ପୁରୁଣା ଭୁବନେଶ୍ବର: ‘‘ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ'ର.. ମାସକ ଧରମ ମୋ'ର…’’ ଏହାକୁ ଗୀତ କୁହନ୍ତୁ ବା ଆଉ କିଛି; ଏଇ ଧାଡ଼ିଗୁଡ଼ିକ ଭିତରେ ରହିଛି ଓଡ଼ିଆ ଜାତିର ସୁବର୍ଣ୍ଣ ଇତିହାସର ଚିତ୍ର। ଅତୀତ ଗୌରବର ଖୁସି ସହିତ ଏଥିରେ ଅଛି ସବୁକିଛି ହରାଇବାର କୋହ। ଏହାର ଗୁଞ୍ଜରଣ ଶୁଭିବ କାର୍ତ୍ତିକ ପୂର୍ଣ୍ଣିମା, ଅର୍ଥାତ୍ ଆସନ୍ତାକାଲି ଭୋରରେ ରାଜଧାନୀର ବିଭିନ୍ନ ପୁଷ୍କରିଣୀ ଓ ନଦୀକୂଳରେ। ସେଠାରେ ବୋଇତ ବନ୍ଦାଇ ଓ ଭସାଇ ଅତୀତକୁ ମନେ ପକାଇବାର ସହିତ ଧର୍ମ ଅର୍ଜନ କରିବା ପାଇଁ ଭିଡ଼ ଜମେଇବେ ସହରବାସୀ। ପୂର୍ଣ୍ଣିମାର ଏହି ବିଶେଷ ମୁହୂର୍ତକୁ ଓଡ଼ିଆମାନେ ଚାହିଁ ରହିଥିବା ବେଳେ ଏଥିପାଇଁ କିଛି ଅନୁଷ୍ଠାନ ଉଜାଗର ରହି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବୋଇତ ବନ୍ଦାଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭେଟିଦେବେ। ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ସୋମବାର ଭୋର୍ ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୧୪ ଫୁଟ ଲମ୍ବ ଓ ୮ଫୁଟ୍ ଉଚ୍ଚତାର ସୁସଜ୍ଜିତ ଡଙ୍ଗା ବିନ୍ଦୁସାଗରରେ ଆକର୍ଷଣ ସାଜିବ। ସେହିପରି ଚନ୍ଦ୍ରଶେଖରପୁରରେ ୭ଫୁଟ୍ ଲମ୍ବ ୫ଫୁଟ୍ ଉଚ୍ଚତାର ଡଙ୍ଗା ଭାସିବ। ନଳାମୁହଁ ସାହିର ହୃଷୀକେଶ ବେହେରା ଏହି ଡଙ୍ଗା ତିଆରି କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ସୌଦାମିନୀ ସାମଲ। ସେହିପରି ଉକ୍ତ ସାହିରେ ଆଉ ୬ଟି ପରିବାର ଛୋଟଡ଼ଙ୍ଗା ପ୍ରସ୍ତୁତରେ ଲାଗି ପଡ଼ିଛନ୍ତି। ଆହୁରି ମଧ୍ୟ ପ୍ରତିବର୍ଷ ଭଳି ନାଗେଶ୍ବରଟାଙ୍ଗୀ ଦଳିତ ସାହିରେ ଅନ୍ୟ ୫ଟି ପରିବାର ଡଙ୍ଗା ତିଆରି କରୁଛନ୍ତି। ସୋଲ, କାଗଜ, ମଇଦା ଅଠା ଓ ଖଡ଼ିକା କାଠିରେ ଡଙ୍ଗା କରିବା ସହ ରଙ୍ଗ ବେରଙ୍ଗ କାଗଜ ବ୍ୟବହାର କରି ସେମାନେ ଆକର୍ଷଣୀୟ ଡଙ୍ଗା ପ୍ରସ୍ତୁତ କରିଛନ୍ତି। ରଙ୍ଗବେରଙ୍ଗର ଜରି, କାଗଜ ସହ ଚୁମୁକି ଏବଂ ଛୋଟଛୋଟ ରଙ୍ଗୀନ ପଥରରେ କାରିଗରମାନେ ଡଙ୍ଗାଗୁଡ଼ିକୁ ବେଶ୍ ଆକର୍ଷଣୀୟ ରୂପ ଦେଉଛନ୍ତି। ବଡ଼ଗୁଡ଼ିକ ସ୍ବତନ୍ତ୍ର ବରାଦ ଆସିବାପରେ ତିଆରି କରା ଯାଉଥିବାବେଳେ ଛୋଟଗୁଡ଼ିକୁ ବଜାରର ସାଦାରଣ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୁଏ।
ହୃଷୀକେଶ କହନ୍ତି, ୧୪ ଫୁଟିଆ ବୋଇତ ତିଆରି କରିବାକୁ ତାଙ୍କୁ ପାଖାପାଖି ୧୫ ଦିନ ସମୟ ଲାଗିଛି। ନଡ଼ାରେ ତିଆରି ହେଉଛି ସାତଭାଇଙ୍କ ମଡେଲ୍। ସମୁଦାୟ ୩ଟି ଆକୃତିର ସେ ଡଙ୍ଗା ତିଆରି କରିଥାନ୍ତି, ଯଥା ମୟୂର, ହଂସ ଏବଂ ଚିଲ। ଚଳିତବର୍ଷ ସେ ମୟୂର ଆକୃତିର ବୋଇତ ତିଆରି କରୁଛନ୍ତି। ସେହି ବୋଇତରେ ବସିବେ ସାତଭାଇ। ବାଉଁଶ ଓ ସୋଲରେ ତିଆରି ହେଉଥବା ଏହି ଡଙ୍ଗାରେ କଣ୍ଟା, କାଗଜ, ଝୁଡ଼ି, ପାଲ ଆଦି ବ୍ୟବହାର କରାଯାଇଛି। ଏ ସମ୍ପର୍କରେ ହୃଷୀକେଶ କହିଛନ୍ତି, ୨୦ ଦିନ ଆଗରୁ ତାଙ୍କୁ ଡଙ୍ଗା ପାଇଁ ବରାଦ ଆସିଥାଏ। ବରାଦ ଆସିବାମାତ୍ରେ ସେ କାମ ଆରମ୍ଭ କରି ଦିଅନ୍ତି। ସେହି ସୋଲର ମୂଲ୍ୟ ଖଣ୍ଡପ୍ରତି ୮୦ ଟଙ୍କା ଥିବାବେଳେ ବାଉଁଶ ପିଛା ୨୫୦ ଟଙ୍କା ଖର୍ଚ୍ଚ କରିଥାନ୍ତି। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ୍) ପକ୍ଷରୁ ମଧ୍ୟ ଲିଙ୍ଗିପୁର-ନାଥପୁର ଦୟାନଦୀ ଘାଟରେ ୧୨ତମ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବର ଆୟୋଜିତ ହୋଇଛି। ରାଜଧାନୀର ସାଂସ୍କୃତିକ ସଂଗଠନଗୁଡ଼ିକ ଦ୍ବାରା ବିଭିନ୍ନ ସ୍ଥାନରେ ଆହୁରି ଏପରି ଅନେକ ଛୋଟ ବଡ଼ ବୋଇତ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
୫ଜଣ ପାଇବେ ଏକାମ୍ର ସମ୍ମାନ
ଚଳିତ କାର୍ତ୍ତିକ ପୂର୍ଣ୍ଣିମାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଉତ୍ତରେଶ୍ୱର ଘାଟରେ ଅନୁଷ୍ଠିତ ହେବ। ପ୍ରାତଃ ୪ଟାରୁ ଆରାଧନା ଭଜନ ସନ୍ଧ୍ୟା ପକ୍ଷରୁ କଣ୍ଠଶିଳ୍ପୀ ସୁବାସ ଦାସଙ୍କୁ ନେଇ ସଚିନ ରଥଙ୍କ ପରିଚାଳନା ଏବଂ ମୃତୁଞ୍ଜୟ ରଥଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ସକାଳ ୬ ଘଟିକାରେ ଏକାମ୍ର ସମ୍ମାନ-୨୦୨୩ରେ ବରିଷ୍ଠ କଣ୍ଠଶିଳ୍ପୀ ତାନ୍ସେନ ସିଂ, ବରିଷ୍ଠ ଚିକିତ୍ସକ ଡା. ଅଜୟ ମିଶ୍ର, ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ, କବି ରକ୍ଷକ ନାୟକ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତକାରୀ ଶୁଭଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନିତ କରାଯିବ। ଶେଷରେ ସୁସଜ୍ଜିତ ବୋଇତକୁ ସାଧବ ସାଧବାଣୀଙ୍କ ଦ୍ୱାରା ବନ୍ଦାପନା କରାଯିବ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଏବଂ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେବ।