କାଠ ପ୍ରତିକୃତି ନିର୍ମାଣ କରି ସ୍ବପ୍ନ ସାକାର କରୁଛନ୍ତି ଅରୁଣ

ଭୁବନେଶ୍ବର: ଆଗ୍ରାର ତାଜମହଲ, ମୁମ୍ବାଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆ, ଦିଲ୍ଲୀର ଇଣ୍ଡିଆ ଗେଟ୍‌, ଓଡ଼ିଶା ବିଧାନ ସୌଧ, ଧଉଳି ଶାନ୍ତିସ୍ତୂପ, ପ୍ୟାରିସ୍‌ ଆଇଫେଲ୍‌ ଟାୱାର୍‌ ହେଉ କି ଗ୍ରିସ୍‌ର ପିରାମିଡ୍‌। ଏ ସବୁର ଅବିକଳ ଜୀବନ୍ତ ପ୍ରତିକୃତି ଶୋଭା ପାଉଛି ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ। ସୋମବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ନିଜ ଭ୍ରମଣ ଅଭିଜ୍ଞତାରୁ ନୁହେଁ, କେବଳ ଫଟୋ ଦେଖି ନିଜ ସୃଜନ କଳାରୁ ନିର୍ମାଣ କରିଛନ୍ତି ଏ ସବୁ ପ୍ରତିକୃତି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଅରୁଣ କୁମାର ସାହୁ ନିଜ ପ୍ରତିଭା ଓ ସୃଜନ କଳାରେ କାଠରେ ଜୀବନ ଢାଳି ତିଆରି କରିଛନ୍ତି ଏ ସବୁ କଳାକୃତି। ବିଭିନ୍ନ ଐତିହ୍ୟ ଓ ପ୍ରସିଦ୍ଧ ସ୍ଥାନର ଫଟୋ ସଂଗ୍ରହ କରି ମାସ ମାସ ଧରି ସେ ସବୁ ନିର୍ମାଣ କରିବାରେ ମଗ୍ନ ରୁହନ୍ତି ଅରୁଣ। ସାଧାରଣତଃ ଗମ୍ଭାରୀ କାଠରେ ସେ ଏସବୁ ପ୍ରତିକୃତି ନିର୍ମାଣ କରୁଛନ୍ତି। ପ୍ରତିକୃତି ନିର୍ମାଣ ପରେ ସେ ସବୁରେ ପ୍ରାକୃତିକ ରଙ୍ଗ ବୋଳନ୍ତି। ତାଙ୍କ କଳାକୃତିରୁ ୧୭ ଇଞ୍ଚର ଅବିକଳ ତାଜମହଲ, ୧୩ ଇଞ୍ଚର ଗେଟ୍‌ ୱେ ଅଫ୍‌ ଇଣ୍ଡିଆ, ୧୬ ଇଞ୍ଚର ଓଡ଼ିଶା ବିଧାନସୌଧ, ୧୫ ଇଞ୍ଚର ଧଉଳି ଶାନ୍ତିସ୍ତୂପ, ୧୮ ଇଞ୍ଚର ଇଣ୍ଡିଆ ଗେଟ୍‌, ୩୬ ଇଞ୍ଚର ପ୍ୟାରିସ୍‌ ଆଇଫେଲ୍‌ ଟାୱାର୍‌ ଓ ୧୬ ଇଞ୍ଚ ଉଚ୍ଚତାର ଗ୍ରିସ୍‌ ପିରାମିଡ୍‌ ଜୀବନ୍ତ ରୂପ ପାଇଛନ୍ତି। ଏସବୁ ଅତ୍ୟନ୍ତ ଆକର୍ଷଣୀୟ ଓ ମନଲୋଭା ହୋଇଥିବା ବେଳେ ଏସବୁ ବିକ୍ରି କରିବାକୁ ପ୍ରସ୍ତୁତ ନୁହନ୍ତି ଅରୁଣ। ବିଶ୍ବର ସମସ୍ତ ଐତିହ୍ୟ ତଥା ପ୍ରସିଦ୍ଧ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକର ପ୍ରତିକୃତି ନିର୍ମାଣ କରି ଏକ ସଂଗ୍ରହାଳୟ କରିବାର ସ୍ବପ୍ନ ଦେଖିଛନ୍ତି ଅରୁଣ। ଏଥିପାଇଁ ଆଗକୁ ଯୁବପିଢ଼ିଙ୍କୁ ଏସବୁ ନିର୍ମାଣର କଳାକୌଶଳ ଶିକ୍ଷା ଦେବାର ବି ଯୋଜନା କରିଛନ୍ତି।

ଏହି ସଂଗ୍ରହାଳୟ ହେବ ଅରୁଣଙ୍କ ସ୍ବପ୍ନର ଦୁନିଆ। ପିଲା ଦିନର ସ୍ବପ୍ନ ପୂରଣ କରିବାକୁ ଏଭଳି ଏକ ନିଆରା ଶୈଳୀ ବାଛିନେଇଛନ୍ତି ଅରୁଣ। ପିଲା ଦିନେ ଦେଶ/ବିଦେଶ ବୁଲିବାର ଇଚ୍ଛା ଓ ସ୍ବପ୍ନ ସମସ୍ତଙ୍କର ଥାଏ। ଅରୁଣଙ୍କର ମଧ୍ୟ ଥିଲା। ତାଜମହଲ ଆଗରେ ଫଟୋଟିଏ ଉଠାଇବା, ‌ଦେଶବିଦେଶ ବୁଲିବା। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଏସବୁ ସ୍ବପ୍ନର ଡେଣା ଯେମିତି କାଟିଦିଏ। ଅରୁଣଙ୍କ ପାଠ ପଢ଼ା ମଧ୍ୟ ଅଧାରୁ ରହିଯାଏ। ବାପା ଜଣେ କାଠ ମିସ୍ତ୍ରି ଥିଲେ। ଘରୋଇ ଆସବାବପତ୍ର ତିଆରି ତାଙ୍କ ବେଉସା ଥିଲା। କିନ୍ତୁ ଅରୁଣଙ୍କ ସ୍ବପ୍ନ କିଛି ଅଲଗା ଥିଲା। ସେ ସ୍ବପ୍ନ ଦିଗରେ ଆଗେଇ ନିଜ କଳା ଓ ପ୍ରତିଭାକୁ ଆହୁରି ମାର୍ଜିତ କରିଥିଲେ। ମାସ ମାସ ଧରି ଏସବୁ କଳାକୃତି ତିଆରି କରିବାରେ ଲାଗିପଡ଼ିଲେ। ଐତିହ୍ୟ ସ୍ଥଳର ଫଟୋ ସଂଗ୍ରହ ଓ କାଠରେ ସେ ସବୁର ପ୍ରତିକୃତି ନିର୍ମାଣ ତାଙ୍କ ନିଶା ପାଲଟି ଗଲା। ଆଜି ସେ ତାଙ୍କ ସ୍ବପ୍ନ ଦିଗରେ ବହୁତ ଆଗେଇ ଯିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି ଅରୁଣ।

ସମ୍ବନ୍ଧିତ ଖବର