ଭୁବନେଶ୍ବର : ଦାମ୍ପତ୍ୟ କଳହ କାରଣରୁ ଗତକାଲି ସ୍ବାମୀ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଆଜି ପୁଲିସ ୨ ଶିଶୁଙ୍କୁ ଉଦ୍ଧାର କରି ଏକ ସେଲ୍ଟର ହୋମ୍ରେ ଛାଡ଼ିଛି। ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଆସନ୍ତାକାଲି ଦୁଇ ଶିଶୁଙ୍କୁ ପୁଲିସ କୋର୍ଟରେ ହାଜର କରିବ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପରେ ଶିଶୁ ଦୁଇଜଣଙ୍କୁ ସେମାନଙ୍କ ମା’ ପାଖରେ ଛଡ଼ାଯାଇପାରେ ବୋଲି ପୁଲିସ ସୂଚନା ଦେଇଛି। ଯୌତୁକ ନିର୍ଯାତନାରୁ ଆରମ୍ଭ ହୋଇଥିବା ଏହି ଦାମ୍ପତ୍ୟ ବିବାଦ ପାଇଁ ଦୁଇ କୋମଳମତି ଶିଶୁ ବଡ଼ ହୀନସ୍ତା ହେଉଥିବାରୁ କଳିଙ୍ଗବିହାର ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି।
ସୂଚନାଅନୁସାରେ ହିମାଂଶୁ ଭୂଷଣ ସାହୁଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ସୌମ୍ୟାରାଣୀ ମହାପାତ୍ର। କୌଣସି କାରଣରୁ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ହିମାଂଶୁ ଦ୍ବିତୀୟ ସ୍ତ୍ରୀ ଭାବେ ସୌମ୍ୟାରାଣୀଙ୍କୁ ଗ୍ରହଣ କରିଥିଲେ। ସେମାନଙ୍କଠାରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ନେଇଛନ୍ତି। ତେବେ କିଛି ମାସ ତଳେ ସୌମ୍ୟାରାଣୀ ସ୍ବାମୀ ହିମାଂଶୁଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ତମାଣ୍ ଡୋ ଥାନାର ଦ୍ବାରସ୍ଥ ହେଲେ। ଯୌତୁକ ଦାବି କରି ତାଙ୍କୁ ସ୍ବାମୀ ହିମାଂଶୁ ମାରଧର କରୁଥିବା ନେଇ ସେ ଅଭିଯୋଗ କରିଥିଲେ ଏବଂ ସେବେଠୁ ବାପ ଘରକୁ ଚାଲିଯାଇଥିଲେ। କିନ୍ତୁ ହିମାଂଶୁ ପିଲାମାନଙ୍କୁ ଛାଡ଼ି ନଥିଲେ। ପିଲାଙ୍କୁ ପାଇବାକୁ ସୌମ୍ୟାରାଣୀ କୋର୍ଟରେ ଅଭିଯୋଗ କରିଥିଲେ। ପିଲାଙ୍କୁ କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ହିମାଂଶୁ ମାନିନଥିଲେ। ତେଣୁ ହିମାଂଶୁଙ୍କୁ ଗିରଫ କରିବା ସହ ପିଲାମାନଙ୍କୁ ହାଜର କରିବାକୁ କୋର୍ଟ ତମାଣ୍ଡୋ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ପୁଲିସ ହିମାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ପୁଲିସ ହିମାଂଶୁଙ୍କ ଘରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି।