ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରମାଣ ହେଉଛି ଯାତ୍ରା। ତେଣୁ ଅସ୍ମିତାକୁ ବଞ୍ଚାଇ ରଖିବାକୁ ହେଲେ ଯାତ୍ରାର ସଂଳାପ ତଥା ବିଷୟବସ୍ତୁରେ ସଂସ୍କାର ଆଣିବାକୁ ହେବ। ଏଥିରେ ସାମାଜିକ ତଥା ପାରିବାରିକ ସମ୍ପର୍କ ଏବଂ ଭାବନାକୁ ଆଘାତ ପହଞ୍ଚାଉଥିବା ବିଷୟ ଯେପରି ନ ରହୁ ସେଥିପାଇଁ ମାଲିକମାନେ ଦୃଷ୍ଟି ଦେବା ଆବଶ୍ୟକ। ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ପ୍ରଥମ ବାର୍ଷିକ କଳାକାର ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସେହିପରି ଯାତ୍ରାକୁ ଯେପରି ସବୁ ବର୍ଗର ଲୋକ ଦେଖିପାରିବେ ସେହି ଅନୁସାରେ ଏହାର ସମୟ ସୀମା ନିର୍ଦ୍ଧାରଣ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଜୀବନ ସାଧନା ପାଇଁ ରାଜେନ୍ଦ୍ରଙ୍କୁ ‘ନଟରାଜ ସମ୍ମାନ’
ଟ୍ରଷ୍ଟର ସଭାପତି ଶିବ ନାରାୟଣ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଉତ୍ସବ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ, ଗୀତିକାର ତଥା ଆଇନଜୀବୀ ଲଳିତ ନାରାୟଣ ରଥ ଯୋଗ ଦେଇଥିଲେ। ସମ୍ପାଦକ ଜ୍ଞାନ ରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଯାତ୍ରା ଜଗତରେ ଆଜୀବନ ସାଧନା ପାଇଁ ରାଜେନ୍ଦ୍ର ମୋହନ ପତିଙ୍କୁ ‘ନଟରାଜ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଲୋକକଳାକୁ ବଞ୍ଚାଇ ରଖିଥିବା ବହୁ ବିଶିଷ୍ଟ କଳାକାର, ସମାଜସେବୀ, ଯାତ୍ରା ଜଗତର ବହୁ ବିଶିଷ୍ଟ ତଥା ନବାଗତ କଳାକାର ଓ ଅନ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡର ପରିଚାଳନା ଅଧ୍ୟକ୍ଷ ବିଧୁଭୂଷଣ ରଥ, ଉପସଭାପତି ଦେବିଦତ୍ତ ମହାନ୍ତି, ସହସମ୍ପାଦକ ଦିଲ୍ଲୀପ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ଭାରତ ଭୂଷଣ ନାଥ, ଉପଦେଷ୍ଟା ଭାବଗ୍ରାହୀ ପଣ୍ଡା, ଆଶିଷ ରଂଜନ ଦାଶ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପଦେଷ୍ଟା ଶ୍ୱିତିକଣ୍ଠ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶାଶ୍ୱତ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।