ରାଜଧାନୀରେ ଛୋଟ ହୋଟେଲରୁ ଆରମ୍ଭ କରି ବଡ ବଡ଼ ରେସ୍ତୋରାଁ ଯାଏ ବିଭିନ୍ନ ରକମର ଖାଦ୍ୟ ମିଳୁଛି। ଖାଦ୍ୟର ନାମ ମଧ୍ୟ ଭଳିକି ଭଳି ରହିଛି। ଏହା ସତ୍ତ୍ବେ ମନ୍ଦିର ପ୍ରସାଦର ଚାହିଦା ମଧ୍ୟ ଢେର୍ ରହିଛି। ଲୋକମାନେ ହୋଟେଲର ଅତ୍ୟଧିକ ତେଲ ମସଲା ଖାଦ୍ୟକୁ ଛାଡ଼ି ମନ୍ଦିରର ଶୁଦ୍ଧ ଶାକାହାରୀ ତଥା ସ୍ବାତ୍ତ୍ବିକ ଅନ୍ନ ଡାଲମାକୁ ପସନ୍ଦ କରୁଛନ୍ତି। ଶାନ୍ତ ଆଧ୍ୟାତ୍ମିକ ପରିବେଶରେ ତଳେ ବସି ପ୍ରସାଦକୁ ଶ୍ରଦ୍ଧାଳୁମାନେ ଅତି ଆନନ୍ଦର ସହ ଗ୍ରହଣ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିରରେ ଏବେ ପ୍ରସାଦ ସେବନର ବ୍ୟବସ୍ଥା
କରାଯାଇଛି।
ରାନୀ ନାୟକ
ଭୁବନେଶ୍ୱର: ୟୁନିଟ-୨ ଅଶୋକନଗର ରାସ୍ତାକଡ଼କୁ ଲାଗି ରହିଛି ଆର୍ଯ୍ୟ ସଂସ୍କୃତି ମନ୍ଦିର। ଯେଉଁଠି ଶିବ, ପାର୍ବତୀ, ଲକ୍ଷ୍ମୀ, ସରସ୍ୱତୀ, ରାଧାକୃଷ୍ଣ, ଜଗନ୍ନାଥ, ହନୁମାନ ପୂଜା ପାଇଥାନ୍ତି। କିନ୍ତୁ ପ୍ରଥମେ ଏଠାରେ ଶିବ ପୂଜା ପାଉଥିଲେ। ୨୦୧୫ ମସିହାରୁ ମନ୍ଦିର ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲେ ହେଁ କେବଳ ପାର୍ସଲ ଦିଆଯାଉଥିଲା। କିନ୍ତୁ ଗତ ୫ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଏଠାରେ ୨ଶହ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୁଏ। କିନ୍ତୁ ସୋମବାର ଏହା ସାଢ଼େ ତିନିଶହକୁ ଛୁଇଁଥାଏ। ଅନ୍ନ, ଡାଲମା, ଶାଗମୁଗ, ଖଟା, ଖିରି, ମିକ୍ସି ତରକାରି ଆଦି ପ୍ରସାଦରେ ମିଳେ। ଯାହାର ମୂଲ୍ୟ ୭୦ ଟଙ୍କା ରହିଛି। ଯଦି ପାର୍ସଲ ନିଅନ୍ତି ତେବେ ଏହା ୭୫ଟଙ୍କା ଦର ରହିଥାଏ। ଦିନ ୧୨ ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏଠାରେ ପ୍ରସାଦ ମିଳେ। ବିଭିନ୍ନ ବ୍ରତଘର, ଶ୍ରାଦ୍ଧ ଆଦିରେ ମଧ୍ୟ ଅର୍ଡର ରଖାଯାଏ। ମନ୍ଦିରରେ ଏକ ସାଙ୍ଗରେ ପ୍ରାୟ ୫୦ ଜଣ ଲୋକ ଖାଇବାର ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟି ପ୍ରସାଦ ପ୍ରସ୍ତୁତି କଥା ବୁଝିଥାଏ। ଏହି ଟଙ୍କାକୁ ମନ୍ଦିରର ଉନ୍ନତୀକରଣ, ନୀତିକାନ୍ତି ଓ ପୂଜକ ଦରମା ଆଦିରେ ଖର୍ଚ୍ଚ କରାଯାଇଥାଏ।
ମନ୍ଦିରର ପୂଜକ ସୁକାନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ, ମନ୍ଦିରଟି ପ୍ରାୟ ୬୯ ବର୍ଷ ପୁରୁଣା। ଏହି ମନ୍ଦିରକୁ କେବଳ ହିନ୍ଦୁମାନଙ୍କ ପ୍ରବେଶ ଥିବାରୁ ଏହାର ନାମ ଆର୍ଯ୍ୟ ସଂସ୍କୃତି ମନ୍ଦିର ରଖାଯାଇଛି। ମନ୍ଦିର ଥିବା ସ୍ଥାନଟି ପୂର୍ବରୁ ଜଙ୍ଗଲ ଥିଲା। ସେହି ପାଖାପାଖି କଂଗ୍ରେସ ଭବନ ଥିଲା। ଅଶୋକନଗରର ଲୋକେ ସେହି ବାଟ ଦେଇ ଯିବା ସମୟରେ ଗୋଟିଏ ଶିବଲିଙ୍ଗ ଦେଖିଥିଲେ। ଏହା ପ୍ରଭୁଙ୍କ ଆବିର୍ଭାବ ଭାବି ସେଠାରେ ଏକ ଚାଳ ଘର ତିଆରି କରି ଲିଙ୍ଗକୁ ପୂଜା କଲେ। କାଳକ୍ରମେ ସେହି ଅଞ୍ଚଳର ବୈକୁଣ୍ଠନାଥ ଜେନା, ରାଜେନ୍ଦ୍ର ମଲ୍ଲ, ଶମ୍ଭୁନାଥ ପଣ୍ଡା, ଭକ୍ତ ବାବୁ ପ୍ରମୁଖ ମିଶି ସେଠାରେ ଏକ ଶିବ ମନ୍ଦିର ସ୍ଥାପନ କଲେ। ପରେ ଏହି ଅଞ୍ଚଳରେ ବଜାର ଗଢ଼ି ଉଠିଲା ଓ ସରକାରୀ ବାସଭବନ ହେଲା। କିଛି ଭକ୍ତ ଜଗନ୍ନାଥ ମନ୍ଦିର ନିର୍ମାଣ କଲେ। ୧୯୯୮ ମସିହାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏଠାକୁ ଆସି ପାର୍ବତୀ ମନ୍ଦିରରେ ବିଗ୍ରହ ସ୍ଥାପନ କରିଥିଲେ। ସେହିପରି ୨୦୦୧ ମସିହାରେ ରାଧାକୃଷ୍ଣ ମନ୍ଦିରର ସ୍ଥାପନ ହୋଇଥିଲା। ପରେ ହନୁମାନ, ସରସ୍ୱତୀ ମନ୍ଦିର ନିର୍ମାଣ କରାଯାଇଥିଲା। କିନ୍ତୁ ମୂଳ ମନ୍ଦିରଟି କେବେ ପ୍ରତିଷ୍ଠା ହୋଇଥିଲା କାହାକୁ ଜଣାନାହିଁ।