ଦିନ ଗଡ଼ି ଚାଲିଛି, ଯନ୍ତ୍ରାଂଶ ନଷ୍ଟ ହେଲାଣି: ଖୋଲୁନାହିଁ ସେନ୍‌ସୋରି ପାର୍କ

ଭୁବନେଶ୍ବର: କାମ ସରିଲାଣି ବର୍ଷକ ତଳୁ। ଉନ୍ନତ ଯନ୍ତ୍ରପାତି ସବୁ ଅବ୍ୟବହୃତ ଅବସ୍ଥାରେ ପଡ଼ିପଡ଼ି ନଷ୍ଟ ହେବାକୁ ବସିଲାଣି। ଅଥଚ ଦିବ୍ୟାଙ୍ଗମାନଙ୍କ ପାଇଁ ବହୁ ପ୍ରତିକ୍ଷୀତ ରାଜ୍ୟର ପ୍ରଥମ ସେନ୍‌ସୋରି ପାର୍କ ଖୋଲିପାରିଲାନାହିଁ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ମାର୍ଟସିଟିର ଏହି ସୁନ୍ଦର ପରିକଳ୍ପନା ଏବେ ସେମିତି ସ୍ବପ୍ନ ହୋଇରହିଛି। ଏହା ହେଉଛି ସହିଦନଗରସ୍ଥିତ ମହର୍ଷି କଲେଜ ପାଖରେ ନିର୍ମାଣ ହୋଇଥିବା ସେନ୍‌ସୋରି ପାର୍କର କଥା।

ସୂଚନାନୁସାରେ ପ୍ରାୟ ୧୬ ହଜାରରୁ ଅଧିକ ବର୍ଗଫୁଟ୍‌ ଜମିରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୯୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହି ପାର୍କରେ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିଛି। ଦିବ୍ୟାଙ୍ଗମାନଙ୍କ ଖେଳିବା ପାଇଁ ତଥା ମନୋରଞ୍ଜନ ପାଇଁ ନୂଆ‌ନୂଆ ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ଷେ ହେଲା ସେସବୁ ଅବ୍ୟବହୃତ ହୋଇରହିଛି। ଫଳରେ ରେଫ୍ଲେକ୍ସଲୋଜି ପାଥ୍‌, ଷ୍ଟାଣ୍ଡାଡ୍ ସ୍ଲାଇଡ୍, ମଲ୍ଟି ପ୍ଲେ, ମଲ୍ଟି ଲାଇନ୍‌ ସ୍ବିଇଙ୍ଗ ଇତ୍ୟାଦି ଏବେ ଘାସବଣ ଭିତରେ ଲୁଚିଗଲାଣି। ହ୍ବିଇଲ୍‌ ଚେୟାର୍‌, ମେରି ଗୋ ରାଉଣ୍ଡର ଭଳି ଯନ୍ତ୍ରସବୁ ମଧ୍ୟ ଭାଙ୍ଗିଗଲାଣି। ସେହିପରି ମଙ୍କି ବାର୍ କ୍ଲାଇମ୍ବର, ହ୍ବିଇଲ୍‌ ଚେୟାର୍‌ ଦୋଳି, ଫନ୍ ଉଇଥ୍ ବେଲ୍‌ରେ କଳଙ୍କି ଲାଗିଗଲାଣି। ତିନି ସିଟ୍ ଯୁକ୍ତ ଗ୍ରାଉଣ୍ଡ ଲେଭଲ୍ ଏମ୍‌ଜିଆର, ଡ୍ରମ୍ ଟ୍ରାକ୍, ମ୍ୟୁଜିକାଲ୍ ଡ୍ରମ୍, ମ୍ୟୁଜିକାଲ୍ ପ୍ୟାନେଲ୍‌ରେ ଲାଗିଥିବା ଡ୍ରମ୍ ଗୁଡ଼ିକ ଫାଟିଗଲାଣି। ସେହିପରି ଭିତରେ ଥିବା ବଲ୍ ପୁଲ୍‌ରେ ଥିବା ସମସ୍ତ ବଲ୍‌ ଫାଟି ଗଲାଣି। ସେହିଭଳି ପାର୍କରେ ଲାଗିଥିବା ପାଣି ଟ୍ୟାପ୍‌ଗୁଡ଼ିକ ପ୍ରାୟ ଭାଙ୍ଗିଗଲାଣି।

କରୋନା କଟକଣା ହଟିବା ପରେ ଏହି ପାର୍କ ଖୋ‌ଲିବ ବୋଲି କୁହାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖ ଦିନ ଟ୍ବିଟର୍‌ ଜରିଆରେ ଭୁବନେଶ୍ବର ସ୍ମାର୍ଟ ସିଟି ପକ୍ଷରୁ ଉକ୍ତ ପାର୍କ ଖୁବ୍ ଶୀଘ୍ର ଖୋଲାଯିବା ନେଇ କୁହାଯାଇଥିଲା। ଏହା ଭିତରେ ୮ମାସରୁ ଅଧିକ ଦିନ ବିତିଗଲାଣି। ଏବେ ଯଦି ବି ପାର୍କ ଖୋଲାଯାଏ, ତେବେ ଦିବ୍ୟାଙ୍ଗମାନେ ଉପଯୁକ୍ତ ଭାବେ ଉପକୃତ ହେବେ ନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାନୁଯାୟୀ, ପାର୍କ ନିର୍ମାଣ ସମୟରେ ଶୌଚାଳୟ ନିର୍ମାଣ କରାଯାଇନଥିଲା। ବିନା ଶୌଚାଳୟରେ ଏହି ପାର୍କକୁ ଲୋକାର୍ପଣ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କଲେ। ତେଣୁ ଗତ ୨ମାସ ହେଲା ସେଠାରେ ଶୌଚାଳୟ ନିର୍ମାଣ କରାଯାଇଛି। ପାର୍କ ଖୋଲିବାକୁ ନେଇ ବିଡିଏର ଜଣେ ଅଧିକାରୀଙ୍କ କହିବା କଥା ପାର୍କକୁ ସ୍ମାର୍ଟସିଟିକୁ ହସ୍ତାନ୍ତର କରାଯାଇଛି। ଖୁବ୍‌ଶୀଘ୍ର ଏହା ଲୋକାର୍ପଣ ହେବ।

ସମ୍ବନ୍ଧିତ ଖବର