ଅହମଦାବାଦ: ସାବରମତୀ ଆଶ୍ରମର ସୁରକ୍ଷା ପାଇଁ ବିଭିନ୍ନ ଗାନ୍ଧୀବାଦୀ ସଂଗଠନ ପକ୍ଷରୁ ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସେବାଗ୍ରାମ ଆଶ୍ରମର ବାପୁକୁଟୀର ସମ୍ମୁଖରୁ ବାହାରିଥିବା ‘ସେବାଗ୍ରାମ-ସାବରମତୀ ସନ୍ଦେଶ ଯାତ୍ରା’ ଅହମ୍ମଦାବାଦରେ ପହଞ୍ଚିଛି। ଏହି ସନ୍ଦେଶ ଯାତ୍ରାରେ ସାମିଲ ହୋଇଥିବା ଦେଶର ୨୦ଟି ରାଜ୍ୟର ୬୦ ଜଣ ଯାତ୍ରୀ ଅମରାବତୀ, ଅକୋଲା, ଖମଗାଁଓ, ଭୂଷାଲ, ଜଲଗାଁଓ, ମୁଇନଗର, ଅମଲନେର, ଧୁଲିଆ, ନନ୍ଦୁରୱାର, ଦୋଣ୍ଡାଇଚା, ବ୍ୟାରା, ବେଢଛି, ବଦୌଳି, ସୁରତ, ଭରୁଟ, କିମ, ବଡୋଦରା ଆଦି ଦେଇ ଅହମଦାବାଦରେ ପହଞ୍ଚିଛି।
ଏହି ଅବସରରେ ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧିର ସଭାପତି ରାମଚନ୍ଦ୍ର ରାହୀ କହିଲେ ଯେ ଗାନ୍ଧୀଜୀ ସାବରମତୀ ନଦୀ କୂଳରେ ଏହି ଜମି କିଣିଥିଲେ। ଗାନ୍ଧୀଜୀଙ୍କୁ ହତ୍ୟା ପରେ ତାଙ୍କର ଅନୁଗାମୀ ଡ. ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରମୁଖ ସରକାରରେ ଥାଇ ମଧ୍ୟ ସରକାରୀ ଅର୍ଥ ବିନିଯୋଗ ନକରି ଦେଶର ଲୋକଙ୍କଠାରୁ ୧୧ କୋଟି ଟଙ୍କା ଚାନ୍ଦାରେ ସାବରମତୀ ଆଶ୍ରମ ଓ ତାଙ୍କ ଲେଖା ଆଦିକୁ ସଂରକ୍ଷିତ କରିଥିଲେ। ଏହି ଆଶ୍ରମକୁ ପରିଚାଳନା କରିବା ପାଇଁ ପାଞ୍ଚଟି ଟ୍ରଷ୍ଟ କାର୍ଯ୍ୟ କରୁଥିବା ବେଳେ ସାବରମତୀ ଆଶ୍ରମ ସରକାରଙ୍କଠାରୁ ଟଙ୍କାଟିଏ ବି ସହାୟତା ନେଇନାହାନ୍ତି। ତେଣୁ ସରକାର ଏହାକୁ ଅଧିଗ୍ରହଣ କରିବା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ଟ୍ରଷ୍ଟ ଗଠନ କରିବା ସଂପୂର୍ଣ୍ଣ ଅନ୍ୟାୟ ବୋଲି ସେ କହିଥିଲେ।
ଯାତ୍ରାର ସଂଯୋଜକ ଡା. ବିଶ୍ବଜିତ କହିଲେ, ସରକାର ଗାନ୍ଧୀଜୀଙ୍କ ଦେଶକୁ ଚଳାଇବାରେ ବିଫଳ ହୋଇଛନ୍ତି। ତାଙ୍କ ଆଶ୍ରମକୁ ନଷ୍ଟ କରିବାର ପ୍ରୟାସକୁ ଦେଶବାସୀ ବରଦାସ୍ତ କରିବେ ନାହିଁ। ସାବରମତୀର ଏହି ଆନ୍ଦୋଳନ ଦେଶବ୍ୟାପୀ କରାଯିବ ବୋଲି ଜଳପୁରୁଷ ରାଜେନ୍ଦ୍ର ସିଂହ କହିଥିଲେ। ଗୁଜରାଟ ସାହିତ୍ୟ ସଭାର ସଭାପତି ପ୍ରକାଶ ଭାଇ ଶାହ କହିଲେ, ଦୁଇ ଗୁଜରାଟୀ ବାପୁ ଓ ସର୍ଦ୍ଦାର ନୂଆ ଭାରତ ଗଢ଼ିଥିବାରୁ ଆମେ ଗର୍ବିତ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରରେ ଥିବା ଗୁଜରାଟୀମାନେ ଦେଶରେ ଅରାଜକତା, ସାମ୍ପ୍ରଦାୟିକତା, ବେରୋଜଗାରୀ ବଢ଼ାଇ ଚାଲିଥିବାରୁ ଆମେ ଲଜ୍ଜିତ।
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି କୁମାର ପ୍ରଶାନ୍ତ, ସଞ୍ଜୟ ସିଂହ, ସବାଇ ସିଂହ, ଆଶା ବୋଆ, ଅଜମତଉଲ୍ଲୀ ଖାନ, ଭୂପେଶ ଭୂଷଣ, ଅଶୋକ ଭାରତ, ଅରବିନ୍ଦ କୁହା, ମନୋଜ ଠାକରେ, ମାନସ ପଟ୍ଟନାୟକ, ମଧୁ କୁମାରୀ, ଜଗଦୀଶ କୁମାର, ରାମାଧୀରଜ, ଉତ୍ତମ ପରମାର, ଆନ୍ନାମଲାଇ, ଶେଖ ହୁସେନ୍, ଆର.ଏନ୍ ପ୍ରଭୁ, ସୁଗନ ବରଣ୍ଡ, ଚିନ୍ମୟ ମିଶ୍ର, ମନୀଷ ଜାନୀ, ଦେବ ଦେଶାଈ, ସାଗର ଦାସ, ଶୋଭା ତାଇ, ରଜନୀକାନ୍ତ ପ୍ରମୁଖ ଏହି ଯାତ୍ରାର ନେତୃତ୍ବ ନେଇଛନ୍ତି। ଆଗାମୀ ଦିନରେ ଦିଲ୍ଲୀସ୍ଥିତ ଗାନ୍ଧୀଜୀଙ୍କ ସମାଧି ପୀଠରୁ ଦେଶବ୍ୟାପୀ ଏକ ଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65sf4h654sf65hshsffhshsfhshf.jpg)