ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମି ଓ ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରିରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ ଏକାଡେମିର ସଚିବ ପଞ୍ଚାନନ ସାମଲ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପ୍ରଦର୍ଶନୀରେ ଏକାଡେମି ଦ୍ୱାରା ସଂଗୃହୀତ ୪୮ଜଣ ବରିଷ୍ଠ ତଥା ଯୁବଶିଳ୍ପୀଙ୍କ ସମସାମୟିକ ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଛି।

Advertisment

ଏଥିରେ ଗ୍ରୀଷ୍ମ ଋତୁର ଦୃଶ୍ୟ ସହ ଭୂଦୃଶ୍ୟ ଓ ଶିଳ୍ପୀଙ୍କ ନିଜସ୍ୱ ଶୈଳୀର ଚିତ୍ର ବେଶ ଭାବପୂର୍ଣ୍ଣ ହୋଇଥିବା ଅତିଥି କହିଥିଲେ। ଏହି ଅବସରରେ ଶିଳ୍ପୀ ଚନ୍ଦନ ସାମଲ, ରାଜକିଶୋର ମହାରଣା, ପ୍ରଦୀପ ପାଣ୍ଡେ, ଜନାର୍ଦ୍ଦନ ପରମ ଗୁରୁ, ରବୀନ୍ଦ୍ର ମହାରଣା, ଛାତ୍ରଛାତ୍ରୀ ଓ ବହୁ କଳାନୁରାଗୀ ଉପସ୍ଥିତ ଥିଲେ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଦର୍ଶକମାନଙ୍କ ପାଇଁ ଖୋଲା ରହିବ।