ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଗିରଫ

ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ, ବିଦ୍ୟୁତ ତାର ଚୋରି, ଜେଲ୍‌ ଗଲେ ଦୁଇ ଯୁବକ, ଅଟୋ ସମେତ ଲକ୍ଷାଧିକ ଟଙ୍କାର ତାର ଜବତ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ବସ୍ତିରେ ମାରପିଟ୍ କରିବା ଅଭିଯୋଗରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସେମାନେ ହେଲେ, ବିଡିଏ କଲୋନି ନୀଳମାଧବ ବସ୍ତିର ରମେଶ ନାୟକ(୨୪) ଓ ନୀଳାଦ୍ରିବିହାର ଟ୍ରାନଜିଟ୍ ହାଉସର ଦୀପକ ନାୟକ(୨୧)। ପୁଲିସ ସୂଚନା ଅନୁଯାୟୀ, ପୂର୍ବରୁ ରାଜୀବ ଆବାସ ଯୋଜନା ନାମ ଥିବା କିଛି ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦିଆ ଯାଇଥିଲା। ଅଭିଯୁକ୍ତ ଦୁଇଜଣଙ୍କର ନାମ ଯୋଜନାରୁ କଟି ଯାଇଥିଲା। ଯୋଜନାରେ ନାମ ନଥିବାରୁ ସେମାନେ ଟ୍ରାନଜିଟ ହାଉସର ସଭାପତି ଖଦାଳ ବରାଳଙ୍କ ଉପରେ ସନ୍ଦେହ କରିଥିଲେ। ଏହାକୁ ନେଇ ଖଦାଳଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏଥିରେ ରାଗିଯାଇ ଦୁଇ ଜଣ ଖଦାଳଙ୍କୁ ମାଡ଼ ମାରିବା ସହ ମୁଣ୍ଡ ଫଟାଇ ଦେଇଥିଲେ। ଏ ସଂପର୍କରେ ଗତକାଲି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା।

ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ବର : ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୟୁନିଟ୍-୬ ଆଖଣ୍ଡଳମଣୀ ବସ୍ତିର ମାନସ ଗାହଣ(୩୦)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, କିଛି ଦିନ ହେବ ମାନସ ମହିଳାଙ୍କୁ ଏକତରଫା ‌ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ପିଛା କରୁଥିଲା। ଶୁକ୍ରବାର ସନ୍ଧ୍ୟାରେ ମହିଳାଜଣଙ୍କ ଘରେ ଏକୁଟିଆ ଥିବା ସୁଯୋଗରେ ମାନସ ତାଙ୍କ ଘରେ ପଶି ଅସଦାଚରଣ କରିଥିଲା। ମହିଳାଜଣଙ୍କ ପାଟି କରିବାରୁ ସେଠାରୁ ଫେରାର୍‌ ସେ ଫେରାର୍‌ ହୋଇଯାଇଥିଲା। ଏନେଇ ପରେ କ୍ୟାପିଟାଲ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଦ୍ୟୁତ ତାର ଚୋରି, ଜେଲ୍‌ ଗଲେ ଦୁଇ ଯୁବକ, ଅଟୋ ସମେତ ଲକ୍ଷାଧିକ ଟଙ୍କାର ତାର ଜବତ

ବାଲିଅନ୍ତା : ବିଦ୍ୟୁତ୍‌ ତାର ଚୋରି ମାମଲାରେ ବାଲିଅନ୍ତା ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ବଇଁଚୁଆ ପଞ୍ଚାୟତ ଅଧୀନ ବିଲିସାହିର ସୁଶାନ୍ତ ସାହୁ(୩୨) ଓ ବାବୁଲି ମହାନ୍ତି (୩୩)। ପୁଲିସ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ତାର ଓ ଏକ ଅଟୋ ଜବତ କରିଛି। ଏନେଇ ବାଲିଅନ୍ତା ପୁଲିସ ନମ୍ବର ୯୮/୧୯ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି। ତେବେ ଜାମିନ୍‌ ଆବେଦନ ନାଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ୍‌ ସୂଚନା ଅନୁଯାୟୀ, ସୁଶାନ୍ତ ଓ ବାବୁଲି ଉକ୍ତ ଅଟୋରେ ଚୋରା ବିଦ୍ୟୁତ୍‌ ତାର ନେଇ ବାଳକାଟି ଫାଣ୍ଡି ଅଭିମୁଖେ ଯାଉଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ପୁରୁଣା ଜଗନ୍ନାଥ ରାସ୍ତାର ରଙ୍ଗବଜାର ଛକ ନିକଟରେ ଗାଡ଼ି ଅଟକାଇ ଯାଞ୍ଚ କରି ଅଭିଯୁକ୍ତଦ୍ବୟଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର