ଜଟଣୀ: ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଇଣ୍ତିଆ ନାମକ ଏକ ଦକ୍ଷତା ବିକାଶ ସଂସ୍ଥାରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ୧୫୦ଜଣ ଶ୍ରମିକ ଆଜି ସଂସ୍ଥାରୁ ଲୁଚି ପଳାଇବାକୁ ଉଦ୍ୟମ କରିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ପୁରୁଷ ସହିତ ଛୋଟପିଲା ମଧ୍ୟ ରହିଛନ୍ତି। ଖବର ପାଇ ଜଟଣୀ ତହସିଲଦାର ପ୍ରେମାଂଶୁ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କୁ ଖୋଜାଖୋଜି କରିଥିଲେ। ବିଳମ୍ବିତ ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ୮୦ଜଣଙ୍କୁ ଧରି ତହସିଲ୍‌ଦାର ଶ୍ରୀ ଚାନ୍ଦ ଜଟଣୀକୁ ଫେରାଇ ଆଣିଛନ୍ତି। ଅନ୍ୟ ଶ୍ରମିକମାନଙ୍କ ପତ୍ତା ମିଳିନାହିଁ।

Advertisment

ସୂଚନା ଅନୁସାରେ, କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଅଟକି ରହିଛନ୍ତି। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ୍‌ ଅନ୍ତର୍ଗତ ତରାବୋଇଠାରେ ଥିବା ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଇଣ୍ତିଆ ନାମକ ଏକ ଦକ୍ଷତା ବିକାଶ କେନ୍ଦ୍ରରେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକ ମଧ୍ୟ ଅଟକି ରହିଥିଲେ। ମହିଳା ଓ ପୁରୁଷ ଶ୍ରମିକଙ୍କ ସହ ସେମାନଙ୍କ ପିଲାଛୁଆ ମଧ୍ୟ ଥିଲେ। ମାତ୍ର ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସେମାନଙ୍କୁ ଆଣିଥିବା ଠିକାଦାର ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିନଥିଲେ। ୫ଟଙ୍କାର ବିସ୍କୁଟ୍‌ ଓ ପାଣି ପିଇ ସେମାନେ ବଞ୍ଚିଥିଲେ। ତେବେ ଏନେଇ ଅଭିଯୋଗ ହେବାପରେ ଠିକାଦାର ସେମାନଙ୍କୁ ଖାଇବା ଦେଇ ସେମାନଙ୍କଠାରୁ ଟଙ୍କା ନେଉଥିବା ଏହି ଶ୍ରମିକମାନେ ଅଭିଯୋଗ କରିଥିଲେ। କାମ ଧନ୍ଦା ବନ୍ଦ ହେବା ପରେ ଏମାନଙ୍କ ନିକଟରେ ଟଙ୍କା ନଥିବାରୁ ଏମାନେ ଘରକୁ ଫେରିବା ପାଇଁ ଠିକାଦାରଙ୍କୁ କହିଥିଲେ। ବାରମ୍ବାର ସମସ୍ତଙ୍କୁ ନେହୁରା ହେବାପରେ କେହି ନ ଶୁଣିବାରୁ ଶେଷରେ ଆଜି ସନ୍ଧ୍ୟାରେ ସେମାନେ ପିଲାଛୁଆଙ୍କୁ ଧରି ଚମ୍ପଟ ମାରିଥିଲେ। ଖବର ପାଇ ଜଟଣୀ ତହସିଲଦାର ପ୍ରେମାଂଶୁ ଚାନ୍ଦ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ନିକଟରୁ ୮୦ଜଣଙ୍କୁ ଧରି ଜଟଣୀକୁ ଆଣିଛନ୍ତି। ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ମିଳିପାରି ନାହିଁ।