ଭୁବନେଶ୍ୱର: ଅନୁଦାନ ଦେଲାନି କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ)। ଅନୁଦାନ ତ ଦେଲାନି, ପ୍ରକଳ୍ପରୁ ବି ଓହରିଗଲା। ଏହି କାରଣରୁ ପ୍ରକଳ୍ପ ପାଇଁ ହେବାକୁ ଥିବା ୨୦ ଲକ୍ଷ ଟଙ୍କାର ଟେଣ୍ଡର ରଦ୍ଦ କରାଗଲା। ଏହା ହେଉଛି କେଦାରଗୌରୀ ମନ୍ଦିରସ୍ଥିତ ୪ କୁଣ୍ଡର ବିଶୋଧନ ପ୍ରକଳ୍ପର କଥା। ଅନୁଦାନ ନ ମିଳିବାରୁ ଟେଣ୍ଡର ବାତିଲ କରାଯିବା ପରେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା। ବିଚିତ୍ର କଥା ହେଉଛି, ଟେଣ୍ଡର ପର୍ଯ୍ୟନ୍ତ କଥା ଯିବା ପରେ ଏଏସ୍ଆଇ କେଉଁ କାରଣରୁ ପ୍ରକଳ୍ପରୁ ଓହରିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏଏସ୍ଆଇ ଅଧୀନରେ ଏହି ମନ୍ଦିର ନଥିଲା ବା ନାହିଁ, ତେବେ କିଭଳି ୨୦ ଲକ୍ଷ ଟଙ୍କାର ଟେଣ୍ଡର ପର୍ଯ୍ୟନ୍ତ କଥା ଯାଇଥିଲା, ତାହାକୁ ନେଇ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଛି।
ଏକାମ୍ର କ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ଭାବେ କେଦାରଗୌରୀ ମନ୍ଦିରର ପରିଚିତି ରହିଛି। ଏହି ମନ୍ଦିରକୁ ନେଇ ରହିଛି ପ୍ରସିଦ୍ଧ ଓଡ଼ିଆ କାବ୍ୟ। ସେହିଭଳି ଏଠାରେ ଥିବା ୪ଟି କୁଣ୍ଡର ରହିଛି ଅନନ୍ୟ ମାହାତ୍ମ୍ୟ। ମନ୍ଦିର ବେଢ଼ାରେ ଥିବା ୪ କୁଣ୍ଡକୁ ତୀର୍ଥ କୁଣ୍ଡ ଭାବେ ଗଣାଯାଏ। କ୍ଷୀରକୁଣ୍ଡ, କେଦାରକୁଣ୍ଡ, ଗୌରୀକୁଣ୍ଡ ଓ ସାବୁନକୁଣ୍ଡ ଭାବେ ଜଣାଶୁଣା ଏହି ୪ କୁଣ୍ଡ ପ୍ରତ୍ୟେକ ଗୋଟିଏ ଗୋଟିଏ ତୀର୍ଥ ଭାବେ ବିଶ୍ବାସ କରାଯାଏ। ମାତ୍ର ବହୁ ବର୍ଷ ଧରି ଏହି ୪କୁଣ୍ଡ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଔଷଧୀୟ ଜଳ ଭାବେ ବିଶ୍ବାସ କରାଯାଉଥିବା ଏହି କୁଣ୍ଡର ପାଣି ଏବେ ପଚାପାଣି ପାଲଟିଯାଇଛି। ଯେଉଁ ପାଣିକୁ ଦିନେ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀମାନେ ପାଦୁକ ବୋଲି ଭାବୁଥିଲେ, ଆଜି ସେହି ପାଣିକୁ ଚାହିଁବାକୁ ବି ସେମାନେ ମନ ବଳାଉନାହାନ୍ତି। ଏବେ ପାଣିରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ। ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ୨୦୨୩ ମସିହାରେ ଏକାମ୍ରବାସୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ କେଦାରଗୌରୀ ମନ୍ଦିରର ତୀର୍ଥକୁଣ୍ଡଗୁଡ଼ିକର ଅବସ୍ଥା ଅନୁଧ୍ୟାନ କରିଥିଲେ। ତୀର୍ଥକୁଣ୍ଡର ଜଳ ବିଶୋଧନ ଲାଗି ଏଏସ୍ଆଇକୁ କହିଥିଲେ। ଏଏସ୍ଆଇ ପକ୍ଷରୁ ମଧ୍ୟ ତ୍ବରିତ ପଦକ୍ଷେପ ନିଆଯାଇଥିଲା।
ପାଣି କେତେ ମାତ୍ରାରେ ପ୍ରଦୂଷିତ ହୋଇଛି, ଜାଣିବାକୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷଣ ରିପୋର୍ଟ ଆସିବା ପରେ ବିଶୋଧନ ଲାଗି ଜୈବିକ ରାସାୟନିକ ଦ୍ରବ୍ୟ ପ୍ରୟୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ, ଏଏସ୍ଆଇ ଅଧିକାରୀ ତୀର୍ଥକୁଣ୍ଡ ନିକଟରେ ପହଞ୍ଚି ମାପଚୁପ କରି ଅନୁଧ୍ୟାନ କରିଥିଲେ। ବିଶୋଧନ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରିବାକୁ ୱାଟ୍ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ। ସେଠାରେ ଦୁଇଟି ହଜାର ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍ ଟାଙ୍କି ବସାଇବା ସହିତ ସେଇ ଟାଙ୍କି ପାଣିରେ ଜୈବିକ ରାସାୟନିକ ପ୍ରୟୋଗ କରି ତୀର୍ଥକୁଣ୍ଡକୁ ଛାଡ଼ିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ଏଏସ୍ଆଇ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ସ୍ଥାନୀୟ ବିଧାୟକ, କର୍ପୋରେଟର୍ଙ୍କ ଅନୁମତି ଆଣି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏସବୁ ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ୨୦୨୩ ଅକ୍ଟୋବର ୨ରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ୪ ତୀର୍ଥକୁଣ୍ଡର ଜଳ ବିଶୋଧନ ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶୁଭାରମ୍ଭ କରିଥିଲେ। କିନ୍ତୁ ଏବେ ଏହି ପ୍ରକଳ୍ପର ଟେଣ୍ଡରକୁ ରଦ୍ଦ କରାଯାଇଛି। ଏନେଇ ଏଏସ୍ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ନନ୍ଦକିଶୋର ସ୍ୱାଇଁ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ଏଏସ୍ଆଇର ବଜେଟ ମଞ୍ଜୁରି ପାଇନାହିଁ। ତେଣୁ ପ୍ରକଳ୍ପ ବନ୍ଦ କରାଯିବା ସହ ଟେଣ୍ଡର ରଦ୍ଦ କରାଯାଇଛି।