ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଅଧିକ ଅନୁସନ୍ଧାନ ପାଇଁ ଖୁବ୍ ଶୀଘ୍ର ପୁଲିସ ଝାରପଡ଼ା ଜେଲ ଯାଇ ପଚରାଉଚରା କରିପାରେ। ଅର୍ଚ୍ଚନାଠାରୁ ଅଧିକ ତଥ୍ୟ ସଂଗ୍ରହ ପରେ ପୁଲିସ ତାର ତଦନ୍ତକୁ ଅଧିକ ଶାଣିତ କରିବ। ଏଥିପାଇଁ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଖଣ୍ଡଗିରି ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଝାରପଡ଼ା ଜେଲ ଯିବ। ଲେଡି ବ୍ଲାକମେଲର ଅର୍ଚ୍ଚନାକୁ ନେଇ ଗଣମାଧ୍ୟମରେ ଖୁବ ଚର୍ଚା ହେବା ପରେ ଏବେ ତାକୁ ନେଇ ପୁଲିସ ଆଉ ରିସ୍କ ନେବାକୁ ଚାହୁଁ ନାହିଁ। କେମିତି ଅର୍ଚ୍ଚନା ଗଣମାଧ୍ୟମ ସମ୍ମୁଖକୁ ନ ଆସିବ, ସେଥିପାଇଁ ପୁଲିସ ଜୋରଦାର ପ୍ରୟା‌ସ ଆରମ୍ଭ କରିଛି। ଏ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବିଶେଷସୂତ୍ରରୁ ଏହି ଖବର ମିଳିଛି। ପ୍ରଥମ ଦିନରୁ ହିଁ ପୁଲିସ ଘଟଣାକୁ ପ୍ରଘଟ ହେବାକୁ ଦେଇ ନ ଥିଲା। ପ୍ରଥମେ ଏମ୍ସ ହସ୍ପିଟାଲ ନେଇ ଡାକ୍ତରୀମାଇନା କରାଇବା ପରେ ସିଧା ସଳଖ କୋର୍ଟ ନ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଇଥିଲା। ପରେ ରାତି ଅଧରେ ଝାରପଡ଼ା ଜେଲ୍ ପଠାଇ ଦେଇଥିଲା ଅର୍ଚ୍ଚନାଙ୍କୁ। ଏହା ପରେ ଜାମିନ୍ ଆବେଦନର ଶୁଣାଣି ପାଇଁ ମଧ୍ୟ ପୁଲିସ ଅର୍ଚ୍ଚନାଙ୍କୁ କୋର୍ଟ ଆଣି ନ ଥିଲା। ଜେଲ ଭିତରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଥିଲା।

Advertisment

ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନାଙ୍କୁ ପୁଲିସ କୋର୍ଟରେ ହାଜର ନ କରାଇବାର କେତୋଟି କାରଣ ରହିଛି। ପ୍ରଥମ କାରଣ ହେଉଛି ଯେହେତୁ ଏହି ଘଟଣା ବହୁଳ ଭାବେ ଗଣମାଧ୍ୟମରେ ପ୍ରସାରିତ ହୋଇଛି, ସାଧାରଣ ଲୋକ ଅର୍ଚ୍ଚନାଙ୍କୁ ଦେଖିବାକୁ ଭିଡ଼ କରିବେ। ଏଭଳି ପରିସ୍ଥିତିରେ କୋର୍ଟ ଚାଲାଣବେଳେ କିମ୍ବା ରିମାଣ୍ଡରେ ଆଣିବା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଯେଉଁଥିପାଇଁ ପୁଲିସ ଅଡୁଆ ପରିସ୍ଥିତିରେ ପଡ଼ିବ। ଦ୍ବିତୀୟ କାରଣଟି ହେଉଛି, ଅର୍ଚ୍ଚନାଙ୍କର ବହୁ ନେତା, ମନ୍ତ୍ରୀ, ବିଲଡର, ସୁନାଗହଣା ବ୍ୟବସାୟୀ, ହୋଟେଲ ବ୍ୟବସାୟୀଙ୍କ ସହିତ ସୁ-ସମ୍ପର୍କ ଥିଲା। କୋର୍ଟ ଚାଲାଣବେଳେ ଯଦି ସେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଫିଟାଇ ଦିଅନ୍ତି ଅନେକ ବଦନାମ ହେବାର ଆଶଙ୍କା ରହିଛି।

ରାଜ୍ୟ ସରକାରଙ୍କ ଭାବମୂର୍ତି ଉପରେ ପ୍ରଶ୍ନ ସୃଷ୍ଟି ହୋଇପାରେ। ସରକାର ମଧ୍ୟ ବଦନାମ ହେବାର ଆଶଙ୍କା ରହିଛି। ଶେଷ କାରଣଟି ହେଉଛି, ଅର୍ଚ୍ଚନାଙ୍କ ଜୀବନପ୍ରତି ଥିବା ବିପଦ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଘଟଣା ସାମନାକୁ ଆସିବା ପରେ ଅନେକଙ୍କ ଛାତି ଏବେ ଉଠୁଛି ପଡ଼ୁଛି। କାଳେ ସେମାନଙ୍କ ଭିଡିଓ ଭାଇରାଲ ହୋଇଯିବ ସେହି ଆଶଙ୍କାରେ ଅନେକ ପ୍ରମାଦ ଗଣୁଛନ୍ତି। ତେଣୁ କୋର୍ଟ ଚାଲାଣ ବେଳେ ବା ରିମାଣ୍ଡରେ ଆଣିବାବେଳେ ପ୍ରମାଣ ନଷ୍ଟ ପାଇଁ ଅର୍ଚ୍ଚନାଙ୍କ ଉପରେ କେହି ଆକ୍ରମଣ ମଧ୍ୟ କରିପାରେ। ଅନ୍ୟପକ୍ଷରେ ଏବେ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନା କେସକୁ ମିଶାଇ ଅର୍ଚ୍ଚନାଙ୍କ ବିରୋଧରେ ୫ରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି। ତେଣୁ ପୁଲିସ ତାଙ୍କୁ ଜେରା କରିବାର ଆବଶ୍ୟକତା ରହୁଛି। ଏଥିପାଇଁ ଅର୍ଚ୍ଚନାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବା ଅପେକ୍ଷା ଝାରପଡ଼ା ଜେଲ ଯାଇ ପଚରାଉଚରା କରି ପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆପାର୍ଟମେଣ୍ଟ ତଳୁ ବାଇକ୍ ଗଲା କୁଆଡ଼େ

ମଞ୍ଚେଶ୍ବର ଥାନା ଅଧୀନ ଏକ ଆପାର୍ଟମେଣ୍ଟ ତଳୁ ଆଜି ଜଗବନ୍ଧୁଙ୍କ ହାର୍ଲେ ଡେଭିଡ଼ସନ୍ ବାଇକ୍‌କୁ ଏକ ଟାଟା ଏସ୍‌ ଗାଡ଼ି ଉଠାଇନେଇଛି। ବାଇକ୍‌କୁ ନେଇଯାଉଥିବାର ଦୃଶ୍ୟ ଆଜି ବେଶ୍ ଭାଇରାଲ୍‌ ହୋଇଛି। ତେବେ ଜଗବନ୍ଧୁଙ୍କ ଦାମୀ କାର୍‌ ସବୁ ଜବତ ହୋଇନଥିବା ବେ‌େଳ ବାଇକ୍‌କୁ କ’ଣ ପାଇଁ ଲୁଚାଇବାକୁ ଉଦ୍ୟମ କରାଯାଇଛି, ତାହା ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ସେହିଭଳି କେଉଁ କାରଣରୁ କିଛି ମାସ ତଳୁ ଆପାର୍ଟମେଣ୍ଟ୍ ବେସମେଣ୍ଟରେ ଏହି ବାଇକଟି ପାର୍କିଂ ହୋଇରହିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ଏହି ଦାମୀ ବାଇକ୍‌ ହୁଏତ ଜଗବନ୍ଧୁଙ୍କ ନାଁରେ ନାହିଁ କିମ୍ବା ଯାହା ନାଁରେ ରହିଛି, ସେ କୌଣସି ଉପହାର ଦେଇଥିବା ଦାମୀ ବ୍ୟକ୍ତି ବୋଲି କୁହାଯାଉଛି। ଅର୍ଚ୍ଚନା ଏହି ବାଇକ ଉପରେ ବସି ଫଟୋ ଉଠାଇ ତାଙ୍କ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଅର୍ଚ୍ଚନା ଗିରଫ ହେବା ପରେ ବାଇକ୍ ସମ୍ପର୍କରେ ଗଣମାଧ୍ୟମରେ ଫଟୋ ସହିତ ଖବର ପ୍ରକାଶ ପାଇଥିଲା।