ଭୁବାନେଶ୍ବର: ହକି ବିଶ୍ବକପ୍ ଆୟୋଜନ ପାଇଁ ସଜେଇ ହେଉଛି ଭୁବନେଶ୍ବର। ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଅଂଶ ‘ଷ୍ଟାମ୍ପ-୩.୦’ ଆଜି ଠାରୁ ଆରମ୍ଭ ହୋଇଛି। ବିଧିବଦ୍ଧ ଭାବରେ ଏହି କାର୍ଯ୍ୟକ୍ରମକୁ ଆଜି ବିଏମ୍ସି ପରିସରରେ ଉଦ୍ଘାଟନ କରିଛନ୍ତି ମେୟର ସୁଲୋଚନା ଦାସ। ପ୍ରଥମ ଥର ପାଇଁ ଏଥିରେ ଲଳିତକଳା ଏକାଡେମି ସାମିଲ ହୋଇଛି। ରାଜଧାନୀ କାନ୍ଥରେ ହେବାକୁ ଥିବା ଚିତ୍ରକଳା ୨୦୧୮ ହକି ବିଶ୍ବକପ୍ ସମୟରେ ହୋଇଥିବା ଚିତ୍ର ଠାରୁ କିଭଳି ଆକର୍ଷଣୀୟ ହୋଇପାରିବ ସେ ନେଇ ଏକାଡେମି ଯତ୍ନବାନ ହେବାକୁ କୁହାଯାଇଛି। ୨୮ ଜଣ ଶିଳ୍ପୀ ଏକ ମାସ ମଧ୍ୟରେ ରାଜଧାନୀର ପ୍ରାୟ ୪୦ କିଲୋମିଟର ରାସ୍ତା କଡ଼ରେ ଥିବା ପାଚେରିକୁ ଚିତ୍ରିତ କରିବେ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ପରମ୍ପରା, କ୍ରୀଡ଼ା, ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ଚିତ୍ର ସ୍ଥାନ ପାଇବ। ଡିସେମ୍ବର ୩୧ ସୁଦ୍ଧା ଏହି ଅଞ୍ଚଳ ଚିତ୍ରିତ ହେବାକୁ ଯୋଜନା ହୋଇଛି।
ଏହାକୁ ଏକ ପେସା ଭାବରେ ନୁହେଁ ବରଂ ନିଶାରେ କରନ୍ତୁ, ଫଳରେ ବାହାରୁ ଆସୁଥିବା ଲୋକ ଏହି ଚିତ୍ରରୁ ଓଡ଼ିଶାର ଗୌରବ ସମ୍ପର୍କରେ ଜାଣିପାରିବେ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ। ଏହି ଚିତ୍ର ପାଇଁ ପୂର୍ବ ଥର ଠାରୁ ଏଥର ଅଧିକ ଜାଗା ମଧ୍ୟ ନିଆଯାଇଛି। ୧୨ ପ୍ରକାରର ଥିମ୍କୁ ନେଇ ଏଥର ଚିତ୍ର ହେବାକୁ ଯାଉଛି। ପୂର୍ବରୁ ଲୋକମାନଙ୍କ ଠାରୁ ବିଏମ୍ସି ଏ ବାବଦରେ ପରାମର୍ଶ ଆହ୍ବାନ କରିଥିଲା। କେଉଁ କେଉଁ ଥିମ୍କୁ ନେଇ ଚିତ୍ର କରାଯାଇ ପାରିବ ସେ ନେଇ ୨୧୭ ଜଣ ଲୋକ ପରାମର୍ଶ ଦେଇଥିଲେ। ସେହି ପରାମର୍ଶକୁ ଅଗ୍ରାଧିକାର ଦେଇ ଚିତ୍ର ଅଙ୍କା ଯାଉଥିବା ଜଣାପଡ଼ିଛି। ଏହି ଚିତ୍ରଅଙ୍କାକୁ ୨ଟି ଟିମ୍ ତଦାରଖ କରିବେ। ଏଥିରେ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ଆଜି ବିଏମ୍ସି ମେୟର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହି ଶିଳ୍ପୀମାନଙ୍କୁ ସ୍ବତନ୍ତ୍ର କିଟ୍ ପ୍ରଦାନ କରିଛନ୍ତି।