ୟୁନିଟ୍‌-୪ ସିଏଚ୍‌ସିରେ ବନ୍ଦ ହେବ ଫିଜିଓଥେରାପି, ଫେରାଇ ନେବାକୁ ଆର୍‌ଏସ୍‌ଆଇସିର ଚିଠି

ଡାକ୍ତର ଯାଇଥି‌ଲେ; ଫିଜିଓଥେରାପିଷ୍ଟ ବି ଚାଲିଯିବେ

ଭୁବନେଶ୍ବର: ପୂର୍ବରୁ ଅସ୍ଥିଶଲ୍ୟ ଡାକ୍ତର ଫେରି ଯାଇଥିଲେ। ଏବେ ଫିଜିଓଥେରାପିଷ୍ଟଙ୍କୁ ମଧ୍ୟ ଫେରାଇ ନେବାକୁ ଯୋଜନା। ଫଳରେ ସଂପୂର୍ଣ୍ଣ ଭାବେ ଏକ ଚିକିତ୍ସା ୟୁନିଟ୍‌କୁ ଅଚଳ କରିଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ୟୁନିଟ୍‌-୪ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନ୍‌ରେ ଆସିଥିବା ଫିଜିଓଥେରାପିଷ୍ଟଙ୍କୁ ଫେରାଇ ନେବା ଲାଗି କଟକସ୍ଥିତ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର(ଆରଏସ୍‌ଆଇସି) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଯଦି ସ୍ବାସ୍ଥ୍ୟ ବିଭାଗ ସଂପୃକ୍ତ ଫିଜିଓଥେରାପିଷ୍ଟଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ଫେରିଯିବାକୁ ଅନୁମତି ଦିଅନ୍ତି, ତା’ହେଲେ ୟୁନିଟ୍‌ ସଂପୂର୍ଣ୍ଣ ବନ୍ଦ ହୋଇଯିବ। କିଛିମାସ ପୂର୍ବରୁ ମଧ୍ୟ ଏଭଳି ଉଦ୍ୟମ ହୋଇଥିଲା। ମାତ୍ର ସ୍ଥାନୀୟ ବିଧାୟକଙ୍କ ହସ୍ତ‌କ୍ଷେପ ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଫିଜିଓଥେରାପିଷ୍ଟଙ୍କୁ ପୂର୍ବଭଳି ସେଠାରେ କାର୍ଯ୍ୟ କରିବା ଲାଗି କୁହାଯାଇଥିଲା।

୨୦୧୭ ମସିହା ଡିସେମ୍ବର ମାସରେ ଅନ୍ତର୍ଜାତୀୟ ହକି ବିଶ୍ବକପକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୟୁନିଟ୍‌-୪ସ୍ଥିତ ସିଏଚ୍‌ସିରେ ସ୍ପୋର୍ଟସ୍‌ ମେଡିସିନ୍ ୟୁନିଟ୍‌ ଖୋଲିବା ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜଣେ ଅସ୍ଥିଶଲ୍ୟ ଡାକ୍ତରଙ୍କ ସମେତ ଫିଜିଓଥେରାପିଷ୍ଟ ଓ ଅନ୍ୟ ୨ଜଣ ଡାକ୍ତରଙ୍କୁ ଏଠାରେ ନିୟୋଜିତ କରାଯାଇଥିଲା। ମାତ୍ର ହକି ବିଶ୍ବକପ୍ ସମୟରେ ଏହି ୟୁନିଟ୍‌କୁ ବ୍ୟବହାର କରିବା ବଦଳରେ ଖେଳାଳିମାନଙ୍କୁ ରାଜଧାନୀର ୨ଟି ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଚୁକ୍ତି କରାଗଲା। ଏହା ସତ୍ତ୍ବେ ସ୍ପୋଟର୍ସ ମେଡିସିନ୍ ୟୁନିଟ୍‌ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା। କଳିଙ୍ଗ ଷ୍ଟାଡିୟମ୍‌ର କ୍ରୀଡ଼ାବିତ୍‌ଙ୍କ ସମେତ ବୟସ୍କ ବ୍ୟକ୍ତିମାନେ ଏଠାକୁ ନିଜର ଆଣ୍ଠୁଗଣ୍ଠି ଚିକିତ୍ସା ପାଇଁ ଆସୁଥିଲେ। କୋଭିଡ୍‌ ଯୋଗୁଁ ରୋଗୀଙ୍କ ଆସିବା ଏବେ ପ୍ରାୟ ବନ୍ଦ ହୋଇଯାଇଛି। ପରବର୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ‌ରୁ ସ୍ପୋର୍ଟସ୍ ମେଡିସିନ୍ ୟୁନିଟ୍‌କୁ ଆସିଥିବା ବିଶେଷଜ୍ଞଙ୍କୁ ହସ୍ପିଟାଲ କର୍ତୃପକ୍ଷ ଫେରାଇ ନେଇଥିଲେ। କେବଳ ଡେପୁଟେସନ୍‌ରେ ଆସିଥିବା ଫିଜିଓଥେରାପିଷ୍ଟ ହିଁ ସଂପୂର୍ଣ୍ଣ ୟୁନିଟ୍‌କୁ ପରିଚାଳନା କରୁଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପୋର୍ଟସ ମେଡିସିନ୍ ୟୁନିଟ୍‌ ବଦଳରେ ଏହାକୁ ଫିଜିକାଲ ‌ମେଡିସିନ୍ ରିହାବିଲେଟେସନ୍‌ ବା ପିଏମ୍‌ଆର ଭାବେ ପରିଚାଳନା କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହାସହ ୟୁନିଟ୍‌-୪ ସିଏଚ୍‌ସିରୁ ପୂର୍ବରୁ ଘୋଷଣା ହୋଇଥିବା ସ୍ପୋର୍ଟସ୍‌ ମେଡିସିନ୍ ୟୁନିଟ୍‌ କଳିଙ୍ଗ ଷ୍ଟାଡିୟମ ପରିସରରେ କାର୍ଯ୍ୟ କରିବ ବୋଲି କୁହାଗଲା।

ଏହା ଭିତରେ କିଛିମାସ ବିତି ଯାଇଥିଲେ ହେଁ ଏହା ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଭଳି ଏକ ଦୋଦୁଲ୍ୟମାନ ସ୍ଥିତିରେ ପିଏମ୍‌ଆର ୟୁନିଟ୍‌ କାର୍ଯ୍ୟ କରୁଥିବା ବେଳେ କଟକସ୍ଥିତ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ପକ୍ଷରୁ ଡେପୁଟେସନ୍‌ରେ ଆସିଥିବା ଫିଜିଓଥେରାପିଷ୍ଟଙ୍କୁ ପୁନର୍ବାର ନିଜ କାର୍ଯ୍ୟସ୍ଥଳୀକୁ ଫେରାଇ ନେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଦିଆଯାଇଥିଲା। ତେବେ ଏହି ୟୁନିଟ୍‌କୁ ବହୁ ସଂଖ୍ୟାରେ ବୟସ୍କ ଓ ଅନ୍ୟ ରୋଗୀମାନେ ଚିକିତ୍ସା ପାଇଁ ଆସୁଥିବାରୁ ଫିଜିଓଥେରାପିଷ୍ଟଙ୍କୁ ୟୁନିଟ୍‌-୪ ସିଏଚ୍‌ସିରେ ପୂର୍ବଭଳି କାର୍ଯ୍ୟ କରିବା ଲାଗି ବିଧାୟକ ଅନନ୍ତ ନାରାୟଣ ଜେନା ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। ଚଳିତବର୍ଷ ଜାନୁଆରି ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଫିଜିଓଥେରାପିଷ୍ଟଙ୍କୁ ୟୁନିଟ୍‌-୪ ସିଏଚ୍‌ସିରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ନିକଟରେ ଆରଏସ୍‌ଆଇସି ପକ୍ଷରୁ ପୁନର୍ବାର ତାଙ୍କୁ ଫେରାଇ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଦିଆଯାଇଛି। ଆରଏସ୍‌ଆଇସର ନିର୍ଦେଶକ ଡା. ନିର୍ମଳ ଚନ୍ଦ୍ର ମହାପାତ୍ର କହିଛନ୍ତି, କୋଭିଡ୍‌ ପାଇଁ ଏଠାରେ ସମସ୍ୟା ଦେଖା ଦେଇଛି। ତେଣୁ ଏଠାରୁ ଡେପୁଟେସନ୍‌ରେ ଯାଇଥିବା ଫିଜିଓଥେରାପିଷ୍ଟଙ୍କୁ ଫେରାଇ ଆଣିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଦିଆଯାଇଛି। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି ଡା. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର