କର୍କଟ ହାରିଯାଆନ୍ତା କି… ଆହୁରି ଅଭିନୟ କରନ୍ତି

ଅଭିନେତ୍ରୀ ରା‌ଜେଶ୍ବରୀଙ୍କୁ ଫୁସ୍‌ଫୁସ୍‌ କର୍କଟ

ଭୁବନେଶ୍ବର: ମୁହଁ‌ରେ ରଙ୍ଗବୋଳି ଯେବେ ସେ ପରଦାରେ ଉଭା ହୁଅନ୍ତି, କିଏ ତାଙ୍କୁ କହେ କଳିହୁଡ଼ି ତ କିଏ କହେ ଚଣ୍ଡୀ। ବୋଧେ ଖଳନାୟିକା ଭାବେ ଏହା ହିଁ ତାଙ୍କ ଅଭିନୟ ଜୀବନର ସାର୍ଥକତା। ମାତ୍ର କେବେ ବି ଭାବି ନ ଥିଲେ ଅଭିନୟ କରୁ କରୁ ସେ ବି ଦିନେ ଦୁନିଆ ରଙ୍ଗମଞ୍ଚରେ କର୍କଟର ଚକ୍ରବ୍ୟୂହରେ ଫସିଯିବେ। କର୍କଟର ୪ର୍ଥ ପର୍ଯ୍ୟାୟରେ ଥାଇ ବି ଅଭିନୟ ଦୁନିଆକୁ ଫେରିବାକୁ ସେ ବ୍ୟଗ୍ର। ଦର୍ଶକଙ୍କ ସାମ୍ନାରେ ପୁଣି ସେଇ ପୁରୁଣା ଭୂମିକାରେ ଅବତୀର୍ଣ୍ଣ ହୋଇ ମନୋରଂଜନ ଭେଟି ଦେବାକୁ ଭଗବାନଙ୍କ ନିକଟରେ ଗୁହାରି ବାଢ଼ୁଛନ୍ତି ଅଭିନେତ୍ରୀ ରାଜେଶ୍ବରୀ ରାୟ। ପ୍ରତିକୂଳ ସ୍ଥିତିରେ ବି ଅଭିନୟ ଦୁନିଆରେ ମସ୍‌ଗୁଲ୍‌ ରହି କଳାର ପୂଜାରୀ ହେବାକୁ ଯିଏ ଚିନ୍ତା କରିପାରେ ତା’ର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ରାଜେଶ୍ବରୀ। କିଛି ଦିନ ପୂର୍ବେ ଭୁବନେଶ୍ବରରେ ତାଙ୍କ ସହ ଆଲୋଚନା ବେଳେ ସେ କହୁ କହୁ ଅନେକ କଥା କହିଥିଲେ। +୨ ପଢ଼ିବା ବେଳେ ‘କସୌଟି ଜିନ୍ଦେଗି କି’ ଧାରାବାହିକ ଦେଖି ସେ ବି ଅଭିନୟର ମାୟାରେ ଛନ୍ଦି ହୋଇଯାଇଥିଲେ। ୨୦୦୬ ମସିହାରେ ‘ବସୁନ୍ଧରା’ ଧାରାବାହିକରୁ ସେ ଆରମ୍ଭ କରିଥିଲେ ନିଜ ଅଭିନୟ ଜୀବନ। ପରେ ସଂସ୍କାର, ଉଆଁସୀ କନ୍ୟା, ସ୍ବାଭିମାନ, ଦେବୀ, ସ୍ବାଭିମାନ, କୁମ୍‌କୁମ୍‌ ଓ ତୋ ପାଇଁ ମୁଁ ଭଳି ଧାରାବାହିକରେ ତାଙ୍କର ଖଳନାୟିକା ଚରିତ୍ର ହିଁ ଧରାବାହିକରେ ଦର୍ଶକଙ୍କୁ ମଜାଇ ରଖିବା ପାଇଁ ବାଧ୍ୟ କଲା। ତେବେ ଉଆଁସୀ କନ୍ୟା ଧାରାବାହିକରେ ତାଙ୍କ ‘ଅଳକା’ ଚରିତ୍ର ଓ ତୋ ପାଇଁ ମୁଁ ଧାରାବାହିକରେ ତାରା ଚରିତ୍ର ହିଁ ରାଜେଶ୍ବରୀଙ୍କୁ ଖ୍ୟାତି ଆଣିଦେଇଛି। ଖାଲି ସେତିକି ନୁହେଁ, ସତ୍ୟମେବ ଜୟତେ ଓ ବ୍ଳାକ୍‌ମେଲ୍‌ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟରେ ବସିଛନ୍ତି। ଦୀର୍ଘ ୧୩ ବର୍ଷର ଅଭିନୟ ଜୀବନ ଯାତ୍ରା ମଧ୍ୟରେ ଧସେଇ ପସିଛି ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କର୍କଟ। ୨୦୧୯ ମସିହା ଏପ୍ରିଲ୍‌ ୨୫ ତାରିଖରେ ଏ ବାବଦରେ ଜାଣିବା ପରେ କିଛି ସମୟ ପାଇଁ ସେ ନିରବ ହୋଇଯାଇ ଥିଲେ। ମାତ୍ର ପୁଣି ନିଜକୁ ସମ୍ଭାଳି ନେଇଥିଲେ। ସ୍ବାମୀ ଓ ବାପା- ମା’ଙ୍କୁ ସାହସ ଦେଲେ। ୩ ବର୍ଷ ତଳେ ସେ ଝିଅରୁ ବୋହୂ ହୋଇଥିବା ବେଳେ ସ୍ବାମୀଙ୍କ ସହମତିରେ ଏକ ଅନାଥ ଶିଶୁକୁ ଆଶ୍ରମରୁ ଆଣି ଲାଳନ ପାଳନ କରିବାକୁ ଭାବିଥିଲେ। ଏତେ ସବୁ ସ୍ବପ୍ନ ଦେଖୁ ଦେଖୁ ତାଙ୍କ ଜୀବନରେ କଳା ବାଦଲ ଢାଙ୍କି ହୋଇଗଲା। ମାତ୍ର ଏବେ୍ ରାଜେଶ୍ବରୀଙ୍କ ସାହସ ଦେଖି କଳା ବାଦଲ ବି ଯେମିତି ଉପହାସର ଶିକାର ହୋଇଛି।

ରାଜେଶ୍ବରୀଙ୍କ ସାଙ୍ଗେ ଯେବେ ତାଙ୍କର ଏ ଅବସ୍ଥାରେ କଥା ହୋଇଥିଲୁ, ସେତେବେଳେ ସେ ଏମିତି ସ୍ବାଭାବିକ ଥିଲେ, ଯେମିତି ତାଙ୍କର କିଛି ହୋଇ ନାହିଁ। ବରଂ କଥାର ମୋଡ଼ ବଦଳାଇ ସେ ‌ଚାଲି ଯାଉଥିଲେ ଅଭିନୟ କ୍ଷେତ୍ରକୁ। ଏକ ସ୍ଥାନକୁ ଡାକରା ପାଇ ସେଲେବ୍ରିଟି ଭାବେ ଯାଇଥିବା ଅନୁଭୂତିକୁ ବ୍ୟକ୍ତ କରୁକରୁ କହିଲେ, ଏବେ ସେଇ ବୁଢ଼ୀ ମାଉସୀମାନଙ୍କ କଥା ଭାରି ମନେ ପଡ଼ୁଛି। ବୃଦ୍ଧାମାନେ କଥା ଛଳରେ ମତେ କହୁଥିଲେ, ତୁ କଣ ସତରେ ଏତେ ରାଗି? କାହିଁକି ତୁ ଏତେ ରାଗୁଛୁ? ଟିକେ ବଦଳି ଯାଉନୁ। କାହିଁକି କାହା ପଛରେ ଏମିତି ଲାଗୁଛୁ? ତାଙ୍କର ଏଇ କଥା ମନେ ପଡ଼ିଲେ ପୁଣି ଅଭିନୟ କରିବାକୁ ଇଚ୍ଛା ହେଉଛି। ହେଲେ ଶରୀର ମତେ ଏତେଟା ଅନୁମତି ଦେଉନି। ମୁଁ କିନ୍ତୁ ଅଭିନୟ ଦୁନିଆକୁ ନିଶ୍ଚୟ ଫେରିବି। ତାଙ୍କ କଥାରେ ଏ ଦୃଢ଼ ପଣ ଦେଖି ଏମିତି ଲାଗୁଥିଲା, ଯେମିତି କର୍କଟ ବି ତାଙ୍କ ଆଗରେ ହାରିଯିବ। ଦର୍ଶକଙ୍କର ବି ସେୟା ଇଚ୍ଛା…

ସମ୍ବନ୍ଧିତ ଖବର