ଭୁବନେଶ୍ବର: ହୋଇପାରେ ତାହା ଶୁଖିଲା ଡାଙ୍ଗଟିଏ, ମାତ୍ର ଶିଳ୍ପୀର ସର୍ଜନାତ୍ମକ ଦୃଷ୍ଟିରେ ତାହା ସୁନ୍ଦର ଛବିଟିଏ। ଖୋଲା ଆକାଶ ତଳେ ବାଲି ଭିତରୁ ରାହା ଖୋଜୁଥିବା ହାତ ପାପୁଲିଟିଏ ହେଉ ଅବା ଦୂର ଦିଗ୍ବଳୟର ଏକ ବିଶେଷ ମୁହୂର୍ତ। ଅସ୍ତ୍ରୋପଚାର କରି ଅନେକଙ୍କୁ ନୂଆ ଜୀବନ ଦେଉଥିବା ଜଣେ ସର୍ଜନ ବି ରଙ୍ଗତୂଳୀର ସ୍ପର୍ଶରେ ଅନେକ ନିର୍ଜୀବକୁ ଏହିଭଳି ଜୀବନ୍ତ ରୂପ ଦେଇପାରେ। ଲଳିତ କଳା ଏକାଡେମି, ଆଞ୍ଚଳିକ କେନ୍ଦ୍ର ଗ୍ୟାଲେରିରେ ଆୟୋଜିତ ପ୍ରଦର୍ଶନୀ ‘ପର୍ସପେକ୍ଟିଭ୍’ ଆଣି ଦେଇଛି ଏମିତି ଏକ ଅବକାଶ। ଏଥିରେ ଶୋଭା ପାଉଛି ଡାକ୍ତର ଫାଲ୍ଗୁନି ରାୟଙ୍କ ୨ ଶହ ଫଟୋଚିତ୍ର, ପେଣ୍ଟିଂ ଓ ସ୍କେଚ୍। ଏଥିସହ ତାଙ୍କର ଦୁଇ କନ୍ୟା ପ୍ରଣିକା ରାୟ ଏବଂ ବର୍ଷା ରାୟଙ୍କର ମଧ୍ୟ ୫୦ଟି ସ୍କେଚ୍, ପେଣ୍ଟିଂ ଓ ଫଟୋଗ୍ରାଫି ପ୍ରଦର୍ଶିତ ହେଉଛି। ବ୍ୟାଙ୍ଗ୍କକ୍ର ଗୋଲ୍ଡେନ୍ ଡ୍ରାଗନ୍ ହେଉ ଅବା ୟୁକେର ଚର୍ଚ। ଇଜିପ୍ଟର ପିରାମିଡ୍ ହେଉ ଅବା ସ୍ବିଜରଲାଣ୍ଡ୍ର ହ୍ରଦ। ବିଶ୍ବର ସୌନ୍ଦର୍ଯ୍ୟକୁ ଲେନ୍ସରେ ତୋଳି ଆଣିଛନ୍ତି ଡାକ୍ତର ରାୟଙ୍କ ସମେତ ତାଙ୍କର ୨ କନ୍ୟା। ବାପା ପୁଲିନ୍ ବିହାରୀ ରାୟ ଜଣେ ହାସ୍ୟରସ ଲେଖକ ଥିବାରୁ ତାଙ୍କଠାରୁ ଅନୁପ୍ରାଣିତ ହୋଇ ସେ ସର୍ଜନାତ୍ମକ ଦିଗ ପ୍ରତି ଆକୃଷ୍ଟ ହୋଇଥିବା କହିଛନ୍ତି ଡାକ୍ତର ରାୟ। ଏହାସହ ଚିତ୍ରଗୁଡ଼ିକର ବିକ୍ରି ଉପଲବ୍ଧ ଅର୍ଥ ସଖା ଦ୍ବାରା ପରିଚାଳିତ ଏକ ବୃଦ୍ଧାଶ୍ରମକୁ ଦାନସୂତ୍ରରେ ଦିଆଯିବ ବୋଲି ଘୋଷଣା କରି ସେ ବଦାନ୍ୟତାର ଉଦାହରଣ ଦେଇଛନ୍ତି। ଆଜି ଏହି ପ୍ରଦର୍ଶନୀକୁ ଲଳିତ କଳା ଏକାଡେମି, ଆଞ୍ଚଳିକ କେନ୍ଦ୍ରର ସଚିବ ରାମକୃଷ୍ଣ ବେଦାଲା, ଓଡ଼ିଶା ଲଳିତ କଳା ଏକାଡେମିର ପ୍ରାକ୍ତନ ସଚିବ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା, ରବିନାରାୟଣ ରଥ ଏବଂ ସଂଜୀବ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଚିତ୍ରପ୍ରେମୀ ଦର୍ଶକ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ବୁଲି ଦେଖିପାରିବେ।
ସର୍ଜନଙ୍କ ଲେନ୍ସରେ ବିଶ୍ବର ସୌନ୍ଦର୍ଯ୍ୟ
/sambad/media/post_attachments/wp-content/uploads/2018/12/Untitled-15-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)