ବାଲିଅନ୍ତା: ‌ବିଦ୍ୟାଳୟ ସମ୍ମୁଖରେ ପୋଖରୀ। ଦେଖିଲେ ଯେ କେହି ଭାବିବ ଯେ ପୋଖରୀ ଭିତରେ ପଶିଲେ ଯାଇ ଶ୍ରେଣୀଗୃହରେ ପହଞ୍ଚି ହେବ। ଗେଟ୍‌ ପାଖରୁ ଆରମ୍ଭ ହୋଇ ଠିକ୍‌ ବିଦ୍ୟାଳୟର କୋଠା ପର୍ଯ୍ୟନ୍ତ ଲାଗି ଯାଇଛି ପାଣି। ପାଣିର ରଙ୍ଗ ବି ଏଭଳି, ‌ଯେ ଦେଖିଲେ ଲାଗୁଛି ଯେ ଖୁବ୍‌ ଗଭୀର ପର୍ଯ୍ୟନ୍ତ ଏଠି ପାଣି ଅଛି। କିନ୍ତୁ ବାସ୍ତବ କଥା ହେଲା ଏହା କୌଣସି ପୋଖରୀ ନୁହେଁ, ବରଂ ସ୍କୁଲ୍‌ ସମ୍ମୁଖ ଖାଲୁଆ ଥିବାରୁ ବର୍ଷା ପାଣି ଜମି ରହି ଏଭଳି ସ୍ଥିତି ଉପୁଜିଛି। ଏହା ହେଉଛି ଭୁବନେଶ୍ବର ବ୍ଲକ୍‌ ଅଧୀନ ଇଟିପୁର ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖର ଚିତ୍ର। ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନଥିବାରୁ ବିଦ୍ୟାଳୟ ସମ୍ମୁଖ ଏଭଳି ପୋଖରୀର ରୂପ ଧାରଣ କରିଛି। ଏହି ବିଦ୍ୟାଳୟ ହତାରେ ଦୀର୍ଘ ଦିନ ଧରି ବର୍ଷା ପାଣି ଜମି ରହୁଛି। ଫଳରେ ଏହାର ପରିବେଶ ଅସ୍ବାସ୍ଥ୍ୟକର ହୋଇଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପାଣି ଭିତରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବହୁଦିନ ଧରି ପାଣି ଜମି ରହିବା ଦ୍ବାରା ପୋଖରୀ ଭିତରେ କଲିକତି ଦଳ ମଧ୍ୟ ଭର୍ତ୍ତି ହୋଇଗଲାଣି। 

Advertisment

ସବୁଠୁ ବଡ଼ କଥା ହେଉଛି ବର୍ଷା ଲାଗି ରହିଲେ ଶ୍ରେଣୀଗୃହ ଭିତରକୁ ମଧ୍ୟ ପାଣି ପଶିଯାଉଛି। ଏହି ପାଣି ଜମି ରହିବା ଫଳରେ କେବଳ ପିଲାମାନଙ୍କୁ ଯିବାଆସିବାରେ ଅସୁବିଧା ହେଉନାହିଁ, ବରଂ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପାଠ ପଢ଼ା ଯିବା ଦ୍ବାରା ଛାତ୍ରଛାତ୍ରୀ ଓ ଣିକ୍ଷକ ମ୍ୟାଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାଭବ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ବିଦ୍ୟାଳୟ ପରିସରରେ ଫେଭର୍‌ ବ୍ଲକ୍‌ ପକାଯାଇଛି। ଫେଭର୍‌ବ୍ଲକ୍‌ ଚଟାଣ ଉପରେ ପାଣି ଜମି ରହୁଥିବାରୁ ତାହା ସହଜରେ ମାଟି ତଳକୁ ଯାଇ ନ ପାରି ଅଧିକ ଦିନ ଜମି ରହୁଛି। ପାଣି ଭିତରେ ପିଲାମାନେ ଯିବା ଆସିବା ବେଳେ ସାପ ଭୟ ମଧ୍ୟ ରହୁଛି। ଫଳରେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ସେହିପରି ବଦ୍ୟାଳୟ ହତାରେ ପାଣି ଜମି ରହିବା ଯୋଗୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନରେ ମଧ୍ୟ ଅସୁବିଧା ହେଉଛି। 
ସୂଚନାଯୋଗ୍ୟ, ପୂର୍ବ ସରକାରଙ୍କ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ବିଦ୍ୟାଳୟର ଉନ୍ନତୀକରଣ କରାଯାଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୩୬୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।