ରାଜଧାନୀରେ ଆଙ୍କିବେ କଳା ସଂସ୍କୃତିର ଚିତ୍ର

ଭୁବନେଶ୍ୱର ଆର୍ଟ କଲେକ୍ଟିଭ୍‌ର ନିଆରା ପ୍ରୟାସ

ଚନ୍ଦ୍ରଶେଖରପୁର : ଶିକ୍ଷାନୁଷ୍ଠାନ ରହିଥିବା ସ୍ଥାନଗୁଡ଼ିକରେ ରହିବ ସ୍ୱତନ୍ତ୍ର ଚିତ୍ରକଳା, ସଂଗ୍ରହାଳୟ, ଚିକିତ୍ସାଳୟ, ଚିତ୍ତବିନୋଦନ କେନ୍ଦ୍ର ଆଦି ଭିନ୍ନ ଭିନ୍ନ ସ୍ଥାନକୁ କଳା ସଂସ୍କୃତିର ମହନୀୟ ଚିତ୍ରରେ ସଜାଯିବ। ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଆସୁଥିବା ଅତିଥି ମାନେ ମନ୍ଦିରମାଳିନୀ ସହରର ନିଆରା ଅନୁଭୂତିର ମଜା ନେବେ। ସମଗ୍ର ରାଜଧାନୀକୁ ଆଧୂନିକ କଳା ସଂସ୍କୃତିର ଅପୂର୍ବ ସାଜସଜ୍ଜାରେ ଦିଆଯିବ ଏକ ଭିନ୍ନ ଚାହାଣୀ। ଏନେଇ ଆଗେଇ ଆସିଛନ୍ତି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କଳାକାରମାନେ। ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟ (ଇପ୍‌କା), ଉତ୍ସ ଫାଉଣ୍ଡେସନ ଫର୍‌ କଣ୍ଟେମ୍ପରାରୀ ଆର୍ଟ ଏବଂ ଯତୀନ ଦାସ ସେଣ୍ଟର ଅଫ୍‌ ଆର୍ଟ୍ସ (ଜେଡ଼ିସିଏ)ର ମିଳିତ ଉଦ୍ୟମରେ ସୃଷ୍ଟି ଭୁବନେଶ୍ୱର ଆର୍ଟ କଲେକ୍ଟିଭ୍‌ ପକ୍ଷରୁ ପାରମ୍ପରିକ କଳା ସଂସ୍କୃତି ଜରିଆରେ ରାଜଧାନୀର ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ।

ବିଡିଏ, ବିଏମ୍‌ସି, ଡିୟୁକେସି ସହିତ ମିଳିତ ଭାବରେ ‘ଆର୍ଟ ଇନ୍‌ ଦ ସ୍ମାର୍ଟ ସିଟି’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। କର୍ମଶାଳାରେ କଳା ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ବିଡିଏ ଉପସଭାପତି ଡ. କ୍ରିଷନ କୁମାର କର୍ମଶାଳାରେ ଯୋଗଦେଇ ଏହି ପ୍ରୟାସକୁ ପ୍ରଂଶସା କରିଥିଲେ। ରାଜଧାନୀକୁ ଏକ ନୂତନ ରୂପ ଦେବାକୁ ବିଶିଷ୍ଟ କଳା ସ୍ଥପତିମାନେ ଆଗେଇ ଆସିବା ସହିତ ଏନେଇ ଉତ୍‌ପ୍ରେରକର ଭୂମିକା ନିର୍ବାହ କରିବାକୁ ଡ. କୁମାର ଆହ୍ଵାନ ଦେଇଥିଲେ। ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାର ନିର୍ଯ୍ୟାସକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା ପ୍ରସ୍ତୁତ ହେବ। ଏହି କର୍ମଶାଳାରେ ପୃଥ୍ଵୀରାଜ ସିଂଦେଓ, ଜଗନ୍ନାଥ ପଣ୍ଡା, ଯତୀନ ଦାସ, ସୀତାକାନ୍ତ ମହାପାତ୍ର, ରାମହରି ଜେନା, ଅରୁଣା ମହାନ୍ତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ଏହି ପ୍ରୟାସ ସାରା ବିଶ୍ୱରେ ଭୁବନେଶ୍ୱରର ପ୍ରତିଷ୍ଠା ବୃଦ୍ଧି କରିବା ସହିତ ଏକ ନୂତନ ପରିଚୟ ଆଣିବାରେ ସହାୟ ହେବା ନେଇ ମତପ୍ରକାଶ ପାଇଥିଲା। ଦୁଇଦିନିଆ ଆଲୋଚନାଚକ୍ର ଅବସରରେ ଭୁବନେଶ୍ୱରକୁ କଳାସଂସ୍କୃତିର ପ୍ରାଣକେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଅନେକଗୁଡ଼ିଏ ଅଭିନବ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବଗୁଡ଼ିକୁ ଭୁବନେଶ୍ୱର ପବ୍ଲିକ୍‌ ଆର୍ଟ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ କରିବାକୁ ପ୍ରୟାସ ହେବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର