ଭୁବନେଶ୍ବର: ବହୁଚର୍ଚ୍ଚିତ ମହିଳା ବ୍ଲାକମେଲର୍ ଅର୍ଚ୍ଚନାର ଅନ୍ୟତମ ସହଯୋଗୀ ଖଗେଶ୍ବର ପାତ୍ର। ଅର୍ଚ୍ଚନା ଗ୍ୟାଙ୍ଗ୍ରେ ମିଶି ଚଳାଇଥିଲା ‘ବ୍ଲାକମେଲ୍’ର ଗୋଲକ ଧନ୍ଦା। ଖଣ୍ଡିଗିରି ଥାନାରେ ହୋଇଥିବା ମାମଲାରେ ତା’ ନାଁ ଯୋଡ଼ି ହୋଇରହିଛି। ଘଟଣାକୁ ୫ ଦିନ ହୋଇ ଗଲାଣି। ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରିଛି। କିନ୍ତୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ତାଙ୍କ ସାଙ୍ଗ ଖଗେଶ୍ବର ପାତ୍ରକୁ ଏଯାଏ ଗିରଫ କରିନାହିଁ ପୁଲିସ। ଡିସିପି ପ୍ରତୀକ ସିଂହ ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ ଜଗବନ୍ଧୁଙ୍କର ବେକରେ ଅପରେସନ୍ ହୋଇଛି, ସେ ଅସୁସ୍ଥ। ତେଣୁ ତାଙ୍କୁ ନୋଟିସ୍ ଦିଆଯାଇ ଛଡ଼ାଯାଇଛି। କିନ୍ତୁ ଡିସିପି ଗଣମାଧ୍ୟମ ସମ୍ମୁଖରେ ଖଗେଶ୍ବରଙ୍କ ସମ୍ପର୍କରେ ପଦୁଟିଏ ବି କହିଲେ ନାହିଁ। କ’ଣ ପାଇଁ ଖଗେଶ୍ବର ନାଁ ଡିସିପି ଉଠାଇଲେ ନାହିଁ, ତାହା ଏବେ ସନ୍ଦେହଘେରରେ। ସୂଚନାନୁଯାୟୀ, କଟକ ସଦର ନିଆଳି ଅଞ୍ଚଳର ଖଗେଶ୍ବର ରସୁଲଗଡ଼ରେ ଏକ ଛୋଟିଆ ଦୋକାନ କରିଥିଲା। ଜଗବନ୍ଧୁ ସହ ମଶିବା ପରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏକ ପୁରୁଣା ଗାଡ଼ି ସୋ’ରୁମ୍ କରିଥିଲା। ଏଥିସହିତ ଅର୍ଚ୍ଚନାଙ୍କ ନେଟ୍ୱର୍କକୁ ସମ୍ଭାଳୁଥିଲା। ତା’ର ମଧ୍ୟ ଗାଁରେ ଅର୍ଚ୍ଚନାଙ୍କ ଭଳି କୋଠାବାଡ଼ି ଅଛି ଓ କୋଟିପତି ଭାବେ ପରିଗଣିତ ହେଉଛି।
ଅନ୍ୟପକ୍ଷରେ ଆଜି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୂଆପଲ୍ଲୀ ଥାନାରେ କରିଥିବା ଅଭିଯୋଗର ନକଲ ସାମନାକୁ ଆସିଛି। ଚୁପଚାପ୍ ୩ କୋଟି ଟଙ୍କା ଦେଇ ଦିଅ, ନଚେତ୍ ପିସ୍ ପିସ୍ କରିଦେବି ବୋଲି ଅର୍ଚ୍ଚନା ଧମକ ଦେଇଥିବା ଉକ୍ତ ଏତଲାରେ ରହିଛି। ଅର୍ଚ୍ଚନା ନିଜକୁ ଜଣେ ଆଇନଜୀବୀ ବୋଲି ପରିଚୟ ଦେଇ ଅକ୍ଷୟଙ୍କୁ ଫୋନ୍ କରିଥିଲେ। ଜଣେ ଝିଅର ଜୀବନ ସହିତ ଖେଳି ତା’ କ୍ୟାରିଅର ବରବାଦ କରିଛନ୍ତି ବୋଲି କହିଥିଲେ। ଏହାପରେ ସେ ଅକ୍ଷୟଙ୍କୁ ଏକ ହୋଟେଲକୁ ଡାକିଥିଲେ। ଅକ୍ଷୟ ପହଞ୍ଚିବା ପୂର୍ବରୁ ସେହି ହୋଟେଲର ଧାର୍ଯ୍ୟ ରୁମ୍କୁ ଅର୍ଚ୍ଚନା ଓ ତାଙ୍କ ପୋଷାଗୁଣ୍ଡାମାନେ ଜଗିଥିଲେ। ରୁମ୍ ଭିତରେ ଅର୍ଚ୍ଚନା ତାଙ୍କୁ ଧମକ ଦେଇ ୩ କୋଟି ଟଙ୍କା ଦେଇଦେବାକୁ କହିଥିଲେ। ଗତ ୩୦ ତାରିଖରେ ଅକ୍ଷୟ ନୂଆପଲ୍ଲୀ ଥାନା ଯାଇ ଏତଲା କରିଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।
ଏଣେ ଅର୍ଚ୍ଚନା ଜାମିନ୍ ପାଇଁ ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ଗିରଫ ହେବା ପରେ ଛୁଟି ଦିନ ପଡ଼ିଥିଲା। ଆଜି କୋର୍ଟ ଖୋଲିବା ପରେ ତାଙ୍କ ଆଇନଜୀବୀ ଜାମିନ୍ ଫାଇଲ୍ କରିଛନ୍ତି। ତାଙ୍କ ଆବେଦନର ଶୁଣାଣି ଆସନ୍ତାକାଲି କରାଯିବ ବୋଲି ସୂଚନା ମିଳିଛି। ସେପଟେ କମିସନରେଟ ପୁଲିସ ପକ୍ଷରୁ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନକୁ ବିରୋଧ କରାଯିବା ସହ ଆସନ୍ତାକାଲି ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ରିମାଣ୍ଡ ମିଳିଲେ ପୁଲିସ ତାଙ୍କୁ ନୂଆପଲ୍ଲୀ ସମେତ ଅନ୍ୟ ମାମଲା ସମ୍ପର୍କରେ ପଚରାଉଚରା କରିବ। ଏହାଛଡ଼ା ଅର୍ଚ୍ଚନା ଚଳାଇଥିବା ତାଙ୍କ ନେଟୱର୍କର ପର୍ଦାଫାସ ହେବ। ସେ କାହାକୁ କାହାକୁ ବ୍ଲାକ୍ମେଲ କରି ଏତେ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ତାହା ମଧ୍ୟ ଜଣାପଡ଼ିବ। ପୁଲିସ ମଧ୍ୟ ରିମାଣ୍ଡ ବେଳେ ନେତା, ମନ୍ତ୍ରୀ, ପୁଲିସ, ବିଲଡର, ଫିଲ୍ମ ପ୍ରଯୋଜକ, ସୁନା ବ୍ୟବସାୟୀ ଆଦିଙ୍କ ସମ୍ପର୍କରେ ସୁରାକ୍ ପାଇବ ବୋଲି ଆଶା ବାନ୍ଧିଛି।
ଆଜି ସଂଧ୍ୟାରେ ଅର୍ଚ୍ଚନା ପୂର୍ବରୁ ରହୁଥିବା ବରମୁଣ୍ଡାସ୍ଥିତ ଭଡ଼ା ଘରକୁ ଯାଇ ମାଲିକ ପ୍ରବୋଧ ସ୍ବାଇଁଙ୍କୁ ପଚରାଉଚରା କରିଛନ୍ତି ନିଜେ ଖଣ୍ଡଗିରି ଥାନା ଇନ୍ସପେକ୍ଟର ଦୟାନିଧି ନାୟକ। କେବେଠାରୁ ଅର୍ଚ୍ଚନା ସେହି ଘରେ ଭଡ଼ାରେ ରହୁଥିଲେ ? ରହିବାବେଳେ ସେହି ଘରକୁ କିଏ କିଏ ଆସୁଥିଲେ? ସେହି ଘରେ କେତେ ଦିନ ଭଡ଼ାରେ ରହିଲେ? ଭଡ଼ା ଟଙ୍କା ଠିକ ଭାବେ ଦେଉଥିଲେ ନା ନାହିଁ ? କାହିଁକି ସେ ଅର୍ଚ୍ଚନାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ? ସେହିପରି ଅର୍ଚ୍ଚନା କାହିଁକି ତାଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ ? ଏଭଳି ଅନେକ ପ୍ରଶ୍ନ ପଚରାଉଚରା କରାଯାଇଥିଲା ବୋଲି ସୂଚନା ମିଳିଛି।