ସଙ୍କଟରେ କଳା ଅନୁଷ୍ଠାନ : କାର୍ଯ୍ୟକ୍ରମ ନାହିଁ, ସହାୟତା ଦିଅ

ଭୁବନେଶ୍ବର : କରୋନା ତାଲାବନ୍ଦୀ କେବଳ ଗରିବ ଅସହାୟ ଲୋକଙ୍କ ଜୀବନକୁ ବିପନ୍ନ କରିନାହିଁ, କଳାକୁ ‌ବୃତ୍ତି ଭାବେ ଆପଣେଇ ନେଇଥିବା କଳାକାରଙ୍କ ପେଟକୁ ବି ଲାତ ମାରିଛି। ମଞ୍ଚ ଉପରେ କଳା ପ୍ରଦର୍ଶନ କଲେ ସେମାନଙ୍କ ଘରେ ଚୁଲି ଜଳୁଥିଲେ ହେଁ ସେସବୁ ବନ୍ଦ। କେବେ କଳାକାରଙ୍କୁ ମଞ୍ଚ ପ୍ରବେଶର ଅନୁମତି ମିଳିବ ତାହା ବି କହିବା କାଠିକର। ତେଣୁ ‌ଢେର କିଛି ଦିନ ଚୁପ୍‌ ରହିବା ପରେ ମୁହଁ ଖୋଲି ନିଜ ପାଇଁ ସହାୟତା ଲୋଡ଼ିଛନ୍ତି ସାଂସ୍କୃତିକ ଅନୁଷ୍ଠାନ।

ଅଲ୍‌ ଓଡ଼ିଶା ପରଫର୍ମିଙ୍ଗ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ସହିଦନଗରସ୍ଥିତ ଏକ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସରକାରଙ୍କଠାରୁ ସହାୟତା ଲୋଡ଼ାଯାଇଛି। ସଂଘର ସମ୍ପାଦକ ବାସୁଦେବ ନାଥ କହିଛନ୍ତି, ଆମ ସଂଘ ଦ୍ବାରା ପଂଜୀକୃତ ୫ଶହରୁ ଅଧିକ କଳା ଅନୁଷ୍ଠାନ ଓ ୨୦ ହଜାର କଳାକାର ପ୍ରଭାବିତ ହୋଇଛନ୍ତି। କରୋନା ଯେଭଳି କାୟା ମେଲାଉଛି, ଏଭଳି ସ୍ଥିତିରେ କଳାକାର ଓ ଦର୍ଶକଙ୍କ ପାଇଁ ମଞ୍ଚ ଖୋଲିବା ସମ୍ଭବ ନୁହେଁ। ତେଣୁ ଏହା ଆଗାମୀ ଦିନରେ କଳାକାରମାନଙ୍କ ପାଇଁ ସଙ୍କଟ ସାଜିବ। ଏପରି କି କିଛି କଳା ଅନୁଷ୍ଠାନ ବନ୍ଦ ହୋଇଯିବା ଭଳି ଆଶଙ୍କା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କଳାକାରଙ୍କ ଦୁଃଖକୁ ଉପଲବ୍ଧି କରି ପୁନଃ ମଞ୍ଚ ଖୋଲିବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସଂଘର ସଭାପତି ପ୍ରତିଭା ପଣ୍ଡା ନିବେଦନ କରିଛନ୍ତି। ସଂଘ ପକ୍ଷରୁ ଉତ୍ସବ ଚରଣ ଦାସ, ନିରଂଜନ ରାଉତ, ଗଜେନ୍ଦ୍ର ପଣ୍ଡା, ଚିତ୍ରସେନ ‌ସ୍ବାଇଁ, ବୀରବର ଜେନା, ବିକ୍ରମ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସହାୟତା ଲୋଡ଼ିଛନ୍ତି।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ସ୍ବାଭାବିକ ଭାବେ ପ୍ରତି ମାସରେ ୩ଶହରୁ ୪ଶହ କଳା ଅନୁଷ୍ଠାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସରକାରୀ ସୂତ୍ରରୁ ସୁଯୋଗ ମିଳେ। ମାତ୍ର ଲକଡାଉନ ଚାଲିଥିବାରୁ ଏବେ ଏହା ସମ୍ଭବ ହେଉନାହିଁ। ତେବେ କଳା ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରିସାରିଛୁ। ଆଗକୁ କିପରି ସେମାନେ ଉପକୃତ ହୋଇପାରିବେ ସେନେ‌ଇ ବିଚାର ବିମର୍ଶ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର