ଜମି ଜାଲିଆତି କରି ୪.୫ କୋଟି ଟଙ୍କାର ଠକେଇ

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମ୍ୟାନେଜର୍‌ ଗିରଫ

ଭୁବନେଶ୍ୱର: ଜାଲ କାଗଜପତ୍ର ମାଧ୍ୟମରେ ଏକ କମ୍ପାନିକୁ ୪.୫ କୋଟି ଟଙ୍କାର ବ୍ୟାଙ୍କ ଋଣ କରାଇ ଦେବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ଗିରଫ କରିଛି। ତାଙ୍କ ନାଁ ସ୍ମୃତି ରଂଜନ ସାମଲ। ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ଛତିଆରେ। ଏଠାରେ ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ। ଆଜି ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଛି। ପୂର୍ବରୁ ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ପ୍ରଭଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

କ୍ରାଇମ୍‌ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଜେବିଏସ୍‌ ମିନେରାଲ୍ସ ନାମକ ଏକ କମ୍ପାନିର ପରିଚାଳନା ନିର୍ଦେଶକ ପ୍ରଭଞ୍ଜନ ମହାନ୍ତି ବମିଖାଲ ଗୋବିନ୍ଦ ପ୍ରସାଦ ପ୍ଲଟ ନମ୍ବର ୨୧୯ର ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ସେଞ୍ଚୁରିଅନ ବ୍ୟାଙ୍କ ଅଫ୍‌ ପଞ୍ଜାବ(ଏବେ ଏଚ୍‌ଡିଏଫସି ବ୍ୟାଙ୍କରେ ମିଶି ଯାଇଛି)ରୁ ୨୦୦୬ରେ ୪.୫ କୋଟି ଟଙ୍କା ଋଣ ନେଇଥିଲେ। ତେବେ ୨୦୦୫ରେ ଫଜୁଲଙ୍କ ମୃତ୍ୟୁ ହୋଇ ସାରିଥିଲା। କିନ୍ତୁ ଋଣ ନ ସୁଝିବା କାରଣରୁ ପ୍ଲଟ୍‌ର ପ୍ରକୃତ ମାଲିକ ଫଜୁଲ ଖାନ୍‌ଙ୍କ ଘରକୁ ନୋଟିସ୍‌ ଆସିଥିଲା। ଏ ନେଇ ଫଜୁଲଙ୍କ ସଂପର୍କୀୟ ମହମ୍ମଦ ଇସ୍ରାଏଲ ପ୍ରଥମେ ଲକ୍ଷ୍ମୀସାଗର ଥାନା ଓ ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଘଟଣାର ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଚଳିତ ବର୍ଷ ଜୁଲାଇ ମାସରେ କ୍ରାଇମ୍‌ବ୍ରାଞ୍ଚ ପ୍ରଭଞ୍ଜନଙ୍କୁ ଗିରଫ କରିଥିଲା। ପରେ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ ଏହି ଠକେଇରେ ବ୍ୟାଙ୍କ୍‌ର ଟେରିଟୋରିଆଲ ମ୍ୟାନେଜର ସ୍ମୃତିରଂଜନ ମଧ୍ୟ ସଂପୃକ୍ତ ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର