ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗଶିଳ୍ପୀ ତଥା କାର୍ଟୁନିଷ୍ଟ ସ୍ବର୍ଗତ କିଶୋର ରଥଙ୍କ ‘କଟାକ୍ଷ କିଶୋର’ର ଲେଖା ଥିଲା ଖୁବ୍ ଶକ୍ତିଶାଳୀ ଓ ମର୍ମସ୍ପର୍ଶୀ। କଟାକ୍ଷରେ ସେ କୌଣସି ସମ୍ବେଦନଶୀଳ ଖବରର ସାରମର୍ମକୁ ଅତି ନିଖୁଣ ଭାବେ ଚିତ୍ରଣ କରୁଥିଲେ। ତାଙ୍କ ବ୍ୟଙ୍ଗ କବିତା ଥିଲା ସ୍ବତନ୍ତ୍ର। ଆଜି ଓଡ଼ିଶା କାର୍ଟୁନ୍ ଏକାଡେମି ପକ୍ଷରୁ ୟୁନିଟ୍-୯ ସ୍ଥିତ ବିଏମ୍ସି ପ୍ରମୋଦ ଉଦ୍ୟାନ ପରିସରରେ ଆୟୋଜିତ ସ୍ମୃତି ସଭାରେ ଅତିଥିମାନେ ସ୍ବର୍ଗତ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏଭଳି କହିଛନ୍ତି। ବ୍ୟଙ୍ଗଶିଳ୍ପୀ କେଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଥିଲେ ଯେ ସ୍ବର୍ଗତ କିଶୋର ରଥଙ୍କ ‘କଟାକ୍ଷ କିଶୋର’ରେ କାର୍ଟୁନ୍ ଅପେକ୍ଷା ଲେଖା ବହୁତ ଶକ୍ତିଶାଳୀ ଥିଲା। ବହୁତ ଲୋକ ‘କଟାକ୍ଷ କିଶୋର’ ପାଇଁ ଖବରକାଗଜ କିଣୁଥିଲେ।
ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ସେ କାର୍ଟୁନ୍ ମାଧ୍ୟମରେ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିପାରୁଥିଲେ ବୋଲି ଶ୍ରୀ ସାହୁ କହିଥିଲେ। ଅନ୍ୟତମ ଅତିଥି ତଥା ‘ପୌରୁଷ’ର ସଂପାଦକ ଅସୀତ ମହାନ୍ତି କହିଥିଲେ, କିଶୋର ରଥ ଜଣେ ପ୍ରାସଙ୍ଗିକ ବ୍ୟକ୍ତି ଥିଲେ। ସେ ସାହିତ୍ୟକୁ କାର୍ଟୁନ୍ ସହ ଯୋଡ଼ିଥିଲେ। ତାଙ୍କର ପ୍ରତିଟି ଲେଖା ଶକ୍ତିଶୀଳୀ ଥିଲା। ଓଡ଼ିଶା କାର୍ଟୁନ୍ ଏକାଡେମିକୁ ପଞ୍ଜୀକରଣ କରି କାର୍ଟୁନ୍ ପ୍ରଦର୍ଶନୀ କରାଯାଉ ଓ ପ୍ରଥମ ପ୍ରଦର୍ଶନୀଟି ସ୍ବର୍ଗତ କିଶୋର ରଥଙ୍କ ନାମରେ ନାମିତ କରାଗଲେ, ତାଙ୍କ ପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ। ସାହିତ୍ୟିକ ପୀତବାସ ରାଉତରାୟ କହିଥିଲେ ଯେ ପ୍ରଥମେ ‘ସମ୍ବାଦ’ ପାଠକଟିଏ ଖବରକାଗଜ ପଢ଼ିବା ଠିକ୍ ପୂର୍ବରୁ ‘କଟାକ୍ଷ କିଶୋର’ ଉପରେ ନଜର ପକାଇଥାଏ। କାରଣ ସାରା ଦୁନିଆର କଥାକୁ ସେହି କଟାକ୍ଷ ମାଧ୍ୟମରେ ସ୍ବର୍ଗତ ରଥ ଦର୍ଶାଇଥାନ୍ତି। ବ୍ୟଙ୍ଗ ଚିତ୍ରଶିଳ୍ପୀ ସତ୍ୟାନାଶ କହିଥିଲେ ଯେ ସ୍ବର୍ଗତ ରଥଙ୍କ ଠାରୁ ହିଁ ବ୍ୟଙ୍ଗ କବିତାର ଆରମ୍ଭ ହୋଇଥିଲା। ସେ କବିତାକୁ ଆଧାର କରି ହିଁ କାର୍ଟୁନ୍ ଆଙ୍କୁଥିଲେ। ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ କହିଥିଲେ ଯେ ସ୍ବର୍ଗତ ରଥଙ୍କ କାର୍ଟୁନ୍ ଓ ଲେଖା ପାଠକ ମନରେ ଗଭୀର ରେଖାପାତ କରୁଥିଲା। ଏହାବାଦ୍ ସେ ଜଣେ କ୍ରିକେଟ୍ପ୍ରେମୀ ଥିଲେ। କିଶୋର ବଳୟ ଭିତରେ ସେ ସମସ୍ତଙ୍କୁ ଟାଣି ପାରିଥିଲେ।
ଏହି ସ୍ମୃତି ସଭାରେ ଭାସ୍କର୍ଯ୍ୟ ଶିଳ୍ପୀ ସରୋଜ କୁମାର ପଟେଲ, ଜୟପ୍ରକାଶ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। କେ କେ ରଥ, ସୁନାରାମ ସିଂ, ଉତ୍କଳ ଗୌରବ, ନନ୍ଦେଶୁ, ହୀରାଲାଲ୍ ବରିହା, ଶିବ ନାରାୟଣ, ପ୍ରଦ୍ୟୁମ୍ନ ନାଟୁଆ, ସୁଦାମ ଶେଖର, ସନ୍ତୋଷ ରଥ, ଚିତ୍ରଶିଳ୍ପୀ ରାମାନୁଜ ବୈରୀଗଞ୍ଜନ, ଚିନ୍ତାମଣି ବିଶ୍ବାଳ, ରେବତୀକାନ୍ତ ମହାରଣା, କବି ସରୋଜ ମିଶ୍ର, ଅବନିକାନ୍ତ ପାଟ୍ଟଯୋଶୀ, ମମତା ବିଶ୍ବାଳ, ନିଶାମଣି ନନ୍ଦ, ଜ୍ୟୋତ୍ସ୍ନାମଣି ନନ୍ଦ, ଲିଙ୍ଗରାଜ ସାହୁ, ଶରତ ପାତ୍ର, ପ୍ରତାପ ମିଶ୍ର, ପ୍ରଶାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟଙ୍ଗଶିଳ୍ପୀ ନୀଳିମା ନିବେଦିତା ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ୟଙ୍ଗଶିଳ୍ପୀ କମଳାକାନ୍ତ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ଓ ଯୁବ ବ୍ୟଙ୍ଗଶିଳ୍ପୀ ଦେବାଶିଷ ସିଂହ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୧୫ରୁ ଊର୍ଦ୍ଧ୍ୱ ବ୍ୟଙ୍ଗଶିଳ୍ପୀଙ୍କ ଦ୍ବାରା ଅଙ୍କିତ କିଶୋରଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶନ ମଧ୍ୟ ହୋଇଥିଲା।