ଇଟିକିଲି ମିଟିକିଲିର ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ବର: ହକି ବିଶ୍ବକପ୍‌ ଅବ୍ୟବହିତ ପୂର୍ବରୁ ‘ଇଟିକିଲି ମିଟିକିଲି’ ପକ୍ଷରୁ ହକିକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ‌େର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ୪ ଟି ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟବସ୍ତୁ ଥିଲା- ହକି ଷ୍ଟିକ୍‌ ଓ ବଲ୍‌, ଚତୁର୍ଥରୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟବସ୍ତୁ ଥିଲା- ଓଡ଼ିଶା ହକି ବିଶ୍ୱ କପ୍ ପୁରୁଷ ପ୍ରତିଯୋଗିତାର ଲୋଗୋ, ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟବସ୍ତୁ ଥିଲା- ହକି ଗୋଲ୍‌ ପୋଷ୍ଟରେ ଗୋଲ୍‌କିପର ଓ ଦଶମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ଥିଲା- ହକି ମ୍ୟାଚ୍‌ର ଖେଳାଳିଙ୍କ ଦ୍ୱାରା ଗୋଲ ଦିଆଯାଉ ଥିବାର ଦୃଶ୍ୟ। ଅନୁଷ୍ଠାନର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏମସିର ନିର୍ଦ୍ଦେଶକ ଶାନ୍ତନୁ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ, ରୟାଲ କଲେଜର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତି ଓ ବିଜେପି ଓଡ଼ିଶା ରାଜ୍ୟ-ପ୍ରବକ୍ତା ଦିଲ୍ଲୀପ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ଚିତ୍ର ସମୂହକୁ ନେଇ, ହକି ବିଶ୍ୱକପ୍‌ ଚାଲିଥିବା ସମୟରେ ଡିସେମ୍ବର ୭ ଓ ୮ ତାରିଖ ଦୁଇଦିନ ଧରି ଜୟଦେବ ଭବନଠାରେ ଏକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର