ଆର୍ଟ ଭିଜନ୍‌ର ସଙ୍ଗମ ଫେଷ୍ଟିଭାଲ୍: ‘ତୋର ମୋର ଜୀବନ ବନ୍ଧା କେରି କେରି ସୂତାରେ’

ଭୁବନେଶ୍ବର: ‘ମିତରେ ମୋ ମିତରେ, ତୋର ମୋର ଜୀବନ ବନ୍ଧା କେରି କେରି ସୂତାରେ’। ଓଡ଼ିଶୀ ଛନ୍ଦରେ ଥିବା ଏହି ଗୀତଟି ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କୁ ବିମୋହିତ କରିଥିଲା। ବୁଣାକାରମାନଙ୍କ ଜୀବନଶୈଳୀକୁ ନେଇ ରଚିତ ଏହି ଗୀତରେ ଥିଲା ଜଣେ ବୁଣାକାରର ସ୍ବପ୍ନ। ସୂତାରେ ଛନ୍ଦି ହୋଇଥିବା ବୁଣାକାର ସ୍ବପ୍ନ ସେତିକିବେଳେ ସାକାର ହୁଏ, ଯେତେବେଳେ ପରିଧାନଟି ପିନ୍ଧିଥିବା ବ୍ୟକ୍ତି ଦେହରେ ଶୋଭାପାଏ। ସୂତା କାଟିବା ପରେ ସେଥିରେ ରଙ୍ଗ ଦେବା, ତାପରେ ସୂତାକୁ ତନ୍ତରେ ବସାଇ ଶାଢ଼ି ଓ ଅନ୍ୟାନ୍ୟ ‌ପରିଧାନ ତିଆରି କ‌ରିବା ପାଇଁ ତାକୁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ। ଲୁଗା ବୁଣା ପରେ ତାକୁ ଯେତିକି ଖୁସି ମି‌ଳେ, ଜଣେ ପିନ୍ଧିବା ପରେ ତାକୁ ତା’ଠାରୁ ବେଶି ଆନନ୍ଦ ମିଳେ। ସୂତା କଟାଠାରୁ ଆରମ୍ଭ କରି ଲୁଗା ବୁଣା ପର୍ଯ୍ୟନ୍ତ ସବୁ ପରିଶ୍ରମର ମୂଲ୍ୟ ପରିଧାନର ସୌନ୍ଦର୍ଯ୍ୟରୁ ତାକୁ ମିଳିଯାଏ। ଜଣେ ବୁଣାକାରର ଜୀବନ ଏମିତି। ଏହାକୁ ଓଡ଼ିଶୀ ଛନ୍ଦରେ ବେଶ୍ ନିଖୁଣ ଭାବେ ପରିବେଷଣ କରିଛନ୍ତି ସୁପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ. ଇଲିଆନା ସିତାରିଷ୍ଟିଙ୍କ ଆର୍ଟ ଭିଜନ୍‌ର କଳାକାରମାନେ।

ଆର୍ଟ ଭିଜନ୍‌ର ସଙ୍ଗମ ଫେଷ୍ଟିଭାଲ୍‌ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପର କାର୍ଯ୍ୟକ୍ରମ ଏହି ନୃତ୍ୟରୁ ଆରମ୍ଭ ହୋଇଥିଲା। ପଦ୍ମଶ୍ରୀ ଡ. ଇଲିଆନା ସିତାରିଷ୍ଟି ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ପ୍ରସନ୍ନ ପଟ୍ଟନାୟକ ଗୀତର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ପ୍ରର୍ଯ୍ୟାୟରେ ‘ଶଦ୍ଦସ୍ବର ପାଟ’ ପରିବେଷଣ କରାଯାଇଥିଲା। ରାଗ ଥିଲା ‘ଆନନ୍ଦ କେଦାର’ ଓ ତାଳ ଥିଲା ‘ଏକତାଳି’। ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟଶିଳ୍ପୀ କଲାଇମାମାନୀ ଶୈଳଜାଙ୍କ ନିର୍ଦ୍ଦେଶନାରେ ‘ସୂର୍ଯ୍ୟାଷ୍ଟକମ୍’ ପରିବେଷଣ କରାଯାଇଥିଲା। ଏହାପରେ ରାଗ ‘ହମଶାନନ୍ଦୀ’ରେ ପରିବେଷିତ ହୋଇଥିଲା ‘ଶଙ୍କର ଶ୍ରୀଗିରି’। ମହାରାଜା ସ୍ବାସ୍ତି ତିରୁନାଲ୍ ଏହାର ସଂଯୋଜନା କରିଥିଲେ। ଶେଷ ନୃତ୍ୟଟି ରାଗ ‘ରାଗମାଳିକା’ରେ ଥିଲା ‘ଅପସରା’। ପଦ୍ମବିଭୂଷଣ ଡ. ଭେମପତି ଚିନ୍ନା ସତ୍ୟମ୍ ଏହାର ନିର୍ଦ୍ଦେଶନା ଦେଇଥିଲେ। ଡ. ସଙ୍ଗୀତା ଗୋସାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା ଓ ସ୍ଥପତି ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର