ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ଗୁରୁ କବି ସୋମନାଥ ରାଜଗୁରୁଙ୍କ ଏକାଦଶାହ ଅବସରରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଭର୍ଚୁଆଲରେ ପାଳିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ଗଦାଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ ଝିଅ ଆଇନଜୀବୀ ସଂଘମିତ୍ରା ରାଜଗୁରୁ, ଅଭିନେତ୍ରୀ ସଂଗୀତା ପଟ୍ଟନାୟକ, ଭଜନ ଗାୟକ ଭରତ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ବର୍ଗତ ରାଜଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ନିଜ ଜୀବନକାଳ ମଧ୍ୟରେ ୩ ହଜାରରୁ ଊର୍ଧ୍ବ ଗୀତ ରଚନା କରିଥିବା ସ୍ବର୍ଗତ ରାଜଗୁରୁ ଭକ୍ତିସଂଗୀତ ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ।

Advertisment

ପିଲାବେଳୁ ସେ ଜଗନ୍ନାଥଙ୍କ ପାଇଁ ସମର୍ପିତ ଥିଲେ। ମାତ୍ର ୯ ବର୍ଷ ବୟସରେ ସେ ଜଗନ୍ନାଥଙ୍କ କାଠ କଣ୍ଢେଇ ଧରି ପ୍ରଥମ ଭଜନ ଲେଖିବା ଆରମ୍ଭ କରିଥିଲେ। ବେଗୁନିଆରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ପାଇଁ ୫ମାଣ ଦାନ କରିଥିଲେ। ପୁରୀରେ ରଥଯାତ୍ରା, ବହୁଡ଼ା, ସୁନାବେଶ, ମାଘ ସପ୍ତମୀ, ହେରା ପଞ୍ଚମୀରେ ଅନୁଷ୍ଠିତ ଭଜନ ସମାରୋହର ସେ ଥିଲେ ସ୍ରଷ୍ଟା। ଏଥିରୁ ମହାପ୍ରଭୁଙ୍କ ପ୍ରତି ତାଙ୍କ ଅଗାଢ଼ ଭକ୍ତିଭାବର ନିଦର୍ଶନ ମିଳେ। ଏହାବ୍ୟତୀତ ବିଭିନ୍ନ ପଲ୍ଲୀ ଗୀତ, ଛାନ୍ଦ, ଚମ୍ପୁ, ଓଡ଼ିଶୀ ଓ ଲଘୁ ସଂଗୀତ ରଚନାରେ ମଧ୍ୟ ସ୍ବର୍ଗତ ରାଜଗୁରୁ ପାରଙ୍ଗମ ଥିଲେ। ତାଙ୍କର ଦିଗ୍‌ଦର୍ଶନ ଓ ଭଜନ ପାଇଁ ଜେଇ କମ୍ପାନି କ୍ୟାସେଟ୍‌ ଓଡ଼ିଶାର ଘରେଘରେ ଆଦୃତ ହୋଇପାରିଥିଲା ବୋଲି ବକ୍ତାମାନେ ମତ ଦେଇଥିଲେ।

ଏହି ଅବସରରେ ଜନ୍ମସ୍ଥାନ ବେଗୁନିଆଠାରେ ସ୍ବର୍ଗତ ରାଜଗୁରୁଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶ କରାଯିବା ସହ ଭଜନ ସମାରୋହ କରାଯାଇଥିଲା। ଏଥିରେ ତାଙ୍କର ଜାମାତା ନ୍ୟାୟାଧୀଶ ଲଲିତ କୁମାର ଦାଶ, ପୁଅ ଶଶିକାନ୍ତ ରାଜଗୁରୁ, ସୂର୍ଯ୍ୟକାନ୍ତ ରାଜଗୁରୁ, କନ୍ୟା ସଂଘମିତ୍ରା ରାଜଗୁରୁ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, କବି ସତ୍ୟନାରାୟଣ ସାମନ୍ତରାୟ, ଭିକାରୀ ଚରଣ ସ୍ୱାଇଁ, ସୁରଗର୍ନ୍ଧବ ନବ କିଶୋର ମିଶ୍ର, ଜଗଦୀଶ ପ୍ରସାଦ ରଥ, ପ୍ରଶାନ୍ତ ପାଢ଼ୀ, ତାନସେନ୍‌ ସିଂହ, ପ୍ରମୋଦ ତିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରେମାଞ୍ଜଳି ମିଶ୍ର ସଂଯୋଜନା କରିଥିଲେ।