ଅର୍ପଣ ନାଟ୍ୟ ଉତ୍ସବ : କ୍ଷମତାର ଲାଳସାରେ ବଳି ପଡ଼ୁଛି ନିରୀହ ଜୀବନ

ଭୁବନେଶ୍ବର : କ୍ଷମତାର ଲାଳସାକୁ ଚରିତାର୍ଥ କରିବା ପାଇଁ ଜଣେ ଅନ୍ୟ ଜଣଙ୍କର ଜୀବନ ନେବାକୁ ବି ପଛାଏ ନାହିଁ। ଏଇଥିରେ ବଳି ପଡ଼ନ୍ତି ନିରୀହ ଗାଉଁଲି ଯୁବକ ଯୁବତୀ। ସେମାନଙ୍କୁ ଆୟୁଧ କରି କ୍ଷମତାର ଶିଡ଼ି ଚଢ଼ୁଥିବା ସେଇ କ୍ଷମତାଲୋଭୀ ମଣିଷମାନେ ଥରେ ଚିନ୍ତା କରନ୍ତି ନାହିଁ ସେ ବ୍ୟବହାର କରିଥିବା ଲୋକଟା ବି ଗୋଟେ ମଣିଷ। ଏଇଭଳି ଏକ କଥାବସ୍ତୁ ଆଧାରରେ ଆଜି ସ୍ଥାନୀୟ ଭଂଜ କଳା ମଣ୍ଡପ‌ରେ ମଂଚସ୍ଥ ହୋଇଥିଲା ନାଟକ ‘ପାଗେଳୀ ରାଧା’। ଅର୍ପଣ ନାଟ୍ୟ ଉତ୍ସବ ଅବସରରେ ମଂଚସ୍ଥ ଏହି ନାଟକର ରଚନା ରବୀନ୍ଦ୍ରନାଥ ଦାସ କରିଥିବା ବେଳେ ନିର୍ଦେଶନା ଓ ସଂଗୀତ ଦେଇଥିଲେ ସୁଶାନ୍ତ କୁମାର ଶତପଥୀ। ଅଭିନୟ କରିଥିଲେ ଚିତ୍ତରଂଜନ, ବିମଳ, ଜିତେନ୍ଦ୍ର, ବିନୁ, ଶାନ୍ତନୁ, ମାନସ, ପପି, ବେବି ଓ ଖଗେଶ୍ବର। ଏହି ଅବସରରେ ସନ୍ତୋଷ ବିଶ୍ବାଳ, ଦେବରଂଜନ ସାମଲ, ଲକ୍ଷ୍ମୀକାନ୍ତ ଦାସ, ସତ୍ୟନାରାୟଣ ରାଉତରାୟ ଏବଂ ନିର୍ମାଲ୍ୟ ପତିଙ୍କୁ ‘ଅର୍ପଣ ଶାନ୍ତି ଦେବୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ନାଟ୍ୟକାର ରବୀନ୍ଦ୍ରନାଥ ଦାସ, ନାଟ୍ୟ ନିର୍ଦେଶକ ତଥା ଅଭିନେତା ମନୋଜ ପଟ୍ଟନାୟକ, ଅଧ୍ୟାପକ ତଥା ନାଟ୍ୟ ନିର୍ଦେଶକ ରମାକାନ୍ତ ମିଶ୍ର, ନାଟ୍ୟକାର ବିଶ୍ବନାଥ ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ ସମ୍ମାନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର