ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ୍‌ ବିସ୍ଫୋରଣରେ ଜୀବିତଙ୍କୁ ମୃତ, ମୃତଙ୍କୁ ଜୀବିତ ବୋଲି ଭାବିନେବାରୁ ଯାହାସବୁ ହୋଇଥିଲା, ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଜ୍ୟୋତି ରଞ୍ଜନ ମଲ୍ଲିକ ଚିକିତ୍ସିତ ହେଉଛନ୍ତି ବୋଲି ନିଶ୍ଚିତ ହୋଇ ଅପେକ୍ଷାରେ ଥିବା ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ଆଜି ହଠାତ୍ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ଏମିତିକି ତାଙ୍କ ଶବଦାହ ମଧ୍ୟ ସରିଛି ବୋଲି ସେମାନଙ୍କୁ ଜଣାଇଦିଆଯାଇଥିଲା। ଏହି ଖବର ପାଇ ସେମାନେ ହତବାକ୍ ହୋଇଯାଇଥିଲେ। ସେମାନେ ବିଶ୍ବାସ କରିପାରିନଥିଲେ। ସେମାନେ ତାଙ୍କୁ ଫେରିପାଇବା ପାଇଁ ଜିଦ୍‌ ଧରିଥିଲେ। ଜୀବିତ ନ ହେଲେ ନାହିଁ, ତାଙ୍କ ମୃତ ଶରୀର ଫେରାଇବାକୁ କହିଥିଲେ। ଏହି ଦାବି ନେଇ ସେମାନେ ହସ୍ପିଟାଲ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ମଞ୍ଚେଶ୍ବର ଥାନା ପୁଲିସ, ଏଡିସିପି ପ୍ରକାଶ ପାଲ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା ପାଇଁ ସେମାନେ ପହଞ୍ଚିବା ପରେ ଜ୍ୟୋତିରଂଜନଙ୍କ ପରିବାର ଲୋକେ ସେମାନଙ୍କୁ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏମିତି କି ସେମାନଙ୍କ ଗୋଡ଼ ଧରିବାକୁ ବି ପଛାଇନଥିଲେ। ଶୋକ ଭିତରେ ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଏଭଳି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା ହସ୍ପିଟାଲ୍‌ ପରିସରରେ।

Advertisment

ବାଉନ୍ସରଙ୍କ ପାଇଁ ହୋଇପାରିଲାନି ଚିହ୍ନଟ
ଆହତଙ୍କୁ ଚିହ୍ନଟ ନହେବାର ପ୍ରମୁଖ କାରଣ ହେଉଛନ୍ତି ବାଉନ୍ସର। କାରଣ ଘଟଣା ଦିନ ବାଉନ୍ସରମାନେ ପରିବାର ଲୋକଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଯେଉଁଥିପାଇଁ ‌ଆହାତଙ୍କୁ ଚିହ୍ନଟ କରାଯାଇପାରି ନଥିଲା। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର। ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି।

ସରକାର ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଦାୟୀ
ଏଭଳି ଘଟଣା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ନେତା ଦିଲ୍ଲୀପ ମହାନ୍ତି। ସେ କହିଛନ୍ତି ଯେ ହସ୍ପିଟାଲର ମାଲିକ ବିଜେଡି ଦଳର ହୋଇଥିବାରୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି। ଅନ୍ୟପଟେ ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସହାୟତା ଦେବା ପାଇଁ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ହସ୍ପିଟାଲରୁ ସହାୟତା ଦିଆଯାଇନାହଁ ସେ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ରହି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କାନ୍ଦ ବୋବାଳିରେ ଫାଟିପଡ଼ିଲା ହସ୍ପିଟାଲ୍‌
ଜ୍ୟେତିରଂଜନଙ୍କ ମୃତ୍ୟୁ ଖବରକୁ ନେଇ ଆଜି ହସ୍ପିଟାଲ୍‌ ପରିସର କାନ୍ଦ ବୋବାଳିରେ ଫାଟିପଡ଼ିଥିଲା। ଯାହାଙ୍କୁ ୮ ଦିନ ଧରି ଚିକିତ୍ସା କରାଯାଉଥିଲା, ସେ ଯେ‌ ତାଙ୍କ ସ୍ବାମୀ ନୁହନ୍ତି, ଏହା ବିଶ୍ବାସ କରିପାରୁନଥିଲେ ସ୍ତ୍ରୀ ଅର୍ପିତା। ୩୦ ତାରିଖରୁ ସ୍ବାମୀଙ୍କ ମୃତ୍ୟୁ ଘଟିସାରିଛି। ଏଭଳି କଥାକୁ ପତ୍ନୀ ଅର୍ପିତା, ବାପା ରମେଶ ଓ ପରିବାର ବର୍ଗ କେହି ବି ବିଶ୍ବାସ କରିପାରି ନଥିଲେ। ଗୋଟିଏ ବୋଲି ପୁଅ ଜ୍ୟୋତିଙ୍କୁ ହରାଇବା ଦୁଃଖରେ ଭାଙ୍ଗିପଡ଼ିଛି ସମ୍ପୂର୍ଣ୍ଣ ପରିବାର।

ଜୀବିତ ନ ହେଲେ ମୃତଦେହ ଫେରାଅ
ହସ୍ପିଟାଲ୍‌ ବେଡ୍‌ରେ ଥିବା ଯୁବକଜଣକ ନିଜ ପୁଅ ନୁହେଁ ବୋଲି ଜାଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବାପା ରମେଶ କହିଛନ୍ତି, ମେଡିକାଲର ଭୁଲ୍‌ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି। ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି। ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ ବନ୍ଧା ହୋଇଥିବାରୁ ଜାଣିପାରିନଥିଲି। ତାକୁ ନାଁ ଧରି ଡାକିବାରୁ ସେ ମୁଣ୍ଡ ହଲାଉଥିଲା। ମାତ୍ର ଗତକାଲି ସେ ଭେଣ୍ଟିଲେଟରରୁ ବାହାରିଥିଲା। ଏହାପରେ ତାକୁ ଦେଖିବାକୁ ଯାଇ ନାଁ ଧରି ଡାକିବାରୁ ସେ ନିଜ ନାଁ ଦିଲୀପ ବୋଲି କହିଥିଲା। ଏହାପରେ ସନ୍ଦେହ ହେବାରୁ ତାର ଦୁଇ ଗୋଡ ଭଲଭାବେ ଚେକ୍‌ କରିଥିଲି । ମୋ’ ପୁଅ ଜ୍ୟୋତି ଗୋଡରେ ଦାଗ ଅଛି, ହେଲେ ତା’ ଗୋଡ଼ରେ ଦାଗ ନାହିଁ। ତେଣୁ ସେ ମୋ’ ପୁଅ ଜ୍ୟୋତି ନୁହଁ। ସଂସାର ବୁଡ଼ିଗଲା, ମୋର ଆଉ କେହି ନାହାନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧ ରମେଶ। ଏପରି ସାଂଘାତିକ ତ୍ରୁଟିକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଜ୍ୟୋତି ମଲ୍ଲିକଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ। ସେମାନେ କହିଛନ୍ତି, ‘ଯଦି ଦିଲ୍ଲୀପ ଜୀବିତ, ତା’ହାଲେ ଜ୍ୟୋତି କୁଆଡେ ଗଲା ? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ। ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ କେଉଁଠି ଅଛି? ଯଦି ଜ୍ୟୋତି ମୃତ, ତା’ହେଲେ ମୃତଦେହ ଫେରାଅ ବୋଲି ସେମାନେ ଦାବି କରିଛନ୍ତି। ଏନେଇ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।

ନାଇଟ୍ରୋଜେନ୍‌ ବଦଳରେ ଅକ୍ସିଜେନ୍‌‌!
ହାଇଟେକ୍‌ ଏସି ବିସ୍ଫୋରଣ ଘଟଣାରେ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଏସି ଟେକ୍ନିସିଆନ ଆସୋସିଏସନ। ଏସି ମରାମତି ସମୟରେ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷ ନାଇଟ୍ରୋଜନ ବଦଳରେ ଅକ୍ସିଜନ ଦେଇଥିଲେ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଯେଉଁଥିପାଇଁ ଏଭଳି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାକୁ ଅନେକ ଦିନ ବିତିଯାଇଥିଲେ ଏହାର ତଦନ୍ତ କରାଯାଉ ନାହିଁ। ତୁରନ୍ତ ଏହାର ତଦନ୍ତ କରାଯାଉ ବୋଲି ସଂଘ ସଭାପତି ଅମୀୟ ଧଳ ଦାବି କରିଛନ୍ତି।

publive-image

ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସଫେଇ
ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ନେଇ ତୁମ୍ବିତୋଫାନ ଦେଖାଦେବା ପରେ ନିଜ ଦୋଷ ଖସାଇବାକୁ ଉଦ୍ୟମ ଚଳାଇଛନ୍ତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ। ଆଜି ହାଇଟେକ୍‌ ମେଡିକାଲ କଲେଜ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି। ସିଇଓ ସ୍ମିତା ପାଢ଼ୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ କହଛନ୍ତି ଯେ ଆଇନଗତ ଓ ନୈତିକତା ଦୃଷ୍ଟିରୁ ଆମେ ଠିକ୍ ଅଛୁ। ପରିବାର ଲୋକ ମୃତଦେହ ଚିହ୍ନଟ କରିଥିଲେ। ଆମର କିଛି ଭୁଲ୍ ନାହିଁ। ଯଦି ପରିବାର ଲୋକ ମୃତଦେହ ଚିହ୍ନଟ କରିପାରିନାହାନ୍ତି, ଆମେ କିପରି କରି ପାରୁବୁ। ଦୁର୍ଘଟଣା ପରେ ପାୟଲ୍‌ ରେଫ୍ରିଜେସନ୍‌ର ଠିକାଦାର ସଞ୍ଜୟ ସାହୁ ‌ଆହତ ୪ ଜଣଙ୍କୁ ଚିହ୍ନଟ କରି ଆଡ୍‌ମିସନ କରିଥିଲେ। ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ଗତ ୩୦ ତାରିଖରେ ଦିଲୀପ ପରିଚୟରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଆମେ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକ ନେଇଥିଲେ। କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲୀପ ବୋଲି କହିଥିଲେ। ଏହା ପରେ ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଇଥିଲା। ଏପରିକି ସେ ଦିଲୀପଙ୍କ ବହୁ ବ୍ୟକ୍ତିଗତ ତଥ୍ୟ ବି ଠିକ୍‌ ଭାବେ ଦେଇ ପାରିଥିଲେ। ଏହାପରେ ତୁରନ୍ତ ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ। ଉଭୟ ପରିବାର ଚିହ୍ନଟରୁ ଜୀବିତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା। କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ। ଆମେ ପୁଲିସ୍‌କୁ ମୃତଦେହ ଦେଇଛୁ, ପରିବାର ଲୋକଙ୍କୁ ଦେଇନୁ। ପରିଚୟ ଜାଣିବା ଆମ କାମ ନୁହେଁ ବରଂ ଚିକିତ୍ସା କରିବା ଆମ କାମ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି।

ମୋ ପୁଅ ଜୀବନ ପ୍ରତି ଡାକ୍ତରଖାନା ପଟୁ ବିପଦ
ମୋ ପୁଅ ଦିଲୀପ ବଞ୍ଚିଛି ସିନା ଏବେ କିନ୍ତୁ ଡାକ୍ତରଖାନା ପଟୁ ତା’ ଜୀବନ ପ୍ରତି ବିପଦ ରହିଛି। ଡାକ୍ତରଖାନା ନିଜ ସୁରକ୍ଷା ପାଇଁ କିଛି ଅଘଟଣ ଘଟାଇବା ଅସମ୍ଭବ ନୁହେଁ। ତେଣୁ ସରକାର ମୋ ପୁଅକୁ ବଞ୍ଚାନ୍ତୁ। ଡାକ୍ତରଖାନାର ଭୁଲ୍‌ ପାଇଁ ମୋ ବୋହୂ ଚାଲିଗଲା। ମୋ ପରିବାର ଛାରଖାର ହୋଇଗଲା। ମୋ ପୁଅ ବଞ୍ଚି ଥାଉଥାଉ ତା’ର ଅନ୍ତିମ ସଂସ୍କାର କଲୁ। ଏମିତି ପୋଡ଼ା କପାଳ କାହାର ଅଛି! ଏବେ ମୋ ପୁଅ ବଞ୍ଚିଛି ବୋଲି ଶୁଣିବା ପରେ ମୋ ମନ ଯେତିକି ଖୁସି ଛାତି ଭିତରେ ସେତିକି ଡର। କେମିତି ସେ ଭଲ ହୋଇ ଫେରିବ, ସେଇ ଚିନ୍ତାରେ ମୁଁ ବାଟ ଚାହିଁ ବସିଛି।
ଅହଲ୍ୟା ସାମନ୍ତରାୟ, ଦିଲୀପଙ୍କ ମା’

ହସ୍ପିଟାଲ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ
ମୋ ଝିଅ ସୋନା ଆଉ ଫେରିବନି। ହସ୍ପିଟାଲ୍‌ର ଭୁଲ୍‌ ପାଇଁ ମୋ ଝିଅ ଦୁନିଆରୁ ହଜିଗଲା। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲ ବ୍ୟବହାର ପାଇଁ ଗୋଟିଏ ଜୀବନ ଅକାଳରେ ଝଡ଼ିଗଲା। ହସ୍ପିଟାଲ୍‌ କର୍ତ୍ତୃପକ୍ଷ କ’ଣ ଏ କ୍ଷତି ଭରଣା କରିପାରିବେ? ତେଣୁ ଆମର କିଛି ଦରକାର ନାହିଁ। ଏଭଳି ଦୁଃଖ ଦେଇଥିବା ଅନୁଷ୍ଠାନ ଓ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
ସଦାଶିବ ଜେନା, ଦିଲୀପଙ୍କ ଶ୍ବଶୁର

ସଂସ୍ଥା ମୁଖ୍ୟଙ୍କୁ ଗିରଫ କର: ବିଜେପି

ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କୁ ଚିହ୍ନଟ କରିପାରୁ ନାହାନ୍ତି। ମୃତକଙ୍କୁ ଜୀବିତ ଓ ଜୀବିତଙ୍କୁ ମୃତ ଦର୍ଶାଉଛନ୍ତି। ଏହା ଦୁଃର୍ଭାଗ୍ୟଜନକ। ତୁରନ୍ତ ହାଇଟେକ୍ କଲେଜର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଉ। ଏପର୍ଯ୍ୟନ୍ତ କାହିଁକି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ନାହିଁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି।

ମାଲିକ ଫୋନ୍‌ ଉଠାଉ ନାହାନ୍ତି: ବିଧାୟକ ପ୍ରମୋଦ ମଲ୍ଲିକ

କିଭଳି ତାଙ୍କ ପରିବାରକୁ ନ୍ୟାୟ ମିଳିବ ସେଥିପାଇଁ ମୁଁ ସମସ୍ତ ଉଦ୍ୟମ କରିବି ବୋଲି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ କହିଛନ୍ତି। ଏଥିପାଇଁ ମୁଁ ଜ୍ୟୋତିଙ୍କ ପରିବାର ସହ ବହୁ ସମୟ ଆଲୋଚନା କରଛି। ହେଲେ ହସ୍ପିଟାଲ୍‌ ମାଲିକ ମୋ ଫୋନ୍‌ ଉଠାଉନାହାନ୍ତି। ବାରମ୍ବାର ଫୋନ କରିଥିଲେ ବି ଯୋଗାଯୋଗ ହୋଇପାରିନାହିଁ। ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇପାରିନାହିଁ ବୋଲି ସେ କହିଛନ୍ତି।