ଭୁବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର କାରଗାରର କଳା କାରନାମା ପୁଣି ଥରେ ଚର୍ଚ୍ଚାକୁ ଆସିଛି। କଏଦୀଙ୍କୁ ଗ୍ୟାଙ୍ଗ୍ଷ୍ଟର୍ଙ୍କ ନାଁରେ ଜେଲ୍ କର୍ତ୍ତୃପକ୍ଷ ଧମକ ଦେଉଥିବା ଅଡିଓ ଭାଇରାଲ୍ ହୋଇଥିବା ବେଳେ ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ହୋଇ ଜେଲ୍ ଆସିଥିବା କଏଦୀଙ୍କଠାରୁ ଟଙ୍କାନେଇ ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଜେଲ୍ର ଜଣେ କଏଦୀ ଭିଜିଲାନ୍ସ ଡିଜିଙ୍କୁ ଚିଠିଲେଖି ଏପରି ଅଭିଯୋଗ କରିବା ସହ ତାଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।
୨୦୨୨ ମସିହା ମେ ୨୮ରୁ ବିଚାରାଧୀନ କଏଦୀ ଭାବେ ଝାରପଡ଼ା ଜେଲ୍ରେ ଥିବା ରଶ୍ମିରଞ୍ଜନ ଭୋଳ ଜେଲ୍ ଡିଜିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଜେଲ ଅଧୀକ୍ଷକ, ସହକାରୀ ଜେଲର୍ ଓ କେତେକ ୱାର୍ଡର ଜେଲ୍ ଭିତରେ ସ୍ବେଚ୍ଛାଚାର ଚଳାଇଛନ୍ତି। ଧନୀ କଏଦୀମାନଙ୍କୁ ସ୍ବତନ୍ତ୍ର ସୁବିଧା ଦେଉଛନ୍ତି। ବିଶେଷ କରି ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଆସିଥିବା କଏଦୀ ଓ ଅନ୍ୟ ଅର୍ଥନୈତିକ ଅପରାଧରେ ଗିରଫ ହୋଇ ଝାରପଡ଼ା ଜେଲ୍କୁ ଆସୁଥିବା କଏଦୀମାନଙ୍କୁ ଟାର୍ଗେଟ୍ କରି ଟଙ୍କା ଆଦାୟ କରାଯାଉଛି ଓ ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ସୁବିଧା, ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ଫୋନ୍ପେ ମାଧ୍ୟମରେ ଟଙ୍କା ନେଣଦେଣ ହେଉଥିବା ରଶ୍ମିରଞ୍ଜନ ଡିଜିଙ୍କୁ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଜେଲ୍ ଭିତରେ ଆଇପିଏଲ୍ ପାଇଁ ବେଟିଂ ଚାଲିଥିବା ରଶ୍ମିରଞ୍ଜନ ମଧ୍ୟ ଅଭିଯୋଗ କରିଛନ୍ତି।
ଜେଲ୍ ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ଡିଜିଙ୍କୁ ଚିଠି ଲେଖିଲେ କଏଦୀ
ଟଙ୍କା ଦେଲେ ସବୁ ସୁବିଧା ମିଳୁଛି
ଟାର୍ଗେଟ୍ରେ ଅର୍ଥନୈତିକ ଅପରାଧରେ ଜେଲ୍ ଆସିଥିବା ଅଭିଯୁକ୍ତ
ଜେଲ୍ ଫୋନ୍ ବ୍ୟବହାର କରି ଅଡିଓ ଭାଇରାଲ୍
ଅଭିଯୋଗର ତଦନ୍ତ ହେବ: ଜେଲ୍ ଡିଜି
ସେହିପରି ଜେଲ୍ରୁ ଭାଇରାଲ୍ ହୋଇଥିବା ଅଡିଓରେ ରଶ୍ମିରଞ୍ଜନ ନିଜର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ୨୦୨୪ ସେପ୍ଟେମ୍ବରରେ ରଶ୍ମିରଞ୍ଜନ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଜେଲ୍ରେ ଚାଲିଥିବା ବେଆଇନ୍ କାରବାରର ଗୁମର ଖୋଲିଥିଲେ। ସେଥିପାଇଁ ତାଙ୍କୁ ଓ ତାଙ୍କ ସାଙ୍ଗକୁ ଜେଲ୍ ଭିତରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏବେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରି ଗ୍ୟାଙ୍ଗ୍ଷ୍ଟର୍ଙ୍କ ଦ୍ବାରା ହତ୍ୟା ଧମକ ଦେଇଥିବା ରଶ୍ମିରଞ୍ଜନ ଅଡିଓ ଭାଇରାଲ୍ କରିଛନ୍ତି। ଏଭିଳି ଚିଠି ଓ ଅଡିଓ ଭାଇରାଲ୍ ହେବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଛନକା ପଶିଛି। ଏସମ୍ପର୍କରେ ଝାରପଡ଼ା ଜେଲ୍ ଅଧୀକ୍ଷକ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି, ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଆମେ ଏହାର ତଦନ୍ତ କରିବୁ। ତେବେ ଜେଲ୍ ଭିତରୁ ଅଡିଓ କିପରି ଭାଇରାଲ୍ ହେଲା, ସେନେଇ ମଧ୍ୟ ତଦନ୍ତ କରାଯିବ। ଅପରପକ୍ଷେ ଜେଲ୍ ଡିଜି ଅରୁଣ ରାୟ କହିଛନ୍ତି ଯେ ଝାରପଡ଼ା ଜେଲ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି, ସେ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।