ଧରାପଡ଼ିଲା ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ: ୪ ଗିରଫ, ୬ ମୋବାଇଲ୍‌ ଓ ବାଇକ୍‌ ଜବତ

ଭୁବନେଶ୍ବର: ଚୋରା ମୋବାଇଲ୍‌ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏକ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ସହିଦନଗର ପୁଲିସ ହାତରେ ଧରାପଡ଼ିଛି। ସେମାନେ ହେଲେ, ଶାନ୍ତିପଲ୍ଲୀ ବସ୍ତିର ଶ୍ରୀରାମ ଗୁଣି ଓରଫ ବୁଦ୍ଧିଆ(୩୫), ଭୀମ ପାତ୍ର(୨୫), ଚିଲ୍ଲିପୋଖରୀ ଅଞ୍ଚଳର ସୁଦର୍ଶନ ନାୟକ(୨୦) ଓ ପୂର୍ଣ୍ଣଚନ୍ଦ୍ର ବେହେରା(୨୮)। ପୁଲିସ ସେମାନଙ୍କଠାରୁ ୬ଟି ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି। ଏହି ଅଭିଯୁକ୍ତମାନେ ରାଜଧାନୀରେ ଲୁଟ୍‌ପାଟ କରି ଆତଙ୍କ ଖେଳାଇ ଆସୁଥିଲେ।

ପୁଲିସ ସୂଚନା ମୁତାବକ, ବୁଧବାର ଦିନ ପାଖାପାଖି ୧୨ଟାରେ ଅଭିଯୁକ୍ତମାନେ ଭିଏସଏସ୍‌ନଗର ବ୍ରିଜ୍‌ ତଳେ ବସି ସ୍ଥାନୀୟ ବସ୍ତିର କିଛି ଯୁବକଙ୍କୁ ଚୋରା ମୋବାଇଲ୍‌ ବିକ୍ରି ପାଇଁ ଡିଲ୍‌ କରୁଥିଲେ। ହେଲେ ମୂଲଚାଲକୁ ନେଇ ସେମାନଙ୍କ ମଧ୍ୟରେ ଟଣାଓଟରା ହେବାରୁ କେହି ଜଣେ ଯୁବକ ପୁଲିସ୍‌କୁ ଫୋନ୍‌ କରି ସବୁ ଜଣାଇ ଦେଇଥିଲା। ସହିଦନଗର ଥାନାର ଏକ ଟିମ୍‌ ସେଠାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୋବାଇଲ୍‌ ଓ ବାଇକ୍‌ ଜବତ କରିଥିଲା। ସେମାନଙ୍କୁ ଥାନାରେ ଜେରା କରିବାରୁ ସେମାନେ ପୁଲିସ ଆଗରେ ସବୁ ମାନି ଯାଇଥିଲେ। ବାଇକ୍‌ଟିକୁ ସେମାନେ ମଙ୍ଗଳବାର ଦିନ ଲିଙ୍ଗରାଜ ଥାନା ତାଳବଣିଆ ଅଞ୍ଚଳରୁ ଚୋରି କରିଥିଲେ। ସେହିପରି ବିଭିନ୍ନ ସ୍ଥାନରୁ ମୋବାଇଲ୍‌ ଲୁଟ୍‌ କରିଥିବା ମଧ୍ୟ ମାନିଥିଲେ। ଆଜି ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର