ଭୁବନେଶ୍ୱର: ଅଲ୍ ଓଡ଼ିଶା ପର୍ଫର୍ମିଙ୍ଗ୍ ଆର୍ଟିଷ୍ଟ ଆସୋସିଏସନ୍ର ଦ୍ୱିତୀୟ ବାର୍ଷିକ କଳାକାର ସମାବେଶ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ବାସୁଦେବ ନାଥ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀରେ ଆବେଦନକାରୀ ସଂସ୍ଥାମାନଙ୍କୁ ସାଂସ୍କୃତିକ ଦଳ ପ୍ରେରଣ କରିବାରେ ଚରମ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। ଦଳ ପରିଚାଳନା ବ୍ୟବସ୍ଥାକୁ ଅନ୍ଲାଇନ କରିବା ପରଠାରୁ କଳାକାର ଦୁର୍ଦିନରେ କାଳାତିପାତ କରୁଥିବା କହିଛନ୍ତି। ଅନ୍ଲାଇନ୍ରେ କଳାକାର ପାଉଣା ପାଉନଥିବା, ନିୟମିତ କାର୍ଯ୍ୟକ୍ରମ ମିଳୁନଥିବା ଭଳି ସଙ୍ଗିନ ଅଭିଯୋଗ କରାଯାଇଛି।
ପାରିଶ୍ରମିକ ପାଇବା ପାଇଁ କଳାକାରମାନଙ୍କୁ ୨ ବର୍ଷ ହେଲା ବିଭାଗକୁ ଦୌଡ଼ିବାକୁ ପଡ଼ୁଥିବା ନେଇ କଳାକାରମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମର ଅତିଥି ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଅରୁଣା ମହାନ୍ତି, ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ଶୁଭଶ୍ରୀ ମୁଖାର୍ଜୀ, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ କଳାକାରମାନଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ବାସୁଦେବ ନାଥ, ସଭାପତି ବିଜୟ ସାହୁ, ଚିତ୍ରସେନ ସ୍ୱାଇଁ, ଦୁର୍ଗା ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ମନୋରଞ୍ଜନ ଦାସ, ମମତା ଶତପଥି, ବିକ୍ରମ ମହାନ୍ତି, ଅନିଲ ବାରିକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଗୁରୁ ବୀରବର ଜେନା ଧନ୍ୟବାଦ ଦେଇଥିଲେ।