ଅଶୋକ, ଅନନ୍ତ, ସୁଶାନ୍ତଙ୍କ ସୁପର ସୋ’

ଭୁବନେଶ୍ବର: ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ। ତେଣୁ ସୁଯୋଗ ହାତ ଛଡ଼ା ନ କରି ସକାଳୁ ସକାଳୁ ବିଜେଡି ପ୍ରାର୍ଥୀମାନେ ପ୍ରଚାରରେ ଲାଗିପଡ଼ିଥିଲେ। ଦଳ ବଳ ନେଇ ୬୭ ୱାର୍ଡର ପ୍ରାର୍ଥୀ ଭୋଟରଙ୍କ ନିକଟତର ହୋଇଥିଲେ। ଶୋଭାଯାତ୍ରା, ପଦଯାତ୍ରା, ବାଇକ୍‌ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ। ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବିଧାୟକମା‌ନେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏକାମ୍ର ଭୁବନେଶ୍ବରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ବରରେ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ଭୁବନେଶ୍ବରରେ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ବିଜେଡି ପ୍ରାର୍ଥୀମାନେ ସୁପୋର ସୋ’ କରିଛନ୍ତି। ନବୀନ… ନବୀନ…ରେ ପ୍ରକମ୍ପିତ ହୋଇଥିଲା ଗଳିକନ୍ଦି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ମଧ୍ୟ ବିଭିନ୍ନ ୱାର୍ଡରେ ବାଇକ୍‌ ରାଲି କରି ଭୋଟ ଭିକ୍ଷା କରିଛନ୍ତି। ଡବଲ ଶଙ୍ଖରେ ବିଜେଡିକୁ ଭୋଟ ଦେଇ ବିକାଶର ରଥକୁ ଅଗକୁ ନେବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି।

ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ

ନବୀନ… ନବୀନ…ରେ କମ୍ପିଲା ସହର

ସାଲିଆସାହିରେ ସୁଲୋଚନାଙ୍କ ଶଙ୍ଖ ନାଦ

ଉତ୍ତର ଭୁବନେଶ୍ବରରେ ପ୍ରଚାରର ମଙ୍ଗ ଧରିଥିବା ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ସାଙ୍ଗରେ ନେଇ ବିଜେଡି ମେୟର ପ୍ରାର୍ଥିନୀ ଶ୍ରୀମତୀ ଦାସ ୧୩ ନମ୍ୱରରୁ ପ୍ରଚାର ଆରମ୍ଭ କରିଥିଲେ। ବିଜେଡି କର୍ପୋରେଟର ପ୍ରାର୍ଥୀ ଗୀତାଞ୍ଜଳି ବେହେରା ସାଙ୍ଗ‌ରେ ରହିଥିଲେ। ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଗୋଟିଏ ପରେ ଗୋଟିଏ ୱାର୍ଡ ଅତିକ୍ରମ କରୁଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା। ଏହାପରେ ୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ମିହିର କୁମାର ରାଉତ ଓ ୨ ନମ୍ୱର ୱାର୍ଡରେ ମୋନାଲିସା ବେହେରାଙ୍କ ସହ ମହିଳା, ବରିଷ୍ଠ ନାଗରିକ ଓ ଯୁବକଙ୍କୁ ଭେଟି ସହରର ବିକାଶକୁ ଆଗେଇ ନେବାକୁ ଶ୍ରୀମତୀ ଦାସ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।

୮ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ଲାଲ୍‌ ମୋହନ ଟୁଡୁ ଓ ୧୪ ନମ୍ବର ୱାର୍ଡର ମୋନାଲିସା ସାହୁଙ୍କ ସହ ୱାର୍ଡର ବିଭିନ୍ନ ବସ୍ତି, ଅଞ୍ଚଳ ଓ କଲୋନି ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଭୁବନେଶ୍ବରକୁ ସାକାର କରିବା ଲାଗି ନିର୍ବାଚନରେ ବିଜେଡ଼ିକୁ ଭୋଟ ଦେବାକୁ ନିବେଦନ କରିଥିଲେ। ସାଲିଆସାହି ବସ୍ତିରେ ବିଶାଳ ଶୋଭାଯାତ୍ରାରେ ୧୬ ନମ୍ବର ୱାର୍ଡରେ ଅଚ୍ୟୁତାନନ୍ଦ ସ୍ବାଇଁ, ୨୦ ନମ୍ବରରେ ପ୍ରେମାନନ୍ଦ ଜେନା, ୨୧ରେ ପୂଜା ବେହେରା ଓ ୨୬ରେ ଭାରତୀ ସିଂଙ୍କୁ ସାଙ୍ଗରେ ଧରି ଡବଲ୍‌ ଶଙ୍ଖରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସନ୍ଧ୍ୟାରେ ୧୧ ନମ୍ୱର ୱାର୍ଡର ବିଭିନ୍ନ ଛକରେ ରହି ପଥପ୍ରାନ୍ତ ସଭା ମାଧ୍ୟମରେ ବିଜେଡି ପାଇଁ ଭୋଟ ଭିକ୍ଷା କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଜେଡି ସମ୍ପାଦକ ସୁବାସ ପାତ୍ର ପ୍ରମୁଖ ବାଇକ୍‌ ରାଲିରେ ସାମିଲ ହୋଇଥିଲେ।

ଏକାମ୍ର ଭୁବନେଶ୍ବରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଦଳ ପ୍ରଚାର ମଇଦାନକୁ ଓହ୍ଲାଇଥିଲା। ୬୫ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ରଙ୍କ ପାଇଁ ଡୁମୁଡୁମା ଅଞ୍ଚଳ, ୬୧ ନମ୍ବର ୱାର୍ଡର ଭୀମଟାଙ୍ଗୀ ଅଞ୍ଚଳରେ କର୍ପୋରେଟର ପ୍ରାର୍ଥୀ ଶିବନାରାୟଣ ରାୟ ଓ ୪୯ ନମ୍ବର ୱାର୍ଡରେ ସଂଯୁକ୍ତା ସୁନ୍ଦରରାୟଙ୍କୁ ସମର୍ଥନ କରିବା ସହ ମେୟର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଲୋକଙ୍କୁ ଅନୁରୋଧ କରିଥିଲେ। ଅନ୍ୟ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ୱାର୍ଡରେ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅମର ଶତପଥୀ, ରାଜେଶ୍ବରୀ ପାଣିଗ୍ରାହୀ ଓ ପ୍ରମୋଦ ରଥ ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ।

ମଧ୍ୟ ଭୁବନେଶ୍ବରରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଦମ୍‌ଦାର ପ୍ରଚାର ହୋଇଛି। ୩୫ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ପ୍ରାର୍ଥିନୀ ରଞ୍ଜୁଲତା ରାୟଙ୍କ ସହ ୟୁନିଟ ୯ର ସୁଧାନିଧିଶ୍ୱର ବିଜୁ ଆଦର୍ଶ କଲୋନି, ମଙ୍ଗଳା ବିଜୁ ଆଦର୍ଶ କଲୋନି, ଭଗବତୀ ୧ ଓ ୨ ବିଜୁ ଆଦର୍ଶ କଲୋନିରେ ଘରକୁ ଘର ବୁଲି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସମଗ୍ର ଭୁବନେଶ୍ବର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉତ୍ସାହ ଓ ଅଧିକ ପ୍ରେରଣା ଯୋଗାଇବାକୁ ନିବେଦନ କରିଥିଲେ। ୩୨ ନମ୍ବର ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ଶ୍ରୀଧର ଜେନାଙ୍କ ସହ ଝାରପଡ଼ାରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କୁ ଭୋଟ ଦେଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ବିଧାୟକ ଶ୍ରୀ ଜେନା ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର