ଭୁବନେଶ୍ୱର: ମା’ ଆସିଥିଲେ। ସାରା ସହରର ପୂଜା ମଣ୍ଡପଗୁଡ଼ିକରେ ପାଞ୍ଚଦିନ ଧରି ମା’ଙ୍କୁ ଦର୍ଶନ କରିବାଲାଗି ଭିଡ଼ କରିଥିଲେ ଭକ୍ତ। ଏବର୍ଷର ଗହଳି ପୂର୍ବ ବର୍ଷଗୁଡ଼ିକୁ ଟପି ଯାଇଥିଲା। କେବଳ ଗହଳି ନୁହେଁ, ସାଜସଜ୍ଜା ଓ ଆଡ଼ମ୍ବରରେ ମଧ୍ୟ ଏ ବର୍ଷ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆଜି ମା’ ବିଦାୟ ନେଲେ ବର୍ଷଟିଏ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେବାର ପ୍ରତିଶ୍ରୁତି ଦେଇ। ଏ ବିଦାୟ ବେଳା ବିଶେଷକରି ଗତ ପ୍ରାୟ ମାସେ ଧରି ଭୋକ ଶୋଷ ଭୁଲି ପୂଜା ଆୟୋଜନରେ ଲାଗି ପଡ଼ିଥିବା ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କୁ କେମିତି ଭାବପ୍ରବଣ କରି ଦେଇଥିଲା, ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ। ଆଜି ରାଜଧାନୀର ୪ଟି ସ୍ଥାନରେ ଭସାଣି ମେଲଣ ସମାରୋହ ଅନୁଷ୍ଟିତ ହୋଇଥିଲା- ସହିଦନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ପୁରୁଣା ଭୁବନେଶ୍ବର। ଏହି ଚାରିଟି ସ୍ଥାନରେ ଆୟୋଜିତ ମେଲଣରେ ସ୍ଥାନୀୟ ଅଞ୍ଚଳର ପୂଜାମେଢ଼ସବୁ ଏକାଠି ହୋଇଥିଲେ। ତା’ପରେ ଶୋଭାଯାତ୍ରାରେ ଭସାଣି ସ୍ଥଳକୁ ଆଗେଇ ଯାଇଥିଲେ।

Advertisment

publive-image

ନୂଆପଲ୍ଲୀ
ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହରେ ଦାଣ୍ଡ ଦୁଲୁକି ଉଠୁଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଢ଼ମାନେ ବିଶାଳ ଶୋଭାଯାତ୍ରାରେ ରାଜରାସ୍ତା ଦେଇ କୁଆଖାଇ ନଦୀ ଅଭିମୁଖେ ଚାଲିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ଅଗଣିତ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ ରାସ୍ତାକଡ଼ରେ। ସବୁ ମେଢ଼ ଆଗରେ ଆଧୁନିକ ଡିଜେ ଥିଲେ ମଧ୍ୟ ବାସ୍‌ କମ୍ ଥିବାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ବାରି ହୋଇ ପଡୁଥିଲା ଚଳିତ ବର୍ଷର ଭସାଣ ସମାରୋହରେ। ଶଙ୍ଖ, ଘଣ୍ଟ, ଘଣ୍ଟା, ଶିଙ୍ଗବାଜା, ତୂରୀ, ମହୁରୀ ସାଙ୍ଗକୁ ଦୁଲୁଦୁଲି, ଢୋଲ, ମର୍ଦ୍ଦଳ ଓ ହଳଦୀକାଠର ଶବ୍ଦରେ ଶୋଭାଯାତ୍ରା ପ୍ରକମ୍ପିତ ହେଉଥିଲା। ସେହିଭଳି ସିଂହନାଚ, ଘୋଡ଼ାନାଚ, କଣ୍ଢେଇନାଚ ଓ ଷଣ୍ଢନାଚ ଆଦି ବେଶ୍ ଚମତ୍କାର ପରିବେଶ ସୃଷ୍ଟି କରିଥିଲା। ସନ୍ଧ୍ୟାରେ ମା’ଦୁର୍ଗାଙ୍କ ମେଲାଣି ଅବସରରେ ଆୟୋଜିତ ଭସାଣ ଉତ୍ସବ ପାଇଁ ନୂଆପଲ୍ଲୀରୁ ଗଙ୍ଗନଗର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଥିଲା। ପ୍ରତି ମେଢ଼ ଚାରିକଡ଼ରେ ଝୁଣା ଓ ଅଗୁରୁ ଗନ୍ଧ ଖେଳିଯାଉଥିଲା। ନାଚ ‌ଦେଖି ଦେଖି କମିଟି ସଦସ୍ୟମାନଙ୍କ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ମା’ଙ୍କୁ ଶୋଭାଯାତ୍ରାରେ ନେଇ ନଦୀପଠା ଅଭିମୁଖେ ବାହାରିଥିଲେ। ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ ସମ୍ମୁଖରେ ଭସାଣି ଉତ୍ସବ ପାଇଁ ୧୮ଟି ମେଢ଼ ଏକାଠି ହୋଇଥିଲେ। ତା’ ଭିତରେ ଥିଲେ ଭଗବାନପୁର ଦୁର୍ଗାପୂଜା କମିଟି, ଆଇଗିଣିଆ ଦଧିବାମନ ଦେବ କମିଟି, ପୋଖରୀପୁଟ କମିଟି, ଶ୍ୟାମପୁର କମିଟି, ରଣସିଂହପୁର କମିଟି, ଶିରିପୁର କମିଟି, ୟୁନିଟ୍‌ -୮ ରାଜ କ୍ଲବ୍ , ଜୟଦେବ ବିହାର କମିଟି, ଝାଡ଼େଶ୍ୱରୀ ଦୁର୍ଗାପୂଜା କମିଟି, ନୂଆସାହି ମହାବୀର ପୂଜା କମିଟି, ସାଲିଆସାହି ଆଞ୍ଚଳିକ ଦୁର୍ଗାପୂଜା କମିଟି, ଡୁମୁଡ଼ୁମା, ଗଣ୍ଡମୁଣ୍ଡା ସାର୍ବଜନୀନ ଦୁର୍ଗା‌ପୂଜା ସମିତି ପ୍ରମୁଖ। ସେମାନେ ନୂଆପଲ୍ଲୀରୁ ବାହାରି ସିଆର୍‌ପି ଛକ, ଡିଏଭି ସ୍କୁଲ୍ ଛକ, ଓୟୁଏଟି ଛକ, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ଦେଇ କୁଆଖାଇ ନଦୀ ପଠାରେ ନିର୍ମିତ ଦେବୀଗଡ଼ାକୁ ଯାଇଥିଲେ।

ଚନ୍ଦ୍ରଶେଖରପୁର
ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆରଟିଓ ପ୍ରଶିକ୍ଷଣ କେନ୍ଦ୍ର ନିକଟ କ୍ଲବ ଟାଉନ୍ ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ଭସାଣି ଉତ୍ସବ। ଉତ୍ତର ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୨୧ଟି ମେଢ଼ ଏଥିରେ ଯୋଗ ଦେଇଥିଲେ । ଏଥିମଧ୍ୟରେ ଡମଣା, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାର,ଡିଷ୍ଟ୍ରିକ୍ଟ ସେଣ୍ଟର, ନନ୍ଦନ ବିହାର, ବିଡିଏ କଲୋନୀ, ଶିଖରଚଣ୍ଡୀ, ଇଞ୍ଜଣା, ଗାଡକଣ ଓ ଅନ୍ୟ ପୂଜା ମଣ୍ଡପରୁ ମେଢ଼ଗୁଡିକ ବିଭିନ୍ନ ବାଦ୍ୟ, ଆତସବାଜି, ପାରମ୍ପରିକ ନୃତ୍ୟ ଓ ଡିଜେ ଧୁନ୍ ତଥା ନାଚରେ ସନ୍ଧ୍ୟାସୁଦ୍ଧା ପଡିଆ ମଧ୍ୟରେ ପ୍ରବେଶ କରିଥିଲେ। ଭସାଣି କମିଟିର ଉପଦେଷ୍ଟା କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଯଶୋଧାରା ପ୍ରଧାନ, ମୋନାଲିସା ସାହୁ, ସୁଷମା ସାହୁ, ମୋନାଲିସା ବେହେରା, ଭସାଣି କମିଟିର ଅନ୍ୟତମ ଉପଦେଷ୍ଟା ଡ. ମଧୁମାଧବ ଜେନା, ସୁରେଶ ରଥ, ଗଜି ଜେନା, ସନ୍ତୋଷ ମହାନ୍ତି, ପ୍ରଦୀପ ଜେନା ପ୍ରମୁଖ ଯୋଗଦେଇ ଉତ୍ତର ଭୁବନେଶ୍ୱରର ଭାଇଚାରାକୁ ପ୍ରଶଂସା କରିଥିଲେ। ସଂଯୋଜକ ସମରେନ୍ଦ୍ର ସାହୁ ସ୍ବାଗତ ଭାଷଣ ରଖିଥିଲେ। ଏହି ଅବସରରେ ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷାର ଗୁରୁ ଦାୟିତ୍ବ ବହନ କରିଥିବା ଅତିରିକ୍ତ ଡିସିପି,ଏସିପି, ଓ ଥାନା ଅଧିକାରୀ, ବିଭିନ୍ନ କ୍ଷେତ୍ରରେ ଅବଦାନପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କର୍ପୋରେଟର ମିହିର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ଗାଡକଣ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିଣ୍ଟାଲ ୨୦ କେଜି ଓଜନର ଲଡୁ। ଏହାକୁ ନିଲାମ ଡକାଯାଇଥିଲା। ୧ ଲକ୍ଷ ୮୦ ହଜାର ଟଙ୍କାରେ ଇଞ୍ଜଣା ପୂଜା କମିଟି ନିଲାମ ନେଇଥିଲା। ଅତିରିକ୍ତ ଡିସିପି ସର୍ବେଶ୍ୱର ପାଲ, ୬ ନମ୍ବର ଜୋନ ଏସିପି ରମେଶ ଚନ୍ଦ୍ର ବିଶୋଇ, ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା, ଟ୍ରାଫିକ ଆଇ ଆଇ ସି ଦୁର୍ଗା ଚରଣ ଜେନା ଓ ୫ ଟି ଥାନାର ଆଇଆଇସି ଉପସ୍ଥିତ ରହି ଆଇନ ଶୃଙ୍ଖଳା କଥା ବୁଝିଥିଲେ। ରାତି ୯ଟାରେ ପଡିଆରୁ ମେଢ଼ଗୁଡିକ ବାହାରି ବିଭିନ୍ନ ବାଦ୍ୟ ଓ ନାଚର ତାଳେ ତାଳେ ଡମଣା ଛକ, କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ ଛକଦେଇ କୁଆଖାଇ ଅଭିମୁଖେ ଯାତ୍ରା କରିଥିଲେ।

publive-image

ସହିଦନଗର
ଆଗରେ ସଜବାଜ ହୋଇ ଚାଲୁଥିଲେ ଓଟ। ଓଟ ପଛକୁ ଥିଲା ଘୋଡ଼ା ନାଚ। ପାରମ୍ପରିକ ବାଦ୍ୟରେ ନାଚୁଥିଲେ ଘୋଡ଼ା। ତା’ ପଛକୁ ଥିଲେ ମୟୂର। ସମସ୍ତଙ୍କ ମୁଣ୍ଡରେ ବନ୍ଧା ହୋଇଥିଲା ମୟୂର ପୁଛ। ଲାଗୁଥିଲା ମେଘକୁ ଦେଖି ଦଳେ ମୟୂର ଯେମିତି ପୁଛ ମେଲି ଦେଇଛନ୍ତି! ଠିକ୍‌ ତା’ ପଛକୁ ଥିଲା କୁକୁଡ଼ା ନାଚ। ଏ ୩୦ ଜଣିଆ ଦଳର ସଦସ୍ୟ ଦେହରେ ପର ଖଞ୍ଜି କୁକୁଡ଼ା ହୋଇ ଯାଇଥିଲେ, ଆଉ ଯୋଡ଼ିନାଗରା ତାଳେ ତାଳେ ପାଦ ପକାଉଥିଲେ। ସବୁଠାରୁ ଆକର୍ଷଣ ଥିଲା ମହାରାଷ୍ଟ୍ର ଢୋଲ। ୧୦୦ରୁ ଊର୍ଦ୍ଧ୍ବ ମହିଳା ଦଳ ଦଳ ହୋଇ ବଜାଉଥିଲେ ଢୋଲ। ମରାଠୀ ବେଶଭୂଷା ଓ ନିଆରା ଭାବଭଙ୍ଗୀ ସାଙ୍ଗକୁ ଏହି ଢୋଲର ଶବ୍ଦ ଏକ ବିଚିତ୍ର ପରିବେଶ ସୃଷ୍ଟି କରିଥିଲା। ଜନପଥ ଜନସମୁଦ୍ର ପାଲଟିଥିଲା। ଢୋଲ ଓ ଯୋଡ଼ି ନାଗରା ତାଳେ ତାଳେ ଲକ୍ଷ ଲକ୍ଷ ଲୋକ ମସ୍‌ଗୁଲ୍‌ ହୋଇଯାଇଥିଲେ। ମଝିରେ ମଝିରେ ଆତସବାଜିରେ ଚମକି ଯାଉଥିଲା ଆକାଶ। ଆକାଶ ମାର୍ଗରୁ ଫୁଲ ବର୍ଷା ଭଳି ମୁଣ୍ଡ ଉପରେ ଖସି ପଡ଼ୁଥିଲା ରଙ୍ଗୀନ ଜରି, କାଗଜ। ସମଗ୍ର ପରିବେଶକୁ ଦେଖିଲେ ଲାଗୁଥିଲା ସତେ ଯେମିତି କେଉଁ ଜଙ୍ଗଲ ରାଜାଙ୍କ ପୁଅର ବାହାଘର ଶୋଭାଯାତ୍ରା ବାହାରିଛି! ଆଜି ଏମିତି ଏକ ପରିବେଶରେ ମା’ଙ୍କୁ ମେଲାଣି ଦିଆଯାଇଛି। ଅପରାହ୍‌ଣରୁ ସହରର ବିଭିନ୍ନ ସ୍ଥାନରୁ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାଯାତ୍ରାରେ ବାହାରି ସହିଦନଗର ପହଞ୍ଚିଥିଲା। ଲକ୍ଷ୍ମୀସାଗର, ବାଣୀବିହାର ଟ୍ରାଫିକ ପୂଜା ସମିତି, ବାଣୀବିହାର, ଝାରପଡ଼ା, ଷ୍ଟେସନ ବଜାର, କେଶୁରା, ନହରକଣ୍ଟା, ସତ୍ୟନଗର ପ୍ରଭୃତିରୁ ୩୦ରୁ ଊର୍ଦ୍ଧ୍ବ ମେଢ଼ ସହିଦନଗରରେ ପହଞ୍ଚିଥିଲା। ସନ୍ଧ୍ୟାରେ ସେଠାରୁ ଧାଡ଼ି ବାନ୍ଧି ବିସର୍ଜନ ପାଇଁ ଶୋଭାଯାତ୍ରାରେ ଜନପଥରେ ଯାଇ ରାଜମହଲ ଛକରେ ପହଞ୍ଚିଥିଲେ। ‌ସେଠାରୁ କୁଆଖାଇରେ ହୋଇଥିବା ଅସ୍ଥାୟୀ ‌ପୁ‌ଷ୍କରିଣୀକୁ ବିସର୍ଜନ ପାଇଁ ଯାଇଥିଲେ। ଜନପଥରେ ଆଗପଛ ହୋଇ ୩୦ ମେଢ଼ ଯିବାବେଳେ ସମଗ୍ର ଜନପଥ ‌ଲୋକାରଣ୍ୟ ଥିଲା। ଗୋଟିଏ ପାର୍ଶ୍ବରେ ମେଢ଼ ଯାଉଥିଲେ ମଧ୍ୟ ରାସ୍ତାର ଅନ୍ୟପାର୍ଶ୍ବରେ ଭକ୍ତଙ୍କର ଭିଡ଼ ରହିଥିଲା। ପାରମ୍ପରିକ ବାଦ୍ୟ ସାଙ୍ଗକୁ ଧିମା ସ୍ବରରେ ବାଜୁଥିବା ଡିଜେ ଏବଂ ଘଣ୍ଟ ଓ ଘଣ୍ଟାର ଧ୍ବନୀ ଜନପଥରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

publive-image

ଟଙ୍କା ଉଡ଼ିଲା
ପ୍ରଥମ ଥର ପାଇଁ ଭୁବନେଶ୍ବର ବିସର୍ଜନ ଶୋଭାଯାତ୍ରାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ସହିଦନଗରକୁ ଶୋଭାଯାତ୍ରାରେ ଆସୁଥିବା ବେଳେ କିଛି ଯୁବକ ଗାଡ଼ି ଉପରେ ଥାଇ ଟଙ୍କା ଉଡ଼ାଇଥିଲେ। ବିଡ଼ା ବିଡ଼ା ନୋଟ୍‌ ଶୂନ୍ୟ ଫିଙ୍ଗିବା ପରେ ଏହା ଗୋଟି ଗୋଟି ହୋଇ ତଳକୁ ଖସୁଥିଲା। ଆଉ ତଳେ ଶୋଭାଯାତ୍ରାରେ ସାମିଲ ଭକ୍ତ ତା’କୁ ଶୂନ୍ୟରେ ହିଁ ଧରିବା ପାଇଁ କସରତ କରୁଥିଲେ। ଆଉ କେହି କେହି ତାଳେ ପଡ଼ି ଯାଇଥିବା ନୋଟ୍‌କୁ ଗୋଟାଇବା ପାଇଁ ଉଦ୍ୟମ କରୁଥିଲେ। ଜଣେ ୧୦ ଟଙ୍କିଆ ବିଡ଼ା ଫିଙ୍ଗୁଥିବା ବେଳେ ଜଣେ ୨୦ ଟଙ୍କିଆ ବିଡ଼ା ଫିଙ୍ଗୁ ଥିଲା। ଗାଡ଼ି ଉପରେ ଫିଙ୍ଗିବା ପାଇଁ ଯେମିତି ପ୍ରତିଯୋଗିତା, ତଳେ ସେ ସବୁକୁ ଧରିବା ପାଇଁ ମଧ୍ୟ ସେମିତି ପ୍ରତିଯୋଗିତା।

ପୁରୁଣା ଭୁବନେଶ୍ବର
ଦୁଇ ହାତ ଯୋଡ଼ି ଅପଲକ ନୟନରେ ମା'ଙ୍କୁ ଚାହିଁ ରହିଥା'ନ୍ତି ବୟସ୍କା ମହିଳା। ଆଖିରୁ ଝରି ଯାଉଥାଏ ଲୁହ। ଚାରିପଟର କୋଳାହଳ ତାଙ୍କ ଉପରେ କିଛି ପ୍ରଭାବ ପକାଉ ନଥିଲା। ତେବେ ସେଇଠି ମେଢ଼ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ବି ଲହଡ଼ି ମାରୁଥିଲା। କିଏ ଆଗକୁ ଯାଇ ଦେଖିବ, ତା'ପାଇଁ ଠେଲାପେଲା। ସରୁଆ ବାଲ୍‌କୋନି ଓ ଛାତ ଉପରୁ ସେ ସମୟର ଅପୂର୍ବ ଦୃଶ୍ୟକୁ ମୋବାଇଲ୍‌ କ୍ୟାମେରାରେ ଉଠାଇବାର ପ୍ରତିଯୋଗିତା ବି ଚାଲିଥିଲା। ପାରମ୍ପରିକ ବାଦ୍ୟରେ ମନ ଝୁମି ଯାଉଥିବା ବେଳେ ଡିଜେର ଦୁମ୍‌ଦୁମ୍‌ ଛାତି ଥରାଇ ଦେଉଥାଏ। ସାଙ୍ଗକୁ ଲୋକପ୍ରିୟ ‘‘ଆସୁଛି... ଆମ ସାହି ମେଢ଼ ଆସୁଛି...’’ ଗୀତ ବାଜିବା କ୍ଷଣି ଜନସମୁଦ୍ରରେ ବିରାଟ କମ୍ପନ ଖେଳି ଯାଉଥିଲା। ଅପରାହ୍ନ ୩ଟାରୁ ବିଳମ୍ବିତ ରାତି ଯାଏ ଏଭଳି ଥିଲା ପୁରୁଣା ଭୁବନେଶ୍ବର ରଥରୋଡ୍‌ର ଚିତ୍ର। ପ୍ରଶାସନର ନିଷ୍ପତ୍ତି ଅନୁସାରେ ପୁରୁଣା ଭୁବନେଶ୍ବରରେ ୩ଟା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପୁରୁଣା ଭୁବନେଶ୍ବରର ବ୍ରାହ୍ମଣ ନିଯୋଗ ଦ୍ବାରା ତିନିମୁଣ୍ଡିଆ ଛକ ଦୁର୍ଗାପୂଜା, ଗୋସାଗୋରେଶ୍ବର ଛକ, ବଡୁ ନିଯୋଗ ଦ୍ବାରା ବଢେଇବାଙ୍କ ଛକ ପୂଜା, ଡାକବଙ୍ଗଳା ଛକ, ଜମେଶ୍ୱରପାଟଣାସାହି, କଞ୍ଚସାହି, ହାଟସାହି, ବାରିକସାହି, କୈବର୍ତ୍ତ ସାହି, ରବି ଟକିଜ୍‌ ଛକ, ହରଚଣ୍ଡି ସାହି, କପିଳପ୍ରସାଦ, ସାମନ୍ତରାପୁର, ତଳବଜାର, ପୂଜାପଣ୍ଡା ନିଯୋଗ ପକ୍ଷରୁ ଡାକବଙ୍ଗଳା ଛକ ପୂଜା, ପୁନମାଗେଟ୍‌ ଛକ, କୁମ୍ଭାରସାହି, ଦରଜି ସାହି, ବଣିଆ ସାହି ଭଳି ୨୦ରୁ ଅଧିକ ମେଢ଼ ରଥରୋଡ୍‌କୁ ଆସିଥିଲେ। ଏହାର ଯଥେଷ୍ଟ ପୂର୍ବରୁ ରାସ୍ତାର ଦୁଇକଡ଼ରେ ହଜାର ହଜାର ସଂଖ୍ୟାରେ ଲୋକେ ଛିଡ଼ା ହୋଇ ରହିଥିଲେ। ପାରମ୍ପରିକ ବାଦ୍ୟ ସାଙ୍ଗକୁ ଡିଜେର ଧୁନ୍‌ ଭସାଣିରେ ଦେଖିବାକୁ ମିଳିଥିଲା। ସେଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଏକ ହଜାରରୁ ଅଧିକ କଳାକାର ସାମିଲ ହୋଇଥିଲେ। ବିଶେଷ କରି ହାଟସାହି ପକ୍ଷରୁ ଆସିଥିବା‌ ନାସିକ ଢୋଲ ମନ ଜିଣିଥିଲା। ସେହିପରି ଲୋକପ୍ରିୟ ଗୀତ ଗାଇ ଅକ୍ରେଷ୍ଟା ଟିମ୍‌ ମନୋରଂଜନ କରୁଥିଲେ। ପାଟପୁରର ଦଶ ଅବତାର ନୃତ୍ୟ ଅନେକଙ୍କ ମନ କିଣିଥିଲା। ପିପିଲି ହରିପୁରର ସଂକୀର୍ତ୍ତନ ଶୋଭାଯାତ୍ରା, ପଶ୍ଚିମ ଓଡ଼ିଶାର ସ୍ବତନ୍ତ୍ର ବାଦ୍ୟ, ଘଣ୍ଟ, ମାଦଳ, ବାଘନାଚ, ଘୋଡ଼ାନାଚ ଭଳି ଅନେକ ବାଦ୍ୟ ଓ ନୃତ୍ୟ ହୃଦୟ ଛୁଇଁଥିଲା। ପ୍ରଥମେ ମେଢ଼ଗୁଡ଼ିକ ଲିଙ୍ଗରାଜ ମନ୍ଦିର ପଟୁ ମାଉସୀ ମା' ଛକ ଆଡକୁ ଆସିଥିଲେ। କିଛି ମେଢ଼ ଗୋସାଗୋରେଶ୍ବର ଛକ ଏବଂ ଅନ୍ୟ କିଛି ତିନିମୁଣ୍ଡିଆ ଛକ ନିକଟରୁ ବୁଲି ପୁଣି ଲିଙ୍ଗରାଜ ମନ୍ଦିର ସମ୍ମୁଖକୁ ଯାଇଥିଲେ। ସେଠାରୁ କଟକ ରୋଡ୍‌କୁ ବାହାରି ନଦୀ ଅଭିମୁଖେ ବିସର୍ଜନ ପାଇଁ ଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଲିଙ୍ଗରାଜ ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

publive-image

କଟିଗଲା କ‌ରେଣ୍ଟ
ଲୋକେ ହନ୍ତସନ୍ତ ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଦିନ ୧୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କରେଣ୍ଟ କାଟି ଦିଆ ଯାଇଥିଲା। କିନ୍ତୁ ଏନେଇ ପୂର୍ବରୁ କୌଣସି ସୂଚନା ନଥିଲା। ଏହାକୁ ନେଇ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ିଥିଲେ। ଭସାଣି ଥିଲେ ମଧ୍ୟ ସଂଧ୍ୟାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳି ନଥିଲା।