ବ୍ୟାଙ୍କ୍ରୁ ୫ କୋଟି ଟଙ୍କା ଠକେଇ, ୧୨ ବର୍ଷ ପରେ ତାମିଲନାଡ଼ୁରୁ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଚାଷୀ ଓ ଏସ୍ଏଚ୍ଜିଗୁଡ଼ିକୁ ଋଣ ସହାୟତା ଦେବାକୁ କହି ବ୍ୟାଙ୍କ୍ରୁ ୫କୋଟି ଟଙ୍କା ଚୂନ ଲଗାଇବା ମାମଲାରେ କ୍ରାଇମବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାମିଲନାଡ଼ୁରୁ ଅଭିଯୁକ୍ତକୁ ଗିରଫ କରିଛି। ବ୍ୟାଙ୍କ୍ରୁ ଋଣ ନେବାର ଦୀର୍ଘ ୧୨ବର୍ଷ ପରେ ଜଗନ୍ନାଥ ଫାଇନାନ୍ସ ସର୍ଭିସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଏସ୍. କାଥିରସେନ୍କୁ ତାମିଲନାଡ଼ୁ ଥୁଭାକୁଡ଼ି ଥାନା ଅନ୍ତର୍ଗତ ନାନାଓଲି ଗାଁରୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, କାଥିରସେନ୍ ୨୦୦୯ ମସିହାରେ ଭୁବନେଶ୍ବରର ଏରଷ୍ଟହ୍ବାଇଲ୍ କର୍ପୋରେସନ୍ ବ୍ୟାଙ୍କ୍ରୁ ପ୍ରାୟ ୫କୋଟି ଋଣ ଆଣିଥିଲା। ଜଗନ୍ନାଥ ଫାଇନାନ୍ସ ସର୍ଭିସ ଓ କାସ୍ ଫାଉଣ୍ଡେସନ୍ର ମୁଖ୍ୟ ଦର୍ଶାଇ ଆଣିଥିବା ଋଣକୁ ଚାଷୀ ଓ ଏସ୍ଏଚ୍ଜିଗୁଡ଼ିକୁ ଦେବ ବୋଲି କହିଥିଲା। ଏହା ପରେ କିଛି ଚାଷୀଙ୍କ ନାଁରେ ଜାଲ୍ ପ୍ରମାଣପତ୍ର ତିଆରି କରି ସେମାନଙ୍କ ତଥ୍ୟ ବ୍ୟାଙ୍କ୍ରେ କାଥିରସେନ୍ଙ୍କ କମ୍ପାନି ଦାଖଲ କରିଥିଲା। ଦୀର୍ଘ ୨ବର୍ଷ କାଳ କମ୍ପାନି ପକ୍ଷରୁ ସୁଧ ଟଙ୍କା ଦିଆନଯିବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତନାଘନା କରିଥିଲେ। ଏହାପରେ ଜଣାପଡ଼ିଥିଲା ଯେ କାଥିରସେନ୍ ଯେଉଁ ଚାଷୀଙ୍କ ନାଁରେ ଋଣ ନେଇଛି, ସେଭଳି କୌଣସି ଚାଷୀ ନାହାନ୍ତି। ଅର୍ଥାତ୍ ବ୍ୟାଙ୍କ୍ରୁ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ସେ ଏଭଳି ଯୋଜନା କରିଥିବା ଜଣାପଡ଼ିଥିଲା। ୨୦୧୫ରେ ଇଓଡବ୍ଲୁକୁ ଏହି ଠକେଇ ମାମଲା ହସ୍ତାନ୍ତର ହେବା ପରେ ପୁଲିସ ତାକୁ ଗିରଫ କରିଛି। ଗତକାଲି ତ୍ରିଚିନାପଲ୍ଲୀ ଜୁଡିସିଆଲ ମାଜିଷ୍ଟ୍ରେଟ୍ଙ୍କ ପାଖରେ ହାଜର କରାଇ ଇଓଡବ୍ଲୁ ରିମାଣ୍ଡରେ ଆଣିଥିବା ଜଣାପଡ଼ିଛି।