କାନ୍ଦୁଛି କଳାକାର: ଚିକିତ୍ସା ପାଇଁ ସଂଘର୍ଷରତ ହଜାରେ ଗୀତର ବିନ୍ଧାଣି

ଭୁବନେଶ୍ବର: ସତୁରି ଦଶକରେ ଯେବେ ରେଡିଓରେ ସଂଗୀତ ଶୁଣିବାକୁ ଲକ୍ଷଲକ୍ଷ ଶ୍ରୋତା କାନ ଡେରି ବସୁଥିଲେ, ସେତେବେଳେ ସେ ଥିଲେ ଅନେକ ଗୀତର ବିନ୍ଧାଣି। ଗୀତ ପାଇଁ ନିଜକୁ ସମର୍ପି ଦେଇଥିଲେ। ରାତିରାତି ଅନିଦ୍ରା ରହି ଗୀତ ଲେଖୁଥିଲେ। ପ୍ରଚ୍ଛଦପଟରେ ଥିଲେ ବି ତାଙ୍କର ଗୀତଟିଏ ଶୁଣିବା ପରେ ସେତେବେଳେ ପ୍ରଶଂସାର ଶହଶହ ଚିଠି ଆସି ପହଞ୍ଚିଯାଉଥିଲା। ମାତ୍ର ଏବେ ସେ ନିଃସ୍ବ। ହଜାରେରୁ ଅଧିକ ଗୀତର ସେଇ ସ୍ରଷ୍ଟା ତପନ ପଟ୍ଟନାୟକ ଆଜି ଟଙ୍କା ଅଭାବରୁ ଚିକିତ୍ସା ନପାଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଡାଏଲିସିସ୍‌ ପାଇଁ ଟଙ୍କା ନହେବାରୁ ମେଡିକାଲ୍‌ ତାଙ୍କୁ ଫେରାଇ ଦେଇଛି। ଅଥଚ ‌ସାହାଯ୍ୟ ତ ଦୂରର କଥା, ଏ ଅସମୟରେ କେହି ତାଙ୍କ ପାଖରେ ଠିଆ ବି ହୋଇନାହାନ୍ତି। କଳାକାରଟିଏ ସାଜି ସେ ଯେ କ’ଣ ଅର୍ଜିଛନ୍ତି, ବେଡ୍‌ରେ ପଡ଼ିପଡ଼ି କେବଳ ସେଇକଥା ଭାବି ଲୁହ ଝରାଉଛନ୍ତି। ମୁଁ ଆସିଛି ଦେଖି ମୋ କଳାବଦନକୁ… ହେଉ ଅବା ‘ମତେ କରିଦେ କରିଦେ ଦୀପରେ, ତୋ ଗରୁଡ଼ ଖୁମ୍ବ ତଳେରେ…। ଏହିପରି ଅନେକ ଲୋକପ୍ରିୟ ଗୀତର ସ୍ରଷ୍ଟା ନିଜର ସୃଜନ ଜଗତକୁ କେବଳ ଗୀତ ଭିତରେ ସୀମିତ ରଖି ନଥିଲେ। ଅପହଞ୍ଚ, ପ୍ରଦକ୍ଷିଣ ପ୍ରତିପ୍ରସ୍ତ, ନୀଳ ନିର୍ଜନ, ଅଝଟପଣରୁ ଆଞ୍ଜୁଳାଏ ଭଳି ୧୦ଟି ଉପନ୍ୟାସ, ୫ଟି ଗୀତି କବିତା, ୩୨ଟି କବିତା ଓ ୪ଟି ନାଟକ ରଚନା କରି ଅନେକଙ୍କୁ ମନୋରଂଜନ ବାଣ୍ଟିଛନ୍ତି। ମାତ୍ର ଆଜି ଶଯ୍ୟାଶାୟୀ ହୋଇ ନିଜେ ନିଜ ସହ ଦୁଃଖ ବାଣ୍ଟୁଛନ୍ତି। ସବୁଠୁ ବଡ଼ ଦୁଃଖ ଏହି ଯେ, ୨୦୦୯ରେ ଚାକିରି ସାରିଥିଲେ ବି ମିଥ୍ୟା ଅଭିଯୋଗ ଯୋଗୁ ସେ ଆଜି ପର୍ଯ୍ୟନ୍ତ ପେନ୍‌ସନ୍‌ରୁ ବଞ୍ଚିତ ଅଛନ୍ତି। ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡରେ ୧୯୭୦ ମସିହାରେ ଶ୍ରୀ ପଟ୍ଟନାୟକ ଚାକିରି ଆରମ୍ଭ କରିଥିଲେ। ମାତ୍ର ୨୦୦୦ ମସିହାରେ ତାଙ୍କ ବିରୋଧରେ ୪୦ ହଜାର ୪୦୦ ଟଙ୍କା ବିଦ୍ୟୁତ ଦେୟ ଆଦାୟ ବାବଦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେବାରୁ ଏପର୍ଯ୍ୟନ୍ତ ପେନ୍‌ସନ୍‌ ପାଇପାରୁନାହାନ୍ତି। ୨୦୦୬ରୁ କୋର୍ଟରେ ରହିତାଦେଶ ‌ଥିବା ସତ୍ତ୍ବେ ସେସୁରୁ କେହି କୋର୍ଟରେ ହାଜର ହେଉନାହାନ୍ତି। ଏନେଇ ସେସୁର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ଶକ୍ତି ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେସୁର ଏ ଅବିଚାର ହିଁ ତାଙ୍କୁ ପ୍ରତି ମୁହୂର୍ତରେ ଝୁଣି ଚାଲିଛି। ଭୁବନେଶ୍ବରରେ ଭଡ଼ା ଘରେ ଦିନ ବିତାଉଛନ୍ତି। ଗୋଟେ ‌ପଟେ ଏ ନିଷ୍ଠୁର ପ୍ରତାରଣା, ଅନ୍ୟ ପଟେ ସରକାରଙ୍କ ଅପହଞ୍ଚ ତାଙ୍କୁ ମାନସିକ ସ୍ତରରେ ଏକଦମ ନିଃସ୍ବ କରିଦେଇଛି। ତେଣୁ ଦିନେ ସେ ଲେଖିଥିବା ‘ମୋ ପାଖରେ କିଛି ନାହିଁ ‌ତତେ କିବା ଦେବିରେ…, ତୋ’ଠାରୁ ଜୀବନସାରା ହାତ ପାତି ନେବିରେ…ଗୀତକୁ ମନେ ପକାଇ ଅଭିମାନରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର