଗ୍ର ମୁଖିଆ ଅର୍ଜୁନ ଅନାରେ(୩୦) ଆହତ ହୋଇଛି। ତା’ ଗ୍ୟାଙ୍ଗ୍ର ଅନ୍ୟ ୪ଜଣ ଘଟଣାସ୍ଥଳରୁ ଖସି ଯାଇଛନ୍ତି, କିନ୍ତୁ ପୁଲିସ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି କହିଛି।
ମଧ୍ୟପ୍ରଦେଶ ଧର୍ ଜିଲ୍ଲାର ‘ଧର୍ ଗ୍ୟାଙ୍ଗ୍’
ଏନ୍କାଉଣ୍ଟରରେ ଆହତ ହୋଇଥିବା କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଅର୍ଜୁନ୍ର ଘର ମଧ୍ୟପ୍ରଦେଶର ଧର୍ ଜିଲ୍ଲା ଅନ୍ତର୍ଗତ ରାଜାଗଡ଼ ଅଞ୍ଚଳରେ। ଅର୍ଜୁନ ଯେଉଁ ସମ୍ପ୍ରଦାୟର, ସେମାନେ ସାଧାରଣତଃ ଏମିତି ଲୁଟ୍ପାଟ୍ କରିବାରେ ମାହିର। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏରାଗୋଲା ସମ୍ପ୍ରଦାୟ ଭଳି ଧର୍ ଜିଲ୍ଲା ରାଜାଗଡ଼ର ଏହି ସମ୍ପ୍ରଦାୟର ଲୋକେ ଚୋରିରେ ଓସ୍ତାଦ। ଅର୍ଜୁନ ଗ୍ୟାଙ୍ଗ୍ ସେଠିକା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ତେଣୁ ପ୍ରାୟ ବର୍ଷେ ହେଲା ସେମାନେ ଓଡ଼ିଶା ଚାଲି ଆସିଥିଲେ। ଦଶହରା ସମୟରେ ରାଜଧାନୀକୁ ଆସି ଡେରା ପକାଇଥିଲେ। ରାଜଧାନୀ ଉପକଣ୍ଠରେ ଗଢ଼ିଉଠିଥିବା ନୂଆ ନୂଆ କଲୋନିକୁ ଟାର୍ଗେଟ୍ କରିଥିଲେ। ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଥିବା ବହୁ ଆପାର୍ଟମେଣ୍ଟ ସେମାନଙ୍କୁ ଚୋରି କରିବାକୁ ମଉକା ଦେଉଥିଲା। ତେଣୁ ବାଲିଅନ୍ତା, ବାଲିପାଟଣା, ଧଉଳି, ଚନ୍ଦକା ଓ ପାହାଳ ଆଦି ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ଲୁଟ୍ପାଟ୍ କରୁଥିଲା। କେବଳ ଓଡ଼ିଶା ନୁହେଁ, ଏହି ଗ୍ୟାଙ୍ଗ୍ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଆଦି ରାଜ୍ୟରେ ମଧ୍ୟ କାରନାମା ପ୍ରଦର୍ଶନ କରିଛି।
୩ ବର୍ଷରେ ୪ ଏନ୍କାଉଣ୍ଟର
୨୦୨୨ ମେ’ ୧୧ରେ କୁଖ୍ୟାତ ଅପରାଧୀ ଚକରା ବାରିକକୁ ପୁଲିସ ଏନ୍କାଉଣ୍ଟର କରିଥିଲା। ଚକରା ଗ୍ୟାଙ୍ଗ୍ ଡକାୟତି ପାଇଁ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇଥିବା ବେଳେ ସ୍ପେସାଲ୍ ସ୍କ୍ବାର୍ଡ ଏନ୍କାଉଣ୍ଟର କରିଥିଲା। ଏହାର ଠିକ୍ ୧୦ ମାସ ପରେ ଅର୍ଥାତ ୨୦୨୩ ମାର୍ଚ୍ଚ ୨୫ ତାରିଖ ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲ୍ଲେଇ ଓରଫ ଜିତୁକୁ ଏନ୍କାଉଣ୍ଟର କରାଯାଇଥିଲା। ସେହି ଏନ୍କାଉଣ୍ଟରର ୯ମାସ ପରେ ପୁଣି ଡିସେମ୍ବର ୨୮ ତାରିଖରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଓରଫ ରଘୁ ପୁଲିସ ଗୁଳିରେ ଆହତ ହୋଇଥିଲା। ଏହାପରଠୁ ଆଉ ପୁଲିସ ବନ୍ଧୁକରେ ଏନ୍କାଉଣ୍ଟର ହୋଇନଥିଲା। ଦୁଇ ବର୍ଷ ପରେ ରବିବାର ରାତିରେ ପୁଲିସ ଗୁଳିରେ ଧର୍ ଗ୍ୟାଙ୍ଗ୍ର ମୁଖିଆ ଧରାଶାୟୀ ହୋଇଛି।
ନିଶାଣରେ ଉପକଣ୍ଠର ଖାଲି ଘର
ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ବିଭିନ୍ନ ରାଜ୍ୟକୁ ବସ୍ କିମ୍ବା ଟ୍ରେନ୍ରେ ଯାଇଥାଆନ୍ତି। ସହର ଉପକଣ୍ଠକୁ ଟାର୍ଗେଟ୍ କରନ୍ତି। ଯେଉଁ ଅଞ୍ଚଳକୁ ଯାଆନ୍ତି, ସେଠାରେ ବାଇକ୍ ଚୋରି କରନ୍ତି। ଚୋରା ବାଇକ୍ର ଚେହେରା ବଦଳାଇ ଘୂରିବୁଲନ୍ତି। ଦିନରେ ବୁଲିବୁଲି ଖାଲି ଘର, ତାଲା ପଡ଼ିଥିବା ଘରକୁ ରେକି କରନ୍ତି। ବେଶ୍ ବିଚକ୍ଷଣ ଏହି ଗ୍ୟାଙ୍ଗ୍ ନିର୍ଭୟରେ ପାଚେରି ଡେଇଁ ଆପାର୍ଟମେଣ୍ଟକୁ ପଶିଯାଆନ୍ତି। ଏମାନଙ୍କ ଅପରେସନ୍ ସମୟ ରାତି ସାଢ଼େ ୧ରୁ ସାଢ଼େ ୩ଟା ମଧ୍ୟରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନେ ଯେଉଁ ଅଞ୍ଚଳରେ ଚୋରି କରନ୍ତି, ସେଠାକୁ ମୋବାଇଲ୍ ନିଅନ୍ତି ନାହିଁ। ନିଶାଣରେ ଥିବା ଆପାର୍ଟମେଣ୍ଟକୁ ବାଇକ୍ ନେଇ ଯାଆନ୍ତି। କିନ୍ତୁ ବାଇକ୍ଗୁଡ଼ିକୁ ବେଶ୍ କିଛି ଦୂରରେ ରଖି ଆପାର୍ଟମେଣ୍ଟକୁ ଚାଲିଚାଲି ଯାଆନ୍ତି। ଚୋରି କରିବା ପରେ ସେମିତି ଚାଲିଚାଲି ବାଇକ୍ ନିକଟକୁ ଫେରିଆସନ୍ତି।
ଧରାପକାଇଲା ପୁରୀରୁ ଚୋରି ବାଇକ୍
କିଛି ଦିନ ତଳେ ଏହି ଗ୍ୟାଙ୍ଗ୍ ପୁରୀରେ ଡେରା ପକାଇଥିଲା। ୧୧ତାରିଖରେ ପୁରୀରୁ ୨ଟି ବାଇକ୍ ଚୋରି କରିଥିଲେ। ସେହି ବାଇକ୍କୁ ବ୍ୟବହାର କରି ଲୁଟ୍ପାଟ୍ କରୁଥିଲେ। ପୁରୀରୁ ଚୋରି ହୋଇଥିବା ବାଇକ୍କୁ ନେଇ ପୁଲିସ ସେମାନଙ୍କ ପିଛା କରିଥିଲା। ଉକ୍ତ ବାଇକ୍ ରାଜଧାନୀରେ କେଉଁଠି ବୁଲୁଛି, ପୁଲିସ ତା’ ଉପରେ କଡ଼ା ନଜର ରଖିଥିଲା। ଧଉଳିରୁ ପାହାଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରୁ ଏହି ବାଇକ୍ ଦୁଇଟିକୁ ପୁଲିସ ଖୋଜିଥିଲା। ଶେଷରେ ସିସିଟିଭି ଫୁଟେଜ୍ରୁ ବାଇକ୍ଦ୍ବୟକୁ ଚିହ୍ନଟ କରାଯାଇଥିଲା ଏବଂ ସେହି ସୂଚନା ଆଧାରରେ ପୁଲିସ ବାଲିଅନ୍ତା ଅଞ୍ଚଳରେ କଡ଼ା ପହରା ଦେଇଥିଲା। ଉକ୍ତ ବାଇକ୍ଦ୍ବୟକୁ ଠାବ କରିବାକୁ ପୁଲିସ ଟିମ୍ ଘନଘନ ପଇଁତରା ମାରୁଥିଲା। ଶେଷରେ ଗତକାଲି ସେମାନେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ।