ଭୁବନେଶ୍ବର: ବାହାରେ ଅଦିନିଆ ବର୍ଷାଜନିତ କୋହଲା ପାଗ ପୁଷ ମାସ ଜାଡ଼ର ତୀବ୍ରତାକୁ ବଢ଼ାଇ ଦେଇଥିଲା ସିନା, ଭିତରେ କିନ୍ତୁ ଥିଲା ଶିବ ତାଣ୍ଡବର ଉଦଣ୍ଡ ଉଷ୍ମତା। ଓଡ଼ିଶୀ ଛନ୍ଦରେ କପାଳିକା ଶିବ ଓ ଦଶ ମହାବିଦ୍ୟା ନୃତ୍ୟ ଦର୍ଶକଙ୍କ ମନପ୍ରାଣରେ ଭରି ଦେଇଥିଲା ଶିହରଣ। କେତେବେଳେ କପାଳିକା ଶିବ ଉଦଣ୍ଡ ନୃତ୍ୟ ଦର୍ଶକଙ୍କୁ ଶିହରିତ କରିଥିଲା ତ କେତେବେଳେ ରାଧାକୃଷ୍ଣଙ୍କ ପ୍ରେମରସରେ ଦର୍ଶକମାନେ ଭିଜିଥିଲେ। ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ନୂପୁରର ଝଙ୍କାର ଦର୍ଶକଙ୍କ ଶୀତ ହରଣ କରିନେଇଥିଲା। ଅବସର ଥିଲା ଆର୍ଟ ଭିଜନର ୨୫ ତମ ସ୍ବନକ୍ଷତ୍ର ଉତ୍ସବ।
ଆଜି ଥିଲା ଏହି ଦୁଇଦିନିଆ ଉତ୍ସବର ଉଦ୍ଘାଟନୀ ପର୍ବ। ପ୍ରଥମ ସନ୍ଧ୍ୟାରେ ମଙ୍ଗଳାଚରଣ ଆରମ୍ଭ ହୋଇଥିଲା କପାଳିକା ଶିବ ନୃତ୍ୟରୁ। ଶିବ ତାଣ୍ଡବ ସଦୃଶ ଏହି ନୃତ୍ୟ ମଞ୍ଚକୁ ପ୍ରକମ୍ପିତ କରିଥିଲା। ପରେ ଶବ୍ଦ ସ୍ବରପଟ୍ଟ ପଲ୍ଲବୀ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟର ୪ ଭଙ୍ଗୀକୁ ବିସ୍ତୃତ ଭାବେ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ପରିବେଶ ହଠାତ୍ ବଦଳି ଯାଇଥିଲା। ରସମୟ ପରିବେଶ ସୃଷ୍ଟି ହୋଇଥିଲା। ଚମ୍ପୁ ଝଗଡ଼ି ନୃତ୍ୟରେ ଶ୍ରୀକୃଷ୍ଣଙ୍କ ମାନ ଭଞ୍ଜନ କରିଥିଲେ ରାଧା। ‘ସଜନୀରେ ବୁଡ଼ିଗଲି ମୁଁ ଲାଜରେ’ ଗୀତରେ ନୃତ୍ୟାଙ୍ଗନାମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବି ମୋହିତ କରିଥିଲା। ବାଦ୍ୟର ତାଳ ଓ ନୃତ୍ୟର ଝଙ୍କାର ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଥିଲା। ଶେଷରେ ଦଶ ମହାବିଦ୍ୟା ନୃତ୍ୟ ମାଧ୍ୟମରେ ଦେବୀ ମା’ଙ୍କ ପ୍ରତି ଭକ୍ତି ଓ ଭାବ ଅଜାଡ଼ି ଦେଇଥିଲେ ଆର୍ଟ ଭିଜନର କଳାକାରମାନେ। ଉଦ୍ଘାଟନୀ ସଂଧ୍ୟାରେ ଅତିଥି ଭାବେ ପୂର୍ବତନ ସାଂସଦ ପସନ୍ନ ପାଟ୍ଟଶାଣୀ, ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଙ୍ଗୀତା ଗୋସେଇଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/54fs6h4fs65465ffshfh.jpg)