ବାରଙ୍ଗ/ତ୍ରିଶୂଳିଆ: ଲୁଚାଚୋରାରେ ବାଣ ତିଆରି କରୁଥିବା ବେପାରୀମାନେ ପାର୍ବଣ ଋତୁ ପାଇଁ ସକ୍ରିୟ ହୋଇଉଠିଲେଣି। ସେମାନଙ୍କୁ ଠାବ କରିବା ପାଇଁ ପୁଲିସ ମଧ୍ୟ ବିଭିନ୍ନ ଜାଗାରେ ଚଢ଼ଉ କଲାଣି। ଆଜି ବାରଙ୍ଗ ଥାନା ପୁଲିସ ଏକ ଚୋରା ବାଣ କାରଖାନା ଠାବ କରିଛି। ଜୟପୁର ଗାଁରୁ ଠାବ ହୋଇଥିବା ଏହି ଚୋରା ବାଣ କାରଖାନାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ଏବଂ ବାଣୁଆ ବାପି ମଲ୍ଲିକକୁ ପୁଲିସ ଅଟକ ରଖିଛି। 

Advertisment

କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଏସିପି ଶଶିକାନ୍ତ ରାଉତଙ୍କ ତତ୍ତ୍ବାବଧାନରେ ବାରଙ୍ଗ ଥାନା ପୁଲିସ ଟିମ୍‌ ଏହି ଚଢ଼ଉ କରିଥିଲା। କିଛି ବର୍ଷ ହେଲା ଚୋରାରେ ବାଣ ତିଆରି କରୁଥିବା ବାପି ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଗାଁ ଭିତରେ ଏକ ଟିଣ ଆଜ୍‌ବେଷ୍ଟସ୍‌ ଛପର ଘରେ ବାଣ ତିଆରି ଚାଲିଥିଲା। ସେହି ଘର ଭିତରୁ ପୃଥକ ପୃଥକ ଅଖା ଓ ଜରି ପୁଡ଼ିଆରେ ଥିବା ଚାର୍‌କୋଲ୍‌, ସଲ୍‌ଫର୍‌ ଓ ବେରିଲିୟମ୍‌ ଭଳି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ସେହିଭଳି ବାଣ ତିଆରି ପାଇଁ ବିଭିନ୍ନ ପ୍ରକାର ଖୋଳ ମଧ୍ୟ ବିପୁଳ ପରିମାଣର ଜବତ କରାଯାଇଛି। ଜବତ ବିସ୍ଫୋରକ ସାମଗ୍ରୀର ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏସିପି ଶ୍ରୀ ରାଉତ କହିଛନ୍ତି। ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ସାଇଣ୍ଟିଫିକ୍‌ ଟିମ୍‌କୁ ହସ୍ତାନ୍ତର କରାଯାଇଛି। ଯାଞ୍ଚ କରାଯିବା ପରେ ବାପି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିପି ଶ୍ରୀ ରାଉତ କହିଛନ୍ତି। ଚଢ଼ଉ ଅବସରରେ ପୁଲିସ ଲୋକଙ୍କ ସଚେତନ କରିଛି। ବେଆଇନ ଭାବେ କେଉଁଠି, କେହି ଚୋରାରେ ବାଣ ତିଆରି କରୁଥିଲେ, ଲୋକେ ପୁଲିସକୁ ଜଣାନ୍ତୁ। ଲୁଚାଚୋରାରେ ବାଣ ତିଆରି ବାଣୁଆ ପାଇଁ ଲାଭଜନକ ବେପାର ହୋଇପାରେ। କିନ୍ତୁ କୌଣସି ଅଘଟଣ ଘଟିଲେ, ଆଖପାଖର ଲୋକେ କ୍ଷତିଗ୍ରସ୍ତ ହେବେ ଏବଂ ଧନଜୀବନ ହାନି ହେବ ବୋଲି ପୁଲିସ ସତର୍କ କରାଇଛି। ଏଭଳି ବହୁ ଉଦାହରଣ ରହିଛି। ତେଣୁ ଲୋକମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପୁଲିସକୁ ସହଯୋଗ କରିବା ଉଚିତ ବୋଲି ଏସିପି ଶ୍ରୀ ରାଉତ ପରାମର୍ଶ ଦେଇଛନ୍ତି।