ଆଜି ସେନା ଦିବସ : ସୈନିକଙ୍କୁ ଅଧିକ ସମ୍ମାନ ଓ ବିଶ୍ୱାସ ଲୋଡ଼ା

ଭୁବନେଶ୍ୱର : ଜାନୁଆରି ୧୫। ସେନା ଦିବସ। ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ। ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍‌ କେସ କରିୟମ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

ଭାରତୀୟ ସେନାଙ୍କ ସାହସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥା’ନ୍ତି। ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅତୁଳନୀୟ ଅବଦାନ ରହିଛି। ପୁଣି ଦେଶର ଯେ କୌଣସି ସ୍ଥାନରେ ହିଂସାକାଣ୍ଡ ଅଣାୟତ୍ତ ହେଲେ ସେଠାରେ ବି ଖୋଜାପଡ଼େ ଭାରତୀୟ ସେନାକୁ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେନାଙ୍କ କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ। କିନ୍ତୁ ସୈନିକମାନଙ୍କୁ ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଅନୁଯାୟୀ ଯେତିକି ସମ୍ମାନ ମିଳିବା କଥା ତାହା ମିଳୁ ନାହିଁ ବୋଲି ଅଭିଯୋଗ ହେଉଛି। ସୈନିକଙ୍କ ବଳିଦାନ ପରେ ତାଙ୍କ ପରିବାରବର୍ଗଙ୍କୁ ଯେପରି ସରକାରୀ ସହଯୋଗ ମିଳିବା କଥା, ତାହା ମଧ୍ୟ ହେଉ ନାହିଁ। କେବଳ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ସେମାନଙ୍କୁ ସମ୍ମାନିତ କରି ସରକାର ତାଙ୍କ ଦାୟିତ୍ୱ ସାରିଦିଅନ୍ତି। ଏ ନେଇ ସୈନିକମାନଙ୍କର ବେଶ୍‌ ଅସନ୍ତୋଷ ବି ରହିଛି।

କିଛି ସ୍ଥାନରେ ସାଧାରଣ ଜନତାଙ୍କ ଉପରେ ସେନାର ଅତ୍ୟାଚାର ନେଇ ମଧ୍ୟ ଅଭିଯୋଗ ଆସିଛି। ପ୍ରତିବାଦର ସ୍ୱର ଶୁଭିଛି। ସେନା ଭିତରେ ମଧ୍ୟ ନିର୍ଯ୍ୟାତନାର ଅଭିଯୋଗ ହୋଇଛି। ଏସବୁ ସତ୍ତ୍ୱେ ଭାରତୀୟ ସେନାର ବିଶ୍ୱସନୀୟତା ସଙ୍କଟକୁ ଯାଇ ନାହିଁ। ସେନା ଦିବସ ଅବସରରେ କେତେ ଜଣ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

ଭାରତୀୟ ସେନା ଏବେ ଖୁବ୍‌ ଶକ୍ତିଶାଳୀ

ସେନାର ଅବସରପ୍ରାପ୍ତ ଅଧିକାରୀ ଓ୍ଵିଙ୍ଗ୍‌ କମାଣ୍ଡର୍‌ ନନ୍ଦ କିଶୋର ସାମଲ କୁହନ୍ତି, ଭାରତୀୟ ସେନା ପୃଥିବୀର ଏକ ବଡ଼ ସେନା ରୂପେ ପରିଚିତ। ଦେଶରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେନା ସର୍ବଦା ସଜାଗ ରହିଥାଏ। କିନ୍ତୁ ଅନେକ ସ୍ଥାନରେ ଦେଖାଯାଏ ଯେ ଜଣେ ସରପଞ୍ଚ ବା ମନ୍ତ୍ରୀଙ୍କୁ ଯେତିକି ସମ୍ମାନ ମିଳେ, ସେନାବାହିନୀର ଜଣେ ଅଧିକାରୀଙ୍କୁ ସେତିକି ସମ୍ମାନ ମିଳି ନ ଥାଏ। ଏହା ଆମକୁ କଷ୍ଟ ଦେଇଥାଏ। ଅନେକ ସମୟରେ ସେନା ବିରୋଧରେ ଆସଥିବା ଅଭିଯୋଗ କହିବାକୁ ଗଲେ ଭିତ୍ତିହୀନ । ସେନାବାହିନୀରେ କାମ କରୁଥିବା ଲୋକ ଜଣେ ଜଣେ ସାଧାରଣ ମଣିଷ। ପୂର୍ବଠାରୁ ଭାରତୀୟ ସେନା ଏବେ ଅଧିକ ଶକ୍ତିଶାଳୀ ହୋଇଗଲାଣି। ଏପରିକି ଅବସର ପରେ ମଧ୍ୟ ସେନାରେ କାମ କରୁଥିବା ଲୋକମାନେ ଦେଶ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଥା’ନ୍ତି।
ନନ୍ଦ କିଶୋର ସାମଲ, ଅବସରପ୍ରାପ୍ତ ଓ୍ଵିଙ୍ଗ୍‌ କମାଣ୍ଡର

ଆମ ସେନା ବିଶ୍ୱ ପାଇଁ ଉଦାହରଣ

ପାରାଚ୍ୟୁଟ ରେଜିମେଣ୍ଟର ଅବସରପ୍ରାପ୍ତ ଅଧିକାରୀ ହେଲେ ଗୋଲେଖ ଚନ୍ଦ୍ର ରାଉତ। ସେ କହିଛନ୍ତି, ବିଶ୍ୱର ଅନ୍ୟତମ ବୃହତ୍ତମ ସେନାର ଅଂଶ ରହିଥିବାରୁ ମୁଁ ଗର୍ବ ଅନୁଭବ କରେ। ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢ଼େଇ ବିଶ୍ୱ ପାଇଁ ଉଦାହରଣ। ସେନା ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ ଆସେ ସତ। କିନ୍ତୁ ଏଯାବତ ସେନା ଏହି ଅଭିଯୋଗ ପ୍ରମାଣିତ ହୋଇପାରିନାହିଁ। ସେଥିପାଇଁ ସେନାର ଆଭିମୁଖ୍ୟ ସର୍ବଦା ସ୍ୱଚ୍ଛ ରହିଛି। ଯିଏ ଦୋଷ କରି, ସେ ଦଣ୍ଡ ପାଇବ। ଏଥିରେ ଭାରତୀୟ ସେନା କୌଣସି ପ୍ରକାରର ସାଲିସ୍‌ କରେ ନାହିଁ। ଏହା ସହିତ ଦେଶବାସୀଙ୍କ ଭଲ ପାଇବା ଓ ବିଶ୍ୱାସ ସର୍ବଦା ରହିଛି, ଯାହାର ପ୍ରତିଫଳନ କାରଗିଲ ଓ ପୂର୍ବ ସମସ୍ତ ଯୁଦ୍ଧରେ ଦେଖିବାକୁ ମିଳିଛି।
ଗୋଲେଖ ଚନ୍ଦ୍ର ରାଉତ, ପାରାଚ୍ୟୁଟ ରେଜିମେଣ୍ଟର ଅବସରପ୍ରାପ୍ତ ଅଧିକାରୀ

ଯୁବପିଢ଼ି ଅଧିକ ସଂଖ୍ୟାରେ ସେନାରେ ଯୋଗ ଦିଅନ୍ତୁ

ଅବସରପ୍ରାପ୍ତ କର୍ଣ୍ଣେଲ ବୀରେନ୍ଦ୍ର ବସ୍ତିଆ କୁହନ୍ତି, ଭାରତୀୟ ସେନାର ନିଷ୍ଠା, ଦେଶପ୍ରେମ ଓ ପରିଶ୍ରମ ସମସ୍ତ ପ୍ରଶ୍ନବାଚୀରୁ ଊର୍ଧ୍ୱରେ। ଦେଶର ପ୍ରତ୍ୟେକ ନାଗରିକ ସେନା ଉପରେ ବିଶ୍ୱାସ ରଖନ୍ତୁ ଓ ସମ୍ମାନ ଦିଅନ୍ତୁ। ଯାହାଦ୍ୱାରା ସେନାର ମନେବଳ ଦୃଢ଼ ରହିବ। ଯେ କୌଣସି ବିପଦରେ ଦେଶବାସୀଙ୍କ ପାଖରେ ସେନା ଦୃଢ଼ତାର ସହ ଠିଆ ହୋଇପାରିବ। ଅଧିକ ସଂଖ୍ୟାରେ ଯୁବପିଢ଼ି ସେନାରେ ଯୋଗ ଦେଇ ସେନାର ଶକ୍ତି ବୃଦ୍ଧି କରନ୍ତୁ। ସେନା ଦୁର୍ବଳ ହେଲେ ଦେଶର ଶକ୍ତି ହ୍ରାସ ପାଇବ। ଉଭୟ ସରକାର ଓ ସାଧାରଣ ନାଗରିକଙ୍କର ଏଥି ପ୍ରତି କର୍ତ୍ତବ୍ୟ ରହିଛି।
ବୀରେନ୍ଦ୍ର ବସ୍ତିଆ, ଅବସରପ୍ରାପ୍ତ କର୍ଣ୍ଣେଲ

ସମ୍ବନ୍ଧିତ ଖବର