ଭୁବନେଶ୍ବର: ବାତ୍ୟା ପରେ ସମସ୍ୟା ପାଲଟିଛି ସବୁଜ ଆବର୍ଜନା। ଏବେ ବି ୨୦ରୁ ଊର୍ଧ୍ବ ସ୍ଥାନରେ ଗଦା ହୋଇଛି ସବୁଜ ବର୍ଜ୍ୟ। ଦାରୁଠେଙ୍ଗରେ ଡମ୍ପିଂୟାର୍ଡରେ ନିଆଁ ଲାଗିବା ପରେ ଏସବୁକୁ କେଉଁଆଡ଼େ ନିଆଯିବ ତାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ପାଲଟିଛି। କେବେ ଏହାକୁ ପାର୍କରେ ପୋତି କମ୍ପୋଷ୍ଟ ପିଟ୍‌ ତିଆରି କରିବା କଥା ଚିନ୍ତା କରାଯାଇଛି ତ କେବେ କମ୍ପୋଷ୍ଟ ସାର ପାଇଁ ଡାଳ ଓ ପତ୍ରକୁ ଗାତ ଖୋଳି ପୋତିବା କଥା କୁହାଯାଇଛି। ମାତ୍ର ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ପ୍ରଶାସନ।

Advertisment

ବାତ୍ୟା ବର୍ଜ୍ୟକୁ ବିନିଯୋଗ କରିବା ପାଇଁ ପ୍ରଶାସନ ଚିନ୍ତାରେ ପଡ଼ିଥିବା ବେଳେ ଏଥିରେ କୃତ୍ରିମ ସବୁଜ ପାହାଡ଼ ସୃ‌ଷ୍ଟି କରି ପର୍ଯ୍ୟଟନ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିବ। ବର୍ଲିନ ସହରକୁ ପ୍ରଶାସନ ଅନୁକରଣ ପୂର୍ବକ ଏହିଭଳି କୃତ୍ରିମ ପର୍ବତ କରାଯାଇପାରିବ ବୋଲି କହିଛନ୍ତି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର। ଦ୍ବିତୀୟ ବିଶ୍ବଯୁଦ୍ଧ ସଂଘଟିତ ହେବା ପରେ ୟୁରୋପ ଓ ଜାପାନ ଧ୍ବସ୍ତ ବିଧ୍ବସ୍ତ ହୋଇସାରିଥିଲା। ଜର୍ମାନିର ବର୍ଲିନ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ବର୍ଜ୍ୟସବୁର ପରିଚାଳନା ପାଇଁ ସେଠାକାର ପ୍ରଶାସନ ଧ୍ବଂସାବଶେଷକୁ ନେଇ ଗୋଟିଏ ବଡ଼ ଖୋଲା ଜାଗାରେ ପର୍ବତ ଆକାରରେ ଗଦା କରି ଦେଇଥିଲେ। ଏହାକୁ ପାହାଡ଼ ସଦୃଶ ପ୍ରସ୍ତୁତ କରିବା ପରେ ଏହା ଉପରେ ସବୁଜ ଘାସର ଚାଦର ସୃଷ୍ଟି କରାଗଲା। ଏଥିସହ କିଛି ବୃକ୍ଷଲତା ଓ ଗୁଳ୍ମ ରୋପଣ କରାଯାଇଥିଲା। ବର୍ଲିନ ସହରର ଅନୁକରଣ ପୂର୍ବକ ୟୁରୋପର ବିଭନ୍ନ ନଗରମାନଙ୍କରେ ସବୁଜ ପାହାଡ଼ ସୃଷ୍ଟି ହେଲା। ସଂପ୍ରତି ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ଧ୍ବଂସାବ‌ଶେଷର ସ୍ମାରକୀ ସାଜିଥିବା ବେଳେ ଏହି ପାହାଡ଼କୁ ଆକର୍ଷଣୀୟ କରିବା ପାଇଁ ପାହାଡ଼ ଉପରେ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଭିତ୍ତିଭୂମି ନିର୍ମିତ ହୋଇଛି।

ଏଠାରେ ଏସବୁ କଥାସାରକୁ ଅବତାରଣା କରିବାର ପ୍ରାସଙ୍ଗିକତା ହେଉଛି ସହରରେ ଫନିର ପ୍ରଳୟ ପରେ ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ସବୁଜ ଧ୍ବଂସାବଶେଷ ଏବଂ ଅନ୍ୟାନ୍ୟ ବର୍ଜ୍ୟର ପରିଚାଳନାର ବୈଷୟିକ ଉପାୟର ଅନୁକରଣ। ‘ଫନି’ ପୁରୀ ସମେତ ଭୁବନେଶ୍ବରକୁ ଛାରଖାର କରିଦେଇଛି। ଏଥିରୁ ସୃଷ୍ଟି ବର୍ଜ୍ୟ ସାମଗ୍ରୀ ବିଭିନ୍ନ ସ୍ଥାନରେ ଗଦା ହୋଇ ରହିଛି। ତେବେ ଏସବୁକୁ ନେଇ କୌଣସି ଏକ ଖୋଲା ସ୍ଥାନରେ ଏକାଠି ଗଦା କରି ସବୁଜ ସୁନ୍ଦର ପାହାଡ଼ ସୃଷ୍ଟି କରାଯାଇପାରିବ। ବାତ୍ୟା ଫନିର ସ୍ମାରକୀ ବହନ କରିବା ସହ ବାତ୍ୟା ବର୍ଜ୍ୟକୁ ପରିଚାଳନା କରିବାର ଏହି ସ୍ବତନ୍ତ୍ର ମାର୍ଗ ପରପିଢ଼ିକୁ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏବେ ବି ସାଲିଆସାହିରେ ନିର୍ମାଣ ବର୍ଜ୍ୟ ଜମା ହୋଇ ରହିଛି। ଏହା ବ୍ୟତୀତ କେତେକ ସ୍ଥାନରେ ସବୁଜ ବର୍ଜ୍ୟ ଜମା ହୋଇ ରହିଛି। ମୌସୁମୀ ଆସିଲେ ଏହା ଉପରେ ବର୍ଷା ପଡ଼ି ଏହା ପୁଣି ରାସ୍ତାକୁ ଭାସି ଆସିବ। ଜମା ହୋଇଥିବା ସ୍ଥାନରେ ବର୍ଷା ପାଣି ବାରମ୍ବାର ପଡ଼ିଲେ ପଚି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବ। ତେଣୁ ବର୍ଲିନ୍‌ ସହର ସ୍ବରୂପ ବିକଳ୍ପ ସବୁଜ ପାହାଡ଼ ସୃଷ୍ଟି କରି ପ୍ରଶାସନ ଉଦାହରଣ ସୃଷ୍ଟି କରିପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।