ଭୁବନେଶ୍ବର: ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ଅଣଲେଉଟା ରୁକୁଣା ରଥ ଆଜି ରାମେଶ୍ବର (ମାଉସୀ ମା’) ମନ୍ଦିର ନିକଟରେ ପହଞ୍ଚିଛି। ସନ୍ଧ୍ୟାରେ ରଥରୁ ପହଣ୍ଡି ହୋଇ ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦ ମାଉସୀ ମା’ ଘରକୁ ବିଜେ କରିଛନ୍ତି। ଗତକାଲି ହୋଇପାରି ନଥିବା ଭେଟ ଆଳତି ଆଜି ସମ୍ପନ୍ନ ହେବା ପରେ ଶହ ଶହ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି।
ପ୍ରଥମ ଦିନ ମୈତ୍ରେଶ୍ବର ମନ୍ଦିର ନିକଟ ଓ ବୁଧବାର ତିନିମୁଣ୍ଡିଆ ଛକ ବୈତାଳ ଶିଶିରେଶ୍ବର ମନ୍ଦିର ନିକଟରେ ଚକ ଦବି ଯିବାରୁ ରଥଟଣା ସ୍ଥଗିତ ରହିଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଆଜି ସେବାୟତ ଓ ପ୍ରଶାସନର ମିଳିତ ପ୍ରୟାସରେ ପ୍ରଥମେ ରଥକୁ ପିଚୁ ରାସ୍ତା ଉପରକୁ ଉଠା ଯାଇଥିଲା। ମଧ୍ୟାହ୍ନ ୧ଟାରେ ମନ୍ଦରରେ ଭୋଗମଣ୍ଡପ ପୂଜା ହୋଇଥିଲା। ୧ଟା ୨୦ରେ ରଥ ଉପରେ ଦିଅଁଙ୍କ ସକାଳ ଧୂପ କରାଯାଇଥିଲା। ଦିନ ୨ଟାରେ ରଥଟଣା ହେବା ନେଇ ପୂର୍ବ ଦିନ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ପ୍ରବଳ ଗରମ ଯୋଗୁଁ ରଥ ଟାଣିବାରେ କିଛି ସମୟ ବିଳମ୍ବ ହୋଇଥିଲା। ଅପରାହ୍ନ ୩ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ବେଳେ ଅସୁର କିଆରି ନିକଟରେ ଦ୍ବିପ୍ରହର ଧୂପ ସରିବା ପରେ ରଥ ଆଗକୁ ଗଡ଼ିଥିଲା। ପ୍ରବଳ ଉତ୍ସାହର ସହ ପୁଲିସ ବାହିନୀ ଓ ଶ୍ରଦ୍ଧାଳୁ ରଥକୁ ଟାଣି ନେଇ ମାଉସୀ ମା’ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୬ଟା ୨୪ରେ ପହଞ୍ଚାଇଥିଲେ।
ଏହାପରେ ଚାରମାଳ ବନ୍ଧା ଯାଇଥିଲା। ଘଣ୍ଟାଏ ପରେ ଶ୍ରୀଜୀଉଙ୍କ ବିଜେ ପହଣ୍ଡି ଆରମ୍ଭ ହୋଇଥିଲା। ରଥାରୂଢ଼ ଦିଅଁଙ୍କୁ ସେବାୟତମାନେ ଆନନ୍ଦର ସହ ବିଜେ କରାଇଥିଲେ। ଠାକୁରଙ୍କ ଉପରେ ଚାନ୍ଦୁଆ, ଆଗରେ ଆଲଟ ଚାମର ସେବା ଦେଉଥିଲେ ସେବାୟତ। ଏହି ସମୟରେ ଘଣ୍ଟ, ଘଣ୍ଟା, ଢୋଲ, ମର୍ଦ୍ଦଳ, ତୂରୀ, ମହୁରୀର ପବିତ୍ର ଶବ୍ଦ ସହ ନାମ ସଂକୀର୍ତ୍ତନ ପରିବେଶକୁ ଭାବମୟ କରିଥିଲା। ଠାକୁରଙ୍କ ବିଜେକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିଲା ରାମେଶ୍ବର କ୍ଷେତ୍ର। ସେବାୟତମାନେ ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ପ୍ରଭୁ ରାମେଶ୍ବରଙ୍କ ସମ୍ମୁଖକୁ ନେବା ପରେ ଭେଟ ଆଳତି ହୋଇଥିଲା। ଦକ୍ଷିଣ ପାଖରେ ଥିବା ସିଂହାସନରେ ଦିଅଁଙ୍କୁ ଦକ୍ଷିଣ ମୁହାଁ ବସାଯାଇଥିଲା। ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଦ୍ବିପ୍ରହର ଧୂପ, ଶ୍ରୀଲିଙ୍ଗରାଜ ଓ ମା’ ଭୁବନେଶ୍ବରୀଙ୍କ ନିକଟରେ ସନ୍ଧ୍ୟା ଧୂପ ସରିବା ପରେ ‘ହେରା ଯାତ୍ରା’ ଆରମ୍ଭ ହୋଇଥିଲା। ଏଥିରେ ମା’ ପାର୍ବତୀ ପାଲିଙ୍କିରେ ବିଜେ କରି ଶୋଭାଯାତ୍ରାରେ ରାମେଶ୍ବର ମନ୍ଦିରକୁ ଯାଇଥିଲେ। ରାମେଶ୍ବର ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ସହ କଟାଳ କରିଥିଲେ। ଦୁଇ ଦେବ ପ୍ରତିମାଙ୍କ ତରଫରୁ ୨ ଜଣ ପୂଜାପଣ୍ଡା ବଚନିକା ମାଧ୍ୟମରେ କଥା ହୋଇଥିଲେ। ଏଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ବୁଝାଇ ମନ୍ଦିରକୁ ଗଲେ ସବୁ କଥା ବୁଝିବେ ବୋଲି କହି ପଠାଇ ଦେଇଥିଲେ। ମା’ ପାର୍ବତୀ ଫେରିଆସିବା ବେଳେ ରଥକୁ ଭାଙ୍ଗି ମନ୍ଦିର ଚାଲି ଆସିଥିଲେ। ରାମେଶ୍ବରରେ ସନ୍ଧ୍ୟା ଧୂପ ସରିବା ପରେ ବଡ଼ସିଂହାର ବେଶ ହୋଇଥିଲା।