ଅରୁଣା ମହାନ୍ତି ଓ ଜଗନ୍ନାଥ କୁଅଁରଙ୍କୁ ‘ନୃତ୍ୟାଞ୍ଜଳି ସମ୍ମାନ’

ଭୁବନେଶ୍ବର: ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପ୍ରେକ୍ଷାଳୟକୁ ଶାସ୍ତ୍ରୀୟତାରେ ଭରି ଦେଇଥିଲା। ଏହା ପରେ ପରେ ଗୁରୁ ମନୋରଞ୍ଜନ ପ୍ରଧାନ, ସସ୍ମିତା ମହାନ୍ତି, ପ୍ରଭାତ ବିଶ୍ବାଳ ଓ ଅମ୍ବିକା ମଣିଆଙ୍କ ଓଡ଼ିଶୀ ଏକକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀମାନେ ମାତୃଭୂମି ବନ୍ଦନା, ସ୍ଥାୟୀନୃତ୍ୟ, ପଲ୍ଲବୀ ଓ ଲୋକନୃତ୍ୟ ଆଦି ପରିବେଷଣ କରିଥିଲେ। ଅବସର ଥିଲା ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ନାଟକ ଅନୁଷ୍ଠାନ ‘ନୃତ୍ୟାଞ୍ଜଳି’ ପକ୍ଷରୁ ଆୟୋଜିତ ୨୭ତମ ନୃତ୍ୟାଞ୍ଜଳି ମହୋତ୍ସବ’ର। ଏହି ୩ ଦିନିଆ ଉତ୍ସବକୁ ଆଜି ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ବାଳ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଲୋକ ପଲେଇ ଯୋଗ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଓଡ଼ିଶୀ ମର୍ଦ୍ଦଳ ଗୁରୁ ପ୍ରଫେସର୍‌ ଜଗନ୍ନାଥ କୁଅଁରଙ୍କୁ ‘ନୃତ୍ୟାଞ୍ଜଳି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଗୁରୁ ସୁକାନ୍ତ କୁମାର କୁଣ୍ଡୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନର ଉପସଭାପତି ଗୁରୁ ପୁଷ୍ପିତା ମିଶ୍ର ଓ କାର୍ଯ୍ୟକାରୀ ସମ୍ପାଦକ ଗୁରୁ ନିମା‌କାନ୍ତ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର