ଭୁବନେଶ୍ୱର: କଳାକାରଟିଏ ମୁହଁରେ ରଙ୍ଗ ମାରି ଅନ୍ୟକୁ ଆମୋଦ ଦେଇଥାଏ। ସେହିପରି ଲେଖକଟିଏ ନିଜ ଲେଖନୀ ମୁନରେ ଧଳା କାଗଜ ଉପରେ କଳା କାଳି ବ୍ୟବହାର କରି ପାଠକଙ୍କ ମନରେ ରୋମାଞ୍ଚ ଭରିଦିଏ। ଅକ୍ଷରମାନଙ୍କୁ କାଗଜ ଉପରେ ସଜାଇବାର କଳା ନିଆରା। ରାଜନୀତିରେ ଥିବା ସତ୍ତ୍ବେ ସାହିତ୍ୟ ପ୍ରତି ନିଜ ଅନୁରାଗ କାରଣରୁ ଲେଖନୀ ଚାଳନାରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଏହି କଳାକୁ ଅତ୍ୟନ୍ତ ସୁନ୍ଦର ଭାବେ ଜନମାନସରେ ଉତ୍ତରଣ କରିପାରିଛନ୍ତି। ଭଞ୍ଜ କଳାମଣ୍ଡପରେ ଆୟୋଜିତ ବିଧାୟକ ଶ୍ରୀ ସାହୁଙ୍କ ସମ୍ପାଦିତ ପୁସ୍ତକ ‘ସାଇତା ସତ’ ଓ ରଚିତ ଗୀତ ‘ବେହାଲ ବର୍ଷା’ର ଭିଡିଓ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ତମ୍ଭକାର ଅଭିରାମ ବିଶ୍ବାଳ ଲେଖକ ଶ୍ରୀ ସାହୁଙ୍କ ସାହିତ୍ୟ ପ୍ରତି ଥିବା ଅନୁରାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ବେହାଲ୍ ବର୍ଷା’ର ଭିଡିଓକୁ ଲୋକାର୍ପଣ କରାଯାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଏହାକୁ ସଙ୍ଗୀତରେ ସଜାଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଚିରାଗ୍ ଦୀପ୍ ପଣ୍ଡା। ଏଥିସହ ଗୀତ ପଛରେ ଥିବା କାହାଣୀର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ବି କେ ପବ୍ଲିକେସନ୍ର ପ୍ରକାଶକ ବିଜୟ ମହାପାତ୍ର ପୁସ୍ତକଟିକୁ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ବରିଷ୍ଠ ରାଜନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖଙ୍କ ସମେତ ବହୁ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ। ଅଂଶୁମାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।