୧୦୦ରୁ ଅଧିକ ଦୋକାନୀ ବିଡିଏ ଦୋକାନ ନେବେନି
ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ୍ ସେଣ୍ଟର୍ ସମସ୍ୟାର ସମାଧାନ ହୋଇଛି। ଏହି ପ୍ରକଳ୍ପ ନିର୍ମାଣରେ ବାଧକ ସାଜିଥିବା ଅଶୋକା ମାର୍କେଟ ଚଳିତ ଜାନୁଆରି ୩୧ସୁଦ୍ଧା ଖାଲି ହେବ। ଏହାପରେ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରୁ ଉଚ୍ଛେଦ ଆରମ୍ଭ ହେବ।
ଅଶୋକା ମାର୍କେଟ ଭାଙ୍ଗିବା ପୂର୍ବରୁ ଉପଯୁକ୍ତ ସ୍ଥାନରେ ଦୋକାନ ଯୋଗାଇ ଦେବା ପାଇଁ ଅଶୋକା ମାର୍କେଟ ମର୍ଚ୍ଚାଣ୍ଟ ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର କରିବା ପରେ ଏହାର ଉଚ୍ଛେଦ ଉପରେ ରୋକ୍ ଲାଗି ଯାଇଥିଲା। ଆସୋସିଏସନ୍ ପକ୍ଷରୁ ଯେଉଁ ଦାବି ରଖାଯାଇଥିଲା ସେଥିରେ ବିଏମ୍ସି/ବିଡିଏ କର୍ତ୍ତୃପକ୍ଷ ରାଜି ନ ହେବାରୁ ହାଇକୋର୍ଟ ବିଡିଏ କର୍ତ୍ତୃପକ୍ଷଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଆସୋସିଏସନ୍ ପକ୍ଷରୁ ଜାନୁଆରି ୩୧ତାରିଖ ସୁଦ୍ଧା ଅଶୋକା ମାର୍କେଟ୍ ଖାଲି କରିବାକୁ କହିବା ପରେ ହାଇକୋର୍ଟ ସେତେ ଦିନ ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ବିଡିଏକୁ କହିଛନ୍ତି। ଏହାପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ।
ବିଡିଏ ଅତିରିକ୍ତ କମିସନର୍ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ, ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେବା ପରେ ଭୁବନେଶ୍ୱର ଟାଉନ୍ ସେଣ୍ଟର୍ ପ୍ରକଳ୍ପ ଆଗେଇ ନେବାକୁ ଆମେ ଏବେ ଜୋରଦାର୍ ପ୍ରସ୍ତୁତି କରିବୁ। ଫେବ୍ରୁଆରି ପ୍ରଥମ ସପ୍ତାହ ପରେ ଅଶୋକା ମାର୍କେଟ ଭଙ୍ଗା ଆରମ୍ଭ ହେବ।
ସେହିପରି ଅଶୋକା ମାର୍କେଟ୍ ମର୍ଚ୍ଚାଣ୍ଟ ଆସୋସିଏସନ୍ର ସମ୍ପାଦକ ସଞ୍ଜୀବ କୁମାର ଅଗ୍ରଓ୍ଵାଲ କହିଛନ୍ତି ଯେ, ଆମର ବିଭିନ୍ନ ସର୍ତରେ ବିଏମ୍ସି/ବିଡିଏ କର୍ତ୍ତୃପକ୍ଷ ରାଜି ନ ହେବାରୁ ଆମେ ଜାନୁଆରି ୩୧ ସୁଦ୍ଧା ମାର୍କେଟ୍ ଖାଲି କରିଦେବୁ। ବିଡିଏ ଯେଉଁ ସ୍ଥାନରେ ଦୋକାନ ଦେଇଛି ସେଠାରେ ବ୍ୟବସାୟ ହେବାର ସମ୍ଭାବନା ନଥିବାରୁ ୧୦୦ରୁ ଅଧିକ ବ୍ୟବସାୟୀ ନିଜ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଦୋକାନ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଡିଏ ଦେଇଥିବା ଦୋକାନ ନେବେନି। କଳିଙ୍ଗ ନଗରରେ କେହି ଦୋକାନ ନେବେନି ବୋଲି ଆପାତତଃ ନିଷ୍ପତ୍ତି ନେଇଛି। ବାକି କିଛି ବ୍ୟବସାୟୀ ବିଡିଏ ଦେଇଥିବା ଦୋକାନ ନେବେ। ଭୁବନେଶ୍ୱର ଟାଉନ୍ ସେଣ୍ଟର୍ ନିର୍ମାଣ ହେବା ପରେ ଆମକୁ ପୁଣି ଦୋକାନ ଘର ମିଳିବ।
ସୂଚନାଯୋଗ୍ୟ ଯେ, ସିଙ୍ଗାପୁରର ‘ସୁରବାନା ଜୁରଙ୍ଗ’ ସଂସ୍ଥା ଭୁବନେଶ୍ୱର ଟାଉନ୍ ସେଣ୍ଟର୍ର ଡିଜାଇନ୍ ପ୍ରସ୍ତୁତ କରୁଛି। ଭୁବନେଶ୍ୱର ଟାଉନ୍ ସେଣ୍ଟର୍ରେ ରାଜଧାନୀର ସବୁଠୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଗମନାଗମନ ବ୍ୟବସ୍ଥା ହେବ। ଏଠାରେ ଦେଶର ପ୍ରଥମ ଟ୍ରାନ୍ଜିଟ୍ ଓରିଏଣ୍ଟେଡ୍ ଡେଭଲପମେଣ୍ଟ (ଟିଓଡି) ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଡିଜାଇନ୍ ପ୍ରସ୍ତୁତ ପାଇଁ ସଂସ୍ଥା ୮କୋଟି ଟଙ୍କା ନେବ।
ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ୧୨ଏକର ଜମିରେ ଏହି ଯୋଜନା ହେବାକୁ ଥିବାବେଳେ ଏଠାରେ ଥିଏଟର୍ ପ୍ଲାଜା, ସପିଂ ମଲ୍, ନେଚର୍ ପ୍ଲାଜା, ମାର୍କେଟ୍ କମ୍ପ୍ଲେକ୍ସ, ଲ୍ୟାଣ୍ଡସ୍କେପ୍, ଟାଉନ୍ ପ୍ଲାଜା, ଆର୍ଟ ପ୍ଲାଜା, ଏକ୍ସପେରିଏନ୍ସ ପ୍ଲାଜା, ଚିଲଡ୍ରେନ୍ସ ପ୍ଲାଜା, ଫୁଡ୍ କୋର୍ଟ, ଆପାର୍ଟମେଣ୍ଟ, ସାଇକେଲିଂ ଟ୍ରାକ୍, ସ୍ୱତନ୍ତ୍ର ପାଦଚଲା ରାସ୍ତା ଆଦି ରହିବ।
ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ରେ ରେଳ ଷ୍ଟେସନ୍ର ଆଧୁନୀକିକରଣ ହେବା ସହ ବସ୍ ଟର୍ମିନାଲ, ବହୁତଳ କାର୍ ପାର୍କିଂ, କନଭେନ୍ସନ୍ ସେଣ୍ଟର, ସ୍ୱତନ୍ତ୍ର ବାଇସାଇକେଲ୍ ଓ ପାଦଚଲା ବ୍ରିଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିବ।